ନୂଆଦିଲ୍ଲୀ ୦୫।୦୬ : ଆମେରିକା ରାଷ୍ଟ୍ରପତିଙ୍କ ଆଉ ଏକ ବଡ଼ ନିଷ୍ପତ୍ତି । ଏଣିକି ଆଫାଗାନିସ୍ତାନ, ଇରାନ ସମେତ ୧୨ଟି ଦେଶର ନାଗରିକ ଆମେରିକାରେ ଏଣ୍ଟ୍ରି ଉପରେ କଟକଣା ଲାଗୁ କରିଛନ୍ତି । ଏହି ସବୁ ରାଷ୍ଟ୍ରର ଲୋକ ଆମେରିକାରେ ପ୍ରବେଶ କରିପାରିବେ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆତଙ୍କବାଦୀ ସମେତ ବିଭିନ୍ନ ବିପଦକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପ ସରକାରଙ୍କ ମତରେ ଆମେରିକାର ଏହି ନିଷ୍ପତ୍ତି ଦେଶର ସୁରକ୍ଷାକୁ ମଜବୁତ୍ କରିବ।
ଟ୍ରମ୍ପ ସରକାରଙ୍କ ଘୋଷଣା ମୁତାବିକ, ଆଫଗାନିସ୍ତାନ, ମିଆଁମାର, ଚାଣ୍ଡ, କଙ୍ଗୋ ଗଣରାଜ୍ୟ, ଇକ୍ଟୋଟେରିଆଲ୍ ଗିନି, ଇରିଟ୍ରିୟା, ହୈତି, ଇରାନ, ଲିବିଆ, ସୋମାଳିଆ, ସୁଡାନ୍, ୟମନର ନାଗରିକମାନଙ୍କୁ ଆମେରିକାରେ ପ୍ରବେଶ ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି ।ଏହାସହିତ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିୟୋନ, ଟାଗୋ, ତୁର୍କିମେନିସ୍ତାନ, ଭେନେଜୁଏଲା ଆଦି ଦେଶ ଉପରେ ମଧ୍ୟ ଏହି କଟକଣା ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶ ନୀତି, ରାଷ୍ଟ୍ରୀୟ ସୁରକ୍ଷା ଓ ଆତଙ୍କବାଦୀ ବିରୋଧୀକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦେଶରୁ ଆସୁଥିବା ଲୋକ ଭିସା ଶେଷ ହେବା ପରେ ଆମେରିକାରେ ଅବୈଧ ରୂପରେ ରହୁଛନ୍ତି । ଏହାକୁ ବି ବିଶେଷ ଧ୍ୟାନ ରଖାଯାଇଛି । ଏହି ନିୟମ ଜୁନ୍ ୯ ତାରିଖରୁ ଲାଗୁ କରାଯିବ ।
ସେହିପରି ଏହାପୂର୍ବରୁ ମଧ୍ୟ ଟ୍ରମ୍ପ ସରକାର କଟକଣା ଲଗାଇଥିଲେ । ୨୦୧୭ରେ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ କିଛି ମୁସଲିମ୍ ରାଷ୍ଟ୍ର ଉପରେ ପ୍ରତିବନ୍ଧ ଲଗାଇଥିଲେ । ୨୦୧୭ରେ ଏହି ନିଷ୍ପତ୍ତି ହଜାର ହଜାର ପର୍ଯ୍ୟଟକ, ବ୍ୟବସାୟୀ ଏବଂ ଅନ୍ୟ ଲୋକଙ୍କୁ ଅସୁବିଧାରେ ପକାଇଥିଲା । ପୂର୍ବରୁ ଦେଶରେ ବେଆଇନ୍ ଭାବେ ରହୁଥିବା ପ୍ରବାସୀଙ୍କୁ ବାହାରର ରାସ୍ତା ଦେଖାଇସାରିଲେଣି ।