ନୂଆଦିଲ୍ଲୀ ୫।୬: ଲୋକସଭା ନିର୍ବାଚନ ୨୦୨୪ରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ପୁରୁଣା ରଙ୍ଗରେ ଲେଉଟିଛନ୍ତି। ଏହି ନିର୍ବାଚନରେ ତାଙ୍କ ଦଳକୁ ୧୨ଟି ଆସନ ମିଳିଛି ଓ ସେ ବିହାରରେ ଏକ ସଶକ୍ତ ଦଳ ଭାବେ ଉଭା ହୋଇଛନ୍ତି। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ ନିତିଶଙ୍କ ପାର୍ଟିର ୧୬ ଜଣ ସାଂସଦ ଥିଲେ। ହେଲେ କେନ୍ଦ୍ରରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବାରୁ ମୋଦି ମେଣ୍ଟ ପ୍ରତି ଗୁରୁତ୍ୱ ଦେଇ ନଥିଲେ।
ସରକାରରେ ଚାହୁଁଥିବା ପ୍ରତିନିଧିତ୍ୱ ନମିଳିବାରୁ ସେ ମୋଦି ସରକାରରେ ସାମିଲ ହୋଇ ନଥିଲେ। ଅନ୍ୟପକ୍ଷରେ ବିଜେପିର ସଂଖ୍ୟା ଗରିଷ୍ଠ ମତ ଥିବାରୁ ସହଯୋଗୀଙ୍କୁ ଗୁରୁତ୍ୱ ଦେଇ ନଥିଲା। ସେ ସମୟର ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିତିଶ କେନ୍ଦ୍ରରେ ଦୁଇଟି ମନ୍ତ୍ରାଳୟ ଚାହୁଁଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ସହମତ ନଥିଲେ। ୨୦୧୯ ର ସମୟ କିଛି ଅଲଗା ଥିଲା ଏବେକା ସମୟ ସମ୍ପୂର୍ଣ୍ଣ ଅଲଗା। ନିତିଶ କୁମାରଙ୍କ ୧୬ ବଦଳେ ୧୨ ସାଂସଦ ଥାଇ ମଧ୍ୟ ସେ ଅଧିକ ଶକ୍ତିଶାଳୀ ହୋଇଛନ୍ତି। କାରଣ ଏଥର ବିଜେପିକୁ ବହୁମତ ମିଳି ନାହିଁ। ବିଜେପିକୁ ଏକ ସ୍ଥାୟୀ ସରକାର ନିମନ୍ତେ ନିତିଶ ଓ ଚନ୍ଦ୍ରବାବୁ ନାୟଡୁଙ୍କ ସମର୍ଥନ ଦରକାର।
ନିତିଶ ମଧ୍ୟ ଏହି କଥାକୁ ଭଲଭାବେ ବୁଝିଛନ୍ତି। ଏଣୁ ସେ ମୋଦିଙ୍କ ସାମ୍ନାରେ ୧୯୯୮ରେ ଫର୍ମୂଲା ଉପସ୍ଥାପନ କରିପାରନ୍ତି। ସେତେବେଳେ ଜେଡିୟୁ ବଦଳେ ସମତା ପାର୍ଟି ଥିଲା, ଯାହାର ଜର୍ଜ ଫର୍ଣ୍ଣାଣ୍ଡିଜ ନେତା ଥିଲେ। କେନ୍ଦ୍ରରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପ୍ରଥମ ଏନଡିଏ ସରକାର ହୋଇଥିଲା। ଦେଶରେ ମଣ୍ଟ ରାଜନୀତିର ମଧ୍ୟ ଏହା ପ୍ରଥମ ପ୍ରୟୋଗ ଥିଲା। ବାଜପେୟୀଙ୍କ ମେଣ୍ଟ ସରକାର ୧୩ ମାସରେ ଭାଙ୍ଗି ଯାଇଥିଲା। ଏହା ପରେ ୧୯୯୯ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ସମତା ପାର୍ଟି ଆହୁରି ମଜଭୁତ ହୋଇଥିଲା। ଏଥର ସମତା ପାର୍ଟିକୁ ୨୧ଟି ଆସନ ମିଳିଥିଲା।
୧୯୯୮ର ସରକାରରେ ସମତା ପାର୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ସମତା ପାର୍ଟିର ମାତ୍ର ୧୨ ଜଣ ସାଂସଦ ଥିଲେ ଓ ସେମାନଙ୍କୁ ବିଜେପି ସରକାରରେ ୨ଟି ବଡ଼ ମନ୍ତ୍ରାଳୟ ମିଳିଥିଲା। ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରତିରକ୍ଷାମନ୍ତ୍ରୀ କରାଯାଇଥିଲା ଏହା ସହିତ ସେ ଏନଡିଏର ସଂଯୋଜକ ମଧ୍ୟ ଥିଲେ। ଏଥିରେ ନିତିଶ କୁମାର ରେଳମନ୍ତ୍ରୀ ଥିଲେ। ୨୦୨୪ରେ ପୁଣି ଥରେ ନିତିଶ କୁମାରଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ତାଙ୍କର କେନ୍ଦ୍ର ରାଜନୀତିକୁ ପ୍ରତ୍ୟାବର୍ତ୍ତନ ହୋଇଥିବାବେଳେ ଏଥର ବି ସେ ଦୁଇଟି ମନ୍ତ୍ରାଳୟ ଦାବି କରିପାରନ୍ତି ବୋଲି ଆକଳନ କରାଯାଉଛି।