ଭୁବନେଶ୍ୱର: ଡାକ୍ତର ଭବାନୀ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଡ. ମିଶ୍ରଙ୍କୁ ସ୍ୱାଗତ କରିଥିଲେ । ଓସାକ୍ସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା ।

ଏଚ୍ଆଇଭି/ଏଡ୍‌ସ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ଡ. ମିଶ୍ର ପରାମର୍ଶ ଦେଇଥିଲେ । ଏହି ସାମୂହିକ ପ୍ରୟାସରେ ସମସ୍ତଙ୍କର ସହଯୋଗ, ସମର୍ଥନ ଓ ସକ୍ରିୟ ଅଂଶଗ୍ରହଣ କାମନା କରିଥିଲେ । ୨୦୩୦ ସୁଦ୍ଧା ଏଡ୍‌ସ ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ ଦିଗରେ ସକାରାତ୍ମକ ଚିନ୍ତାଧାରା ନେଇ ସମସ୍ତେ ଏକାଠି ହୋଇ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଡାକ୍ତର ମିଶ୍ର ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM & PHO) ଭାବେ କାର୍ଯ୍ୟରତ ଥିଲେ।