ନୂଆଦିଲ୍ଲୀ: ଟିଏମସି ଉପରେ ଅସନ୍ତୋଷ ଝାଡ଼ିଲେ ନିର୍ବାଚନ କମିଶନ। ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର୍) ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କୁ ପ୍ରଭାବିତ କରିବା କିମ୍ବା ଧମକ ଦେବାକୁ ନେଇ ଇସିଆଇ ମମତା ବାନାର୍ଜୀଙ୍କ ଦଳ ଟିଏମସିକୁ ସତର୍କ କରାଇ ଦେଇଛନ୍ତି। ବିଶେଷକରି ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ପ୍ରବେଶ ସମ୍ପର୍କରେ ବିଏଲ୍ଓଙ୍କୁ ଚାପ ବିହୀନ କାମ କରିବାକୁ ଅନୁମତି ଦିଆଯିବା ଉଚିତ ବୋଲି ଇସିଆଇ କହିଛନ୍ତି।

ଏକ ବୈଠକରେ ଇସିଆଇ ସମସ୍ତ ଆଶଙ୍କା ଏବଂ ତୃଣମୂଳ କଂଗ୍ରେସ ପ୍ରତିନିଧିମଣ୍ଡଳ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହିତ ଏହାକୁ ଖଣ୍ଡନ କରିଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରେ ସୁରକ୍ଷା ଉଲ୍ଲଂଘନ ସହିତ ଜଡିତ ସମ୍ପ୍ରତି ଘଟିଥିବା ଘଟଣାଗୁଡ଼ିକୁ ନେଇ ଇସି ଚିନ୍ତା ବ୍ୟକ୍ତ କରିଛନ୍ତି। ଏନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ କାର୍ଯ୍ୟାଳୟକୁ ଅଧିକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ। କମିଶନ କୋଲକାତା ପୋଲିସ କମିଶନରଙ୍କୁ ବର୍ତ୍ତମାନ ଥିବା କାର୍ଯ୍ୟାଳୟ ଏବଂ ନୂଆ ପରିସରକୁ ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜନୈତିକ କର୍ମୀମାନେ ବିଏଲ୍ଓ ମାନଙ୍କୁ ଚାପ କିମ୍ବା ଭୟଭୀତ ନ କରିବା ପାଇଁ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ (DGP) ଏବଂ କୋଲକାତା ପୋଲିସ କମିଶନରଙ୍କୁ ଇସିଙ୍କ ପକ୍ଷରୁ ଏକ ଆନୁଷ୍ଠାନିକ ଚିଠି ପଠାଯାଇଛି।