ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ଇଲେକ୍ଟ୍ରିକ୍ ଭେହିକିଲ୍ (ଇଭି) ପଲିସି ୨୦୨୬ ଲଞ୍ଚ ହୋଇଛି । ଏହାକୁ ଆସନ୍ତା ଜୁଲାଇ ୧ରୁ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର ନୂତନ ଇଭି ନୀତିକୁ କ୍ୟାବିନେଟ ମଞ୍ଜୁରି ମିଳିଥିବା ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଦିଲ୍ଲୀ ପାଇଁ ଏହା ବହୁତ ବଡ଼ ଦିନ । ଏହି ନୀତି ୩୧ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ଲାଗୁ ରହିବ । ସିଏମ୍ କହିଛନ୍ତି ଯେ ସାରା ଦେଶରେ ଦିଲ୍ଲୀ ଏକମାତ୍ର ରାଜ୍ୟ ଯିଏ ଇଭି ଉପରେ ସବୁଠାରୁ ଅଧିକ ସବସିଡି ଓ ଅନ୍ୟାନ୍ୟ ସୁବିଧା ଦେଇଥାଏ । ଇଭି ନୀତିରେ ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ, ଗ୍ରାମୀଣ ସେବା ଇତ୍ୟାଦିକୁ ସାମିଲ କରାଯାଇଛି । ସମସ୍ତ Pure EVs ଉପରେ ୧୦୦ ପ୍ରତିଶତ ରୋଡ୍ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଶୁଳ୍କରେ ଛାଡ଼ ମିଳିବ ।

କେଉଁ ଗାଡ଼ି ଉପରେ କେତେ ଛାଡ଼ ?

ନୀତି ଅନୁଯାୟୀ, ଦିଲ୍ଲୀରେ ୧ ଜାନୁଆରୀ ୨୦୨୭ରୁ ତିନି ଚକିଆ ଗାଡ଼ିର ରେଜିଷ୍ଟ୍ରେସନ ଇଲେକ୍ଟ୍ରିକରେ ହେବ । ସେହିପରି ଏପ୍ରିଲ୍ ୨୦୨୮ରୁ ଦୁଇ ଚକିଆ ଗାଡ଼ିର ପଞ୍ଜୀକରଣ କେବଳ ଇଭିରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଦୁଇ ଚକିଆ ଗାଡ଼ି କିଣିବା ଉପରେ ସବସିଡି ଆକାରରେ ପ୍ରଥମ ବର୍ଷ ୩୦,୦୦୦, ଦ୍ୱିତୀୟ ବର୍ଷ ୨୦,୦୦୦ ଏବଂ ତୃତୀୟ ବର୍ଷ ୧୦,୦୦୦ ଟଙ୍କା ସବସିଡି ମିଳିବ । ସେହିପରି ଅଟୋ କିଣିବା ଉପରେ ପ୍ରଥମ ବର୍ଷ ୫୦,୦୦୦, ଦ୍ୱିତୀୟ ବର୍ଷ ୪୦,୦୦୦ ଏବଂ ତୃତୀୟ ବର୍ଷ ୩୦,୦୦୦ ଟଙ୍କା ସବସିଡି ଦିଆଯିବ । ଯାନବାହାନର ଭିନ୍ନ ଭିନ୍ନ ଶ୍ରେଣୀରେ ସ୍କ୍ରାପ୍ ଇନସେଣ୍ଟିଭ୍ ମଧ୍ୟ ଦିଆଯିବ ।

ଚାର୍ଜିଂ ଇନଫ୍ରାଷ୍ଟ୍ରକଚର ବଢ଼ାଇବା ଉପରେ ଜୋର୍

ଇଭି ନୀତି ପାଇଁ ବଡ଼ ସ୍ତରରେ ଚାର୍ଜିଂ ଇନଫ୍ରାଷ୍ଟ୍ରକଚର ବିକଶିତ କରାଯିବ । ଚାର୍ଜିଂ ଇନଫ୍ରାଷ୍ଟ୍ରକଚର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ୍ୟ ମାର୍ଗଗୁଡ଼ିକରେ ବିକଶିତ କରାଯିବ । ଲୋକମାନେ ବ୍ୟକ୍ତିଗତ ଭାବରେ ବି ଚାର୍ଜିଂ ଇନଫ୍ରାଷ୍ଟ୍ରକଚର ବିକଶିତ କରିପାରିବେ । ଏହା ଉପରେ କାମ କରିବା ପାଇଁ DISCOMsକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଇଭି ଉପରେ ସବସିଡି ନିଆଯିବ, ତାହାକୁ ୩ ବର୍ଷ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରେ ପଞ୍ଜୀକୃତ କରାଯାଇପାରିବ ନାହିଁ ।