ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଅଞ୍ଚଳରୁ ଏକ ଅତି ସାଙ୍ଘାତିକ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡକୁ ଏକ ସାଧାରଣ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନେ ଏକ ବିଷାକ୍ତ ସାପର ସାହାଯ୍ୟ ନେଇଥିଲେ। ପୋଲିସ ସୂଚନା ମୁତାବକ, ୨୦ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଏବଂ ନିଜର ପ୍ରେମ ସମ୍ପର୍କ ଜାରି ରଖିବା ପାଇଁ ଏହି ଦୁଇଜଣ ଏଭଳି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ଅତୁଲ ପାନୱାର। ସେ ହସ୍ତିନାପୁରଠାରେ ନିଜ ପତ୍ନୀ ଦାମିନୀଙ୍କ ସହ ମିଶି 'କୃଷ୍ଣା କିଡ୍ସ ପ୍ଲେ ସ୍କୁଲ୍' ଚଲାଉଥିଲେ। ୨୦୧୯ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ଗତ ଶୁକ୍ରବାର ସକାଳେ ବିଛଣାରୁ ଅତୁଲଙ୍କ ମୃତଦେହ ମିଳିଥିଲା । ମେରଠର ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସୂଚନା ଅନୁଯାୟୀ, ଦାମିନୀଙ୍କର ତାଙ୍କ ସ୍କୁଲର ଡ୍ରାଇଭର ତୁଷାର ଓରଫ୍ ନିକ୍କି ସହ ପ୍ରେମ ସମ୍ପର୍କ ଥିଲା। ଏହି ଦୁଇଜଣ ପ୍ରଥମେ ଅତୁଲଙ୍କୁ ଏକ ସଡ଼କ ଦୁର୍ଘଟଣା ଘଟାଇ ମାରିଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଯୋଜନା ଫେଲ୍ ହେବା ପରେ ଦାମିନୀ ନିଜ ପ୍ରେମିକ ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହ ମିଶି ଏହି ନୂଆ ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଘଟଣା ଦିନ ରାତିରେ ଦାମିନୀ ପ୍ରଥମେ ତାଙ୍କ ସ୍ୱାମୀ ଅତୁଲଙ୍କୁ ପିଇବାକୁ ଦେଇଥିବା କ୍ଷୀରରେ ନିଦ ବଟିକା ମିଶାଇ ଦେଇଥିଲେ। ଅତୁଲ ଅଚେତ ହୋଇ ଶୋଇପଡ଼ିବା ପରେ ତାଙ୍କ ବିଛଣା ଉପରକୁ ଏକ ବିଷାକ୍ତ ସାପ ଛାଡ଼ି ଦିଆଯାଇଥିଲା । ଅତୁଲଙ୍କୁ ସାପ କାମୁଡ଼ିବାକୁ ମୃତ୍ୟୁ ହୋଇଥିଲା। ଗ୍ରାମୀଣ ଏସପି (SP) ଅଭିଜିତ କୁମାରଙ୍କ କହିବା ଅନୁଯାୟୀ, ଶୁକ୍ରବାର ସକାଳେ ଅତୁଲଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୨୦ ଲକ୍ଷର ବୀମା ଏବଂ ପ୍ରେମ ସମ୍ପର୍କ 
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅତୁଲଙ୍କ ନାମରେ ଥିବା ୨୦ ଲକ୍ଷ ଟଙ୍କାର ଲାଇଫ୍ ଇନସୁରାନ୍ସ (ବୀମା) ରାଶି ପାଇବା ଏବଂ ଅତୁଲଙ୍କୁ ରାସ୍ତାରୁ ହଟାଇ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ଆଗକୁ ବଢ଼ାଇବା ଏହି ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସାପ କାମୁଡ଼ାରେ ମୃତ୍ୟୁ ହେଲେ କାହାର ସନ୍ଦେହ ହେବନାହିଁ ବୋଲି ଅଭିଯୁକ୍ତମାନେ ଭାବିଥିଲେ। ଯଦିଓ ପ୍ରଥମେ ଏହା ସାଧାରଣ ସାପ କାମୁଡ଼ା ଜନିତ ମୃତ୍ୟୁ ପରି ମନେ ହେଉଥିଲା, କିନ୍ତୁ ପୋଲିସ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ମୋବାଇଲ୍ ଫୋନ୍ କଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରିବା ପରେ ଏହି ସାଙ୍ଘାତିକ ରହସ୍ୟ ଉପରୁ ପରଦା ହଟିଥିଲା। ଅଭିଯୁକ୍ତ ତୁଷାର ମଧ୍ୟ ବିବାହିତ ଥିଲେ ଏବଂ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଥିଲେ। ବର୍ତ୍ତମାନ ପୋଲିସ ଦାମିନୀ ଓ ତୁଷାରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।