ପୁରୀ: ଆରମ୍ଭ ହୋଇଛି ଦୀଘା ଜଗନ୍ନାଥ ମନ୍ଦିରର ପୂଜାର୍ଚ୍ଚନା କାର୍ଯ୍ୟ। ଆଉ ଏହି ପୂଜା କାର୍ଯ୍ୟରେ ସାମିଲ ଅଛନ୍ତି ଇସ୍କନ ଭକ୍ତ ଓ ପୁରୀ ଦଇତାପତି। ଦୀଘା ଜଗନ୍ନାଥ ମନ୍ଦିରର ଉଦଘାଟନ ଉତ୍ସବକୁ ମାତ୍ର ୪ ଦିନ ବାକି ଥିବା ବେଳେ, କଡ଼ା ସୁରକ୍ଷା ଭିତରେ ମନ୍ଦିରର ନୀତିକାନ୍ତି ସହ କଳସ ଯାତ୍ରା ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି। ୫୬ ଭୋଗ ରନ୍ଧନରେ ଇସ୍କନ ଭକ୍ତ ସାମିଲ ଥିବା ବେଳେ ଯଜ୍ଞ , ପ୍ରାଣ ପ୍ରତିଷ୍ଠା ଭୋଗ ନିବେଦନରେ ସାମିଲ ଅଛନ୍ତି ପୁରୀ ଦଇତାପତି।ପ୍ରଶ୍ନ ଉଠୁଛି ପୁରୀରେ କଟକଣା ପରେ ବି କେମିତି ସାମିଲ ହେଲେ ଦଇତାପତି।
ପଶ୍ଚିମବଙ୍ଗ ଦୀଘାରେ ପ୍ରାୟ ୨୦ ଏକର ଜାଗାରେ, ପୁରୀ ଜଗନ୍ନାଥ ମନ୍ଦିର ସଦୃଶ ନିର୍ମିତ ଦୀଘା ଜଗନ୍ନାଥ ମନ୍ଦିରରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା।ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟାରେ ଏହି ମନ୍ଦିରର ଉଦଘାଟନ ହେବ। ମନ୍ଦିର ଉଦଘାଟନକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ, କଡ଼ା ସୁରକ୍ଷା ଭିତରେ ମନ୍ଦିର ନୀତିକାନ୍ତି ସହ କଳସ ଯାତ୍ରା ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି।ତେବେ ୫୬ ଭୋଗ ରନ୍ଧନରେ ଇସ୍କନ ଭକ୍ତ ସାମିଲ ଥିବା ବେଳେ ଯଜ୍ଞ, ପ୍ରାଣ ପ୍ରତିଷ୍ଠା ଭୋଗ ନିବେଦନରେ ସାମିଲ ହେବେ ପୁରୀ ଦଇତାପତି।
ପୁରୀରୁ ଆସିଥିବା ଦଇତାପତି ଦୀଘା ଜଗନ୍ନାଥ ମନ୍ଦିରରେ କାର୍ଯ୍ୟ ସାରି ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ, ମନ୍ଦିରର ଉପ ମୌରସି ସେମାନଙ୍କୁ ଘୋର ବିରୋଧ କରିବାରୁ ସେମାନେ ଚୁପ୍ ରହି ପଳାଇଥିଲେ।ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ପୂର୍ବରୁ ପୁରୀରେ ଏହାକୁ ନେଇ କଟକଣାକୁ ଜଗନ୍ନାଥ ପ୍ରେମୀ ମାନେ ସ୍ବାଗତ କରିଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ପୁରୀ ଦଇତାପତି ସାମିଲ ହେବା ଓ ଚନ୍ଦନେଶ୍ବର ମନ୍ଦିରକୁ ଆସି ବୁଲି ପ୍ରଚାର କରିବା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି।
ପ୍ରଶ୍ନ ଉଠୁଛି ପୁରୀରେ କଡା ନିର୍ଦ୍ଦେଶ ସତ୍ତ୍ବେ କେମିତି ଦଇତାପତିଙ୍କ ସହ ଅନ୍ୟ ସେବାୟତ ଦୀଘା ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ସାମିଲ ହେଲେ।ପୁରୀରେ ପୁଷ୍ପାଳକ ନିଯୋଗ ପକ୍ଷରୁ ସମସ୍ତ ପୁଷ୍ଫାଳକ ସେବକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି।ଯଦି ଏହି ସମସ୍ତ ନୀତିରେ ଦୀଘାରେ ଯୋଗଦାନ କରିବେ ତାହେଲେ ନିଯୋଗ ବିରୋଧ କାର୍ଯ୍ୟ ବୋଲି ଅଭିହିତ କରାଯାଇ ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏହା ପୂର୍ବରୁ ମଧ୍ୟ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ସୁଆର ମହାସୁଆର ସେବକ ଓ ସଭ୍ୟ, କର୍ମଚାରୀଙ୍କୁ ସତର୍କ କରାଯାଇଥିଲା।