ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜି-୭ (G7) ସମ୍ମିଳନୀ ଅବସରରେ ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାକୁ ଦମନ କରିବା ପାଇଁ ସିରିଆକୁ ଦାୟିତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇସ୍ରାଏଲର ସାମରିକ ଅଭିଯାନ ଯୋଗୁଁ  ସାଧାରଣ ଲୋକଙ୍କ ଜୀବନ ଯାଉଛି, ଯାହାକୁ ଗ୍ରହଣ କରାଯାଇପାରିବ ନାହିଁ। 

ଟ୍ରମ୍ପ କହିଛନ୍ତି, ‘ମୋ ବିନା ଆଜି ଇସ୍ରାଏଲର କୌଣସି ଅସ୍ତିତ୍ୱ ନଥାନ୍ତା। କାରଣ ଆମେରିକାର ଅନ୍ୟ କୌଣସି ରାଷ୍ଟ୍ରପତି ଇସ୍ରାଏଲ ପାଇଁ ସେତିକି କରିବାକୁ ପ୍ରସ୍ତୁତ ନଥିଲେ, ଯାହା ମୁଁ କରି ଦେଖାଇଛି।’ ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଲେବାନନ ମାମଲାରେ ନେତାନ୍ୟାହୁ (ବିବି) ଙ୍କୁ ଆହୁରି ଦାୟିତ୍ୱବାନ ହେବାକୁ ପଡ଼ିବ। ଟ୍ରମ୍ପଙ୍କ ମତରେ, ଇସ୍ରାଏଲ ଦୀର୍ଘ ସମୟ ଧରି ହିଜବୁଲ୍ଲା ସହ ଲଢ଼େଇ କରୁଛି ଏବଂ ଏଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଉଛନ୍ତି। ଏହାର ବିକଳ୍ପ ସ୍ୱରୂପ ସେ ସିରିଆର ନୂତନ ରାଷ୍ଟ୍ରପତି ଅହମ୍ମଦ ଅଲ୍-ସାରା (Ahmed al-Sharaa) ଙ୍କ ସହାୟତା ନେବାକୁ କହିଛନ୍ତି।

ଯଦି ଇସ୍ରାଏଲ ସମସ୍ତଙ୍କୁ ନ ମାରି ହିଜବୁଲ୍ଲା ବିରୋଧରେ ନିଜର କାମ ସରିପାରୁ ନାହିଁ, ତେବେ ସିରିଆ ଏହି କାମ କରିବ। ମୁଁ ଇସ୍ରାଏଲକୁ ପରାମର୍ଶ ଦେଇଛି ଯେ ସେମାନେ ସିରିଆକୁ ହିଜବୁଲ୍ଲାର ମୁକାବିଲା କରିବାକୁ ଦିଅନ୍ତୁ। ସତ କହିବାକୁ ଗଲେ, ମୋତେ ଲାଗୁଛି ସିରିଆ ଏହି କାମକୁ ଅଧିକ ଭଲ ଭାବେ କରିପାରିବ। ବଶର ଅଲ୍-ଅସଦଙ୍କ ଶାସନର ପତନ ପରେ ସିରିଆରେ କ୍ଷମତାକୁ ଆସିଥିବା ପୂର୍ବତନ ଜିହାଦୀ ନେତା ଅହମ୍ମଦ ଅଲ୍-ସାରାଙ୍କୁ ଟ୍ରମ୍ପ ଖୁବ୍ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ସାରା ନିଜ ଦେଶରେ "ଅଦ୍ଭୁତପୂର୍ବ କାର୍ଯ୍ୟ" କରୁଛନ୍ତି।

ସାରା ହିଜବୁଲ୍ଲା ସଂଗଠନକୁ ଆଦୌ ପସନ୍ଦ କରନ୍ତି ନାହିଁ ଏବଂ ସେମାନଙ୍କୁ ଦମନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସକ୍ଷମ।  ଟ୍ରମ୍ପ କହିଛନ୍ତି ଯେ, ସିରିଆର ଏହି ନୂଆ ନେତା କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି, ବରଂ ଜଣେ ଶକ୍ତିଶାଳୀ ନେତା, ଯିଏ ଆତଙ୍କବାଦୀଙ୍କ ସହ କଡ଼ା ଆଭିମୁଖ୍ୟ ଆପଣେଇ ପାରିବେ। ଟ୍ରମ୍ପଙ୍କ ଏହି ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକାର ପ୍ରଶାସନ ଉପରେ ଚାପ ବଢ଼ୁଛି। ଇରାନ ସମର୍ଥିତ ହିଜବୁଲ୍ଲାକୁ ରୋକିବା ପାଇଁ ସିରିଆର ନୂଆ ସରକାରକୁ ବ୍ୟବହାର କରିବାକୁ ଟ୍ରମ୍ପଙ୍କ ରଣନୀତି ଆଗାମୀ ଦିନରେ ମଧ୍ୟପ୍ରାଚ୍ୟର ରାଜନୀତିକୁ ବଦଳାଇ ଦେଇପାରେ। ୟୁରୋପର ଇଭିଆନ୍ (Evian) ଠାରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି।