କର୍ଣ୍ଣାଟକ ୩୧/୭: ସାରା ଦେଶକୁ ଦହଲାଇ ଦେଇଥିବା କର୍ଣ୍ଣାଟକ ଧର୍ମସ୍ଥଳର ମର୍ଡର ମିଷ୍ଟ୍ରିର ତନାଘନା କରୁଥିବା ଏସ୍ଆଇଟି ହାତରେ ବଡ ପ୍ରମାଣ । ଘଟଣାର ମୁଖ୍ୟ ସାକ୍ଷୀ ଦେଇଥିବା ସ୍ଥାନ ମଧ୍ୟରୁ ଷଷ୍ଠ ସ୍ଥାନରେ ମିଳିଛି କଙ୍କାଳ । ମଙ୍ଗଳବାର ପ୍ରଥମ ତଦନ୍ତରେ ଗୋଟିଏ ସ୍ଥାନରେ ୧୫ ଫୁଟ ଯାଏ ଖୋଳି ମଧ୍ୟ କିଛି ନପାଇ ନିରାଶ ହୋଇଥିବା ଏସଆଇଟି ହାତରେ ଲାଗିଛି ବଡ ପ୍ରମାଣ । ତଦନ୍ତ ଆରମ୍ଭ ହେବା ପରେ ଏହା ପ୍ରଥମ ସ୍ଥାନ ଯେଉଁଠୁ ମଣିଷ କଙ୍କାଳ ମିଳିଛି । ଜୁଲାଇ ୪ରେ ଧର୍ମସ୍ଥଳ ପୋଲିସ ଷ୍ଟେସନରେ ଅଭିଯୋଗ ପରେ ୧୯ରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା ।
ମଙ୍ଗଳବାର ଅଭିଯୋଗକାରୀ ଚିହ୍ନଟ କରିଥିବା କିଛି ସ୍ଥାନରେ ଗାତ ଖୋଳାଯାଇଥିଲା । ତେବେ କୌଣସି ସ୍ଥାନରେ କଙ୍କାଳର ଅବଶେଷ ମିଳିନଥିଲା । ତେବ ଷଷ୍ଠ ସ୍ଥାନ ଏସ୍ଆଇଟିକୁ ଦେଇଛି ବଡ ପ୍ରମାଣ । ପୂର୍ବରୁ ନିଖୋଜ ଛାତ୍ରୀଙ୍କ ମାଆଙ୍କ ଓକିଲ ଏନ୍,ମଞ୍ଜୁନାଥନ ଏସ୍ଆଇଟି ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୋଷ ଜାହିର କରିଥିଲେ । ସେ କହିଥିଲେ ଉଦ୍ଧାର ହୋଇଥିବା ଜିନିଷ ଗୁଡିକ ମଧ୍ୟରେ ଗୋଟିଏ ପାନ୍ କାର୍ଡ ଓ ୨ଟି ଏଟିଏମ୍ କାର୍ଡ ଥିଲା । ସେଥିରୁ ଗୋଟିଏ ପୁରୁଷ ନାଁ ଓ ଅନ୍ୟଟି ଲକ୍ଷ୍ମୀ ନାଁରେ ଥିଲା । ଯାହା ଆଗକୁ ଅନେକ ଖୁଲାସା କରିବ । ମଞ୍ଜୁନାଥ ଏହା ମଧ୍ୟ କହିଛନ୍ତି ଅଭିଯୋଗକାରୀ ସଫେଇ କର୍ମଚାରୀ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନନ ଚିହ୍ନଟ କରିଛନ୍ତି ଯେଉଁଠି ସର୍ବାଧିକ ସଂଖ୍ୟ କ ମୃତଦେହ ପୋତାଯାଇଥିବା କୁହାଯାଉଛି । ଏବେ ଟାର୍ଗେଟରେ ଥିବା ୧୩ଟି ସ୍ଥାନ ଭିତରେ ଏହି ଜାଗା ନାହିଁ । ପରବର୍ତ୍ତୀ ସମୟରେ ଏହାକୁ ଖୋଳାଯିବା ପରେ ଅନେକ ରହସ୍ୟ ଖୋଲିବାର ସମ୍ଭାବନା ରହିଛି ।
୧୯୯୫ରୁ ୨୦୨୫ । ଦୀର୍ଘ ୩୦ ବର୍ଷ ପରେ ଧର୍ମସ୍ଥଳ ପଛର ଭୟଙ୍କର ରହସ୍ୟ ଗୁମର ଧିରେ ଧିରେ ଫିଟୁଛି । ସବୁ ସତ କହିବାକୁ ଆଗକୁ ଆସିଛନ୍ତି ପୁରା ଘଟଣାର ସାକ୍ଷୀ କୁହାଯାଉଥିବା ମନ୍ଦିରର ପୂର୍ବତନ ସଫେଇ କର୍ମଚାରୀ । ୧୯୯୫ରୁ ୨୦୧୪। ଦୀର୍ଘ ୨୦ ବର୍ଷ ଧରି ତାଙ୍କ ଇଚ୍ଛା ବିରୋଧରେ ଭୟ ଦେଖାଇ ମୃତଦେହ ପୋତିବାକୁ ବାଧ୍ୟ କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ସେ । ନାବାଳିକାଠୁ ଆରମ୍ଭ କରି ଯୁବତୀ ଏମିତି ଅନେକଙ୍କ ମୃତଦେହ ମାଟିରେ ମିଶିଯାଇଛି । ନ୍ୟାୟ ପାଇଁ ସେମାନେ ଚିତ୍କାର କରୁଛନ୍ତି ।
ଏତେ ବର୍ଷ ଧରି କବରରେ ଲୁଚିରହିଥିବା ରହସ୍ୟ ପ୍ରଥମେ ସମସ୍ତଙ୍କ ନଜରକୁ ଆସିଲା ୨୨ ଜୁନ, ୨୦୨୫ରେ ।ପ୍ରଥମେ ଓକିଲ ଓଜସ୍ବୀ ଗୌଡା ଏବଂ ସଚିନ ଦେଶପାଣ୍ଡେ ଦେଲେ ସାହସ । ସଫେଇ କର୍ମଚାରୀକୁ ସାହାଯ୍ୟ ପାଇଁ ସେମାନେ ଆଗେଇ ଆସିଥିଲେ । ଓକିଲଙ୍କ ଏକ ପ୍ରତିନିଧି ମଣ୍ଡଳୀ ପୋଲିସ ଅଧୀକ୍ଷକଙ୍କୁ ଘଟଣାର ଯାଞ୍ଚ ପାଇଁ କଲେ ଅନୁରୋଧ । ୩ ଜୁଲାଇରେ ସଫେଇ କର୍ମଚାରୀ ପୋଲିସ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ ବି କଲେ । ୧୪ ଜୁଲାଇ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଏସ୍ଆଇଟି ଗଠନର ଦାବି କରିଥିଲେ । ୧୮ ଜୁଲାଇରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜନସାଧାରଣଙ୍କୁ ଦେଲେ ନୀରପେକ୍ଷ ତଦନ୍ତର ଆଶ୍ବାସନା । ପ୍ରତିଶ୍ରୁତି ମୁତାବକ ୧୯ ଜୁଲାଇରେ ଗଠନ ହେଲା ଏସ୍ଆଇଟି । ଏବେ ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଚଳାଇଛି ଏସ୍ଆଇଟି ।