News7 Logo

ଭାରତ ଉପରେ ଟାରିଫ ଲଗାଇ ସାରା ବିଶ୍ୱରେ ଏକା ପଡ଼ିଗଲେ କି ଟ୍ରମ୍ପ ? କେହି ଶୁଣୁ ନାହାନ୍ତି ତାଙ୍କ କଥା

NEWS7
donald trump try to push nato eu and g7 country to impose tariffs on india and china

ଭୁବନେଶ୍ୱର: ଭାରତର ନିରବ କୂଟନୀତି କାମ ଦେଇଛି। ୫୦ ପ୍ରତିଶତ ଟାରିଫ ଲଗାଇଥିବା ଆମେରିକା ଏବେ ବିଶ୍ୱ ସମୁଦାୟରେ ଏକା ପଡ଼ିଯିବା ପରେ ମନେ ହେଉଛି। ତେଣୁ ଭାରତ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ ପାଇଁ ସେ ଏବେ ୟୁରୋପିୟନ ୟୁନିୟନକୁ ଦୋଷ ଦେଉଛନ୍ତି। ହେଲେ ଇୟୁ କିନ୍ତୁ ଭାରତ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଗକୁ ବଢ଼ୁଛି। ତେଣୁ ତ୍ରିଶଙ୍କୁ ଅବସ୍ଥାରେ ଝୁଲୁଥିବା ଟ୍ରମ୍ପ ଏବେ ଔଷଧର ରାଗରେ ତାଟିଆ କାମୁଡ଼ିବା ପରି ବୟାନ ଦେଉଛନ୍ତି। ଋଷ ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବାକୁ ସେ ଜି-୭ ଦେଶ ଓ ନାଟୋ ଦେଶକୁ ଆହ୍ୱାନ ଦେଇଛନ୍ତି। ବିଜନେଶ ବିଶେଷରେ ପଢ଼ନ୍ତୁ ରିପୋର୍ଟ ବୁମେରାଂ ହେଲା ଟ୍ରମ୍ପ ଟାରିଫ

ଦୀର୍ଘଦିନ ଧରି ଭାରତ ପାଇଁ ଆକ୍ରାମକ ବୟାନ ଦେଇ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନରମିଛନ୍ତି। ଲାଗୁଛି ସେ ଆମେରିକା ପାଇଁ ଭାରତର ଗୁରୁତ୍ୱକୁ ବୁଝିଗଲେଣି। ଭାରତ ଉପରେ ଟାରିଫ ଲଗାଇବା ଏକ ଖୁବ ବଡ଼ କଥା ଥିଲା। ଏବଂ ଏଥିପାଇଁ ଦୁଇ ଦେଶର ସମ୍ପର୍କ ଖରାପ ହୋଇଛି ବୋଲି ଟ୍ରମ୍ପ ସ୍ୱୀକାର କରିଛନ୍ତି। ଖୁବ୍‌ଶୀଘ୍ର ଭାରତ ସହିତ ଏକ ଭଲ ବାଣିଜ୍ୟ ଡିଲ୍‌ ହେବ ବୋଲି ସେ ଆଶା ବି କରିଛନ୍ତି। ତେଣୁ ଆଗକୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ସୁଧାର ଆସିବା ନେଇ ଅନୁମାନ କରାଯାଉଛି

ଭାରତ ଉପରେ ଟାରିଫ ଲଗାଇ ଏବେ ପଶ୍ଚାତାପ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ତୁଚ୍ଛା ଟାଣ ରଖିବାକୁ ହୁଏତ ସାମ୍ନାସାମ୍ନି ଏହାକୁ ସ୍ୱୀକାର କରୁ ନାହାନ୍ତି, ହେଲେ ଭାରତ ଯେ ଆମେରିକା ପାଇଁ କେତେ ଆବଶ୍ୟକ ଏକଥା ଭଲଭାବରେ ବୁଝିଗଲେଣି ଆମେରିକା ରାଷ୍ଟ୍ରପତି। ଶୁକ୍ରବାର ଫକ୍ସ ନ୍ୟୁଜର ଏକ ଟିଭି ଶୋ ଫକ୍ସ ଆଣ୍ଡ୍ ଫ୍ରେଣ୍ଡସ୍‌କୁ ସାକ୍ଷାତକାର ଦେଇ ଟ୍ରମ୍ପ " ଭାରତ ଋଷର ସବୁଠାରୁ ବଡ଼ ଗ୍ରାହକ ଥିଲା। ମୁଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲି। କାରଣ ସେମାନେ ରୁଷରୁ ତେଲ କିଣୁଛନ୍ତି। ଏହା କରିବା ଏକ ସହଜ କାମ ନୁହେଁ। ଏହା ଏକ ବଡ଼ କଥା, ଏବଂ ଏଥିପାଇଁ ଭାରତ ସହ ସମ୍ପର୍କରେ ଏକ ଫାଟ ସୃଷ୍ଟି ହୋଇଛି ବୋଲି ଟ୍ରମ୍ପ କହିଛନ୍ତି।

ଏକଥା କହି ସାରିବା ପରେ ସେ ଏସବୁ ପାଇଁ ପୂରା ଦୋଷ ୟୁରୋପିୟନ ୟୁନିୟନ ଉପରେକୁ ଠେଲି ଦେଇଛନ୍ତି। ସେ କହିଛନ୍ତି ଯେ ଏଥିରେ ଆମେରିକାର ବେଶି ସମସ୍ୟା ନାହିଁ। ତେବେ ମୋର ଯାହା କରିବାର କଥା ମୁଁ ବହୁତ କଲି। ଭାରତ ସହିତ ସମ୍ପର୍କ ଖରାପ କଲି। ହେଲେ ଇୟୁ ଭାରତ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରମ୍ପ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ୟୁରୋପିୟନ ୟୁନିୟନ ଉପରେ ଯଥା ସାଧ୍ୟ ଚାପ ପକାଉଛନ୍ତି। ହେଲେ ମିଡିଆ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କର ଏହି ପ୍ରସ୍ତାବକୁ ଇୟୁ ଖାରଜ କରି ଦେଇଛି। ଯଦିଓ ଏନେଇ ୟୁରୋପୀୟ ସଂଘ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ ତେବେ  ପୂର୍ବରୁ ପରି ସହଯୋଗୀ ଦେଶମାନଙ୍କ ସହିତ ଇୟୁ ଆଲୋଚନା ଜାରି ରଖିବ ବୋଲି ଏହାର ପ୍ରବକ୍ତା ଓଲଫ ଗିଲ୍ ଲାଇଭ୍ ମିଣ୍ଟକୁ କହିଛନ୍ତି।

ସେପଟେ ଟ୍ରମ୍ପଙ୍କ କଥାକୁ ଗୁରୁତ୍ୱ ନ ଦେଇ ୟୁରୋପିୟନ ୟୁନିୟନ ଭାରତ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି କରିବା ପାଇଁ ଆଲୋଚନା ଆରମ୍ଭ କରିଦେଇଛି। ଏନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ଶୁକ୍ରବାର ନୂଆଦିଲ୍ଲୀରେ ଇୟୁ କୃଷି ଏବଂ ଖାଦ୍ୟ କମିଶନର କ୍ରିଷ୍ଟୋଫ ହାନସେନ, ଇୟୁ ବାଣିଜ୍ୟ ଏବଂ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ ସେଫକୋଭିକ ଏବଂ ଏହାର ପ୍ରତିନିଧିମଣ୍ଡଳର ଅନ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି।

ଏହା ଉଭୟ ପକ୍ଷ ମଧ୍ୟରେ ୧୩ ତମ ବୈଠକ। ଏନେଇ ଶ୍ରୀ ଗୋୟଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଭାରତ-ୟୁରୋପୀୟ ସଂଘର ଏଫ୍‌ଟିଏ ଆଲୋଚନା ଜାରି ରହିଥିବାରୁ, ଏହାକୁ ଶୀଘ୍ର ଶେଷ କରିବା ପାଇଁ ଆମେ ଆମର ମିଳିତ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛୁ। ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଏଫ୍‌ଟିଏ ଉଭୟ ପକ୍ଷର ଲୋକ ଏବଂ ବ୍ୟବସାୟ ପାଇଁ ନୂଆ ସୁଯୋଗ ଖୋଲିବ। ଆମେ ହାସଲ କରିବାକୁ ଚେଷ୍ଟା କରୁଥିବା ଚୁକ୍ତିରୁ ଭାରତ ଏବଂ ୟୁରୋପୀୟ ସଂଘ ଉଭୟ ପ୍ରଚୁର ଲାଭ ପାଇବେ।

ଏହି ବୈଠକରେ ଭାରତ ଏଫ୍‌ଟିଏ ସହିତ ନନ୍ ଟାରିଫ ବ୍ୟାରିୟରଉପରେ ମଧ୍ୟ ଗୁରୁତ୍ୱ ଦେଇଛି। ଏଫ୍‌ଟିଏ ପାଇଁ ତିଆରି ହେବାକୁ ଥିବା ନିୟମ ଢାଞ୍ଚାଗୁଡ଼ିକରେ ସମାବେଶିତ, ସମାନୁପାତିକ ଏବଂ ବାଣିଜ୍ୟକୁ ପ୍ରତିବନ୍ଧିତ ନକରୁଥିବା ନିୟମ ରହିବା ଆବଶ୍ୟକ ବୋଲି କହିଛି ତେବେ ଇୟୁ ସହିତ ଡିସେମ୍ବର ଶେଷ ସୁଦ୍ଧା ଏଫଟିଏ ଡିଲ୍ ହୋଇଯିବ ବୋଲି ଶ୍ରୀ ଗୋୟଲ ଅଟୋମୋବାଇଲ୍ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ଏପର୍ଯ୍ୟନ୍ତ, ଉଭୟ ପକ୍ଷ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ୧୧ଟି ପ୍ରସ୍ତାବ ଚୂଡ଼ାନ୍ତ କରିଛନ୍ତି। ଯେଉଁଥିରେ ସୀମା ଶୁଳ୍କ, ବାଣିଜ୍ୟ ସୁବିଧା, ଡିଜିଟାଲ୍ ବାଣିଜ୍ୟ ଏବଂ କ୍ୟାପିଟାଲ ମୁଭମେଣ୍ଟ ବା ପୁଞ୍ଜିଗତ ଗତିବିଧି ସାମିଲ ରହିଛି। ତଥାପି, ଉତ୍ପତ୍ତି ନିୟମ, ବଜାର ପ୍ରବେଶ ଏବଂ ମଦ ଓ କ୍ଷୀର ଭଳି ଉତ୍ପାଦ ଉପରେ ଶୁଳ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏପର୍ଯ୍ୟନ୍ତ ଉଭୟ ପକ୍ଷ ଏକମତ ହୋଇପାରି ନାହାନ୍ତି। ଇୟୁ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। ୨୦୨୩-୨୪ ରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମଗ୍ରୀ ବାଣିଜ୍ୟ ୧୩୫ ବିଲିୟନରେ ଡଲାରରେ ପହଞ୍ଚିଛି। ଏଫ୍‌ଟିଏ ଆଲୋଚନାର ୧୩ ତମ ପର୍ଯ୍ୟାୟ ନୂଆଦିଲ୍ଲୀରେ ଜାରି ରହିଛି। ଏହା ପରେ ବ୍ରସେଲ୍ସରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ।

ସେପଟେ ଭାରତ ଉପରେ ଟାରିଫ ଲଗାଇ ଏକାପଡ଼ିଯିବା ପରେ ତୁଚ୍ଛାରେ ନିଜ ଟାଣ ଦେଖାଇବାକୁ ଅନ୍ୟ ଦେଶମାନଙ୍କ ଉପରେ ଚାପ ପକାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯେମିତି ଆମେରିକା ଭାରତ ଓ ଚୀନ ଉପରେ ଶୁଲ୍କ ଲଗାଇଛି ସେମିତି ଇୟୁ ଓ ଜି-୭ ଦେଶ ଏହି ଦୁଇ ଦେଶ ଉପରେ ଅଧିକ ଶୁଳ୍କ ଲଗାନ୍ତୁ ବୋଲି ଆମେରିକା ଅର୍ଥମନ୍ତ୍ରଣାଳୟ ସେମାନଙ୍କୁ ଅନୁରୋଧ କରିଛି। ଖାଲି ସେତିକି ନୁହେଁ ଆମେରିକା ଅର୍ଥ ମନ୍ତ୍ରଣାଳୟ ଜି-୭ରେ ଅର୍ଥ ମନ୍ତ୍ରୀମାନଙ୍କ ଏକ ବୈଠକ ମଧ୍ୟ ଡକାଇଛି ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ରୁଷ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରିବ ଆମେରିକା

ଆମେରିକା ଅର୍ଥ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଚୀନ ଏବଂ ଭାରତ ରୁଷ ଠାରୁ ତେଲ କିଣି ପୁଟିନଙ୍କୁ ଯୁଦ୍ଧରେ ସହଯୋଗ କରୁଛନ୍ତି ୟୁକ୍ରେନ ଲୋକଙ୍କ ହତ୍ୟାକୁ ଆହୁରି ବଢ଼ାଉଛନ୍ତି ପ୍ରବକ୍ତା କହିଛନ୍ତି ‘‘ଚଳିତ ସପ୍ତାହ ଆରମ୍ଭରେ ଆମେ ଇୟୁର ସହଯୋଗୀଙ୍କୁ ଏହା ସ୍ପଷ୍ଟ କରିଥିଲୁ ଯେ, ଯଦି ସେ ଯୁଦ୍ଧ ସମାପ୍ତ କରିବାକୁ ଆଗଭର ତେବେ ଆମ ସହ ମିଶି ଟାରିଫ୍ଲଗାନ୍ତୁ ଏହି ଟାରିଫ୍କୁ ଯୁଦ୍ଧ ସମାପ୍ତ ହେବା ଦିନ ହିଁ ବନ୍ଦ କରାଯିବ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ଆଉ ଆମର ଜି-୭ ସହଭାଗୀ ଆମ ସହ ସାଥୀ ହୋଇ ଚାଲିବାର ଆବଶ୍ୟକ ରହିଛି’’

ହେଲେ ଏଠି ବି ଟ୍ରମ୍ପଙ୍କ କଥା ପ୍ରଭାବ ଶୂନ୍ୟ ହେଲା ପରି ମନେ ହେଉଛି। କାରଣ ଜି-୭ରେ ଥିବା ଜର୍ମାନୀ ଓ ଫ୍ରାନ୍ସ ଭଳି ରାଷ୍ଟ୍ର ୟୁରୋପିୟନ ୟୁନିୟନର ସଦସ୍ୟ। ତେଣୁ ଏହି ଦୁଇ ରାଷ୍ଟ୍ର ମଧ୍ୟ ଭାରତ ସହିତ ଇୟୁର ଏଫ୍‌ଟିଏ ଡିଲ୍‌କୁ ସମର୍ଥନ କରୁଛନ୍ତି। ସେହିପରି ଅନ୍ୟ ଏକ ଦେଶ ଶକ୍ତିଶାଳୀ ଦେଶ ବ୍ରିଟେନ୍ ପୂର୍ବରୁ ଭାରତ ସହିତ ଏଫ୍‌ଟିଏ ଡିଲ୍ ସାଇନ କରି ସାରିଛି। ତେଣୁ ଟ୍ରମ୍ପଙ୍କ ଏହି ଚାଲ୍ ବି ବିଫଳ ହୋଇପାରେ। ଏଠି ବି ଏକାଯାଇପାରନ୍ତି ଟ୍ରମ୍ପ। ଯାହା ବୋଧହୁଏ ଆମେରିକା ପୂର୍ବରୁ ଅନୁମାନ କରି ସାରିଲାଣି। ତେଣୁ ଟ୍ରମ୍ପ ସରକାରଙ୍କର ଭାରତ ପ୍ରତି ମନୋଭାବ ନରମିବାରେ ଲାଗିଛି। ନିକଟରେ କିଛି ପୋଷ୍ଟରେ ଟ୍ରମ୍ପ ମୋଦୀଙ୍କୁ ଭଲ ବନ୍ଧୁ କହିବା ସହିତ ଭାରତ ସହିତ ଭଲ ଡିଲ୍ କରିବା କଥା ଦୋହରାଇଛନ୍ତି। ଏବଂ ଦୁଇ ଦେଶ ମଧ୍ୟରେ ଏକ ଭଲ ବିଜ୍‌ନେଶ ଡିଲ୍ ହେବ ବୋଲି ସେ ଆଶା ବି ରଖିଛନ୍ତି।