ନୂଆଦିଲ୍ଲୀ: ହଙ୍ଗେରୀର ଜଣେ ୨୪ ବର୍ଷୀୟ ଯୁବକ କାଲୋକ୍ସା ବିମାନବନ୍ଦରରୁ ଗୋଟିଏ 'ସେସନା ୧୭୨' (Cessna 172) ଛୋଟ ବିମାନ ଚୋରି କରି ଉଡ଼ାଇ ନେଇଥିଲେ। ସେ ବିମାନଟିକୁ ଦେଶର ଏକମାତ୍ର 'ପାକ୍ସ ପରମାଣୁ ବିଦ୍ୟୁତ୍ କେନ୍ଦ୍ର' ନିକଟସ୍ଥ ନିଷିଦ୍ଧାଞ୍ଚଳକୁ ନେଇଯାଇଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ମିଲିଟାରୀ ସେନା ରାଡାରରେ ଏହି ବିମାନଟି ଚିହ୍ନଟ ହେବା ପରେ ତୁରନ୍ତ ଦୁଇଟି 'ଗ୍ରିପେନ୍' ଫାଇଟର ଜେଟ୍ ପଠାଯାଇଥିଲା। ତେବେ ପରମାଣୁ କେନ୍ଦ୍ରଠାରୁ ମାତ୍ର ୪ ମାଇଲ୍ ଦୂରରେ ଥିବା ଏକ ସୂର୍ଯ୍ୟମୁଖୀ କ୍ଷେତରେ ବିମାନଟି କ୍ରାସ ଲ୍ୟାଣ୍ଡିଂ କରିଥିଲା।

ଦୁର୍ଘଟଣା ପରେ କାର୍ ଚୋରି ଉଦ୍ୟମ 
ବିମାନଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ଉକ୍ତ ଯୁବକ ଜଣକ ଖସିଯିବାକୁ ସକ୍ଷମ ହୋଇଥିଲେ। ସେଠାରୁ ସେ ଚାଲି ଚାଲି ପାଖରେ ଥିବା ଏକ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ । ସେଠାରେ ଜଣେ ଗାଡ଼ି ଚାଳକଙ୍କ କାର୍ ଚୋରି କରି ଫେରାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ କାବୁ କରିନେଇଥିଲା । 

ପ୍ରାଥମିକ ଯାଞ୍ଚରୁ ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା । ସେ ଅନ୍ୟ କୌଣସି ନିଷିଦ୍ଧ ନିଶାଦ୍ରବ୍ୟ ସେବନ କରିଥିଲେ କି ନାହିଁ, ତାହାର ପରୀକ୍ଷା ଚାଲିଛି। ଜଣେ ସାଧାରଣ ନାଗରିକ କିପରି ବିମାନବନ୍ଦରରେ ପଶି ବିମାନ ଚୋରି କଲେ ଏବଂ ଏପରି କାଣ୍ଡ ଭିଆଇଲେ, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।