ନୂଆଦିଲ୍ଲୀ , ୧୧|୧୧:  ଦିଲ୍ଲୀ ବିସ୍ଫୋରଣକୁ ନେଇ ସାରା ଦେଶରେ ହାଇ ଆଲର୍ଟ । ଲାଲକିଲ୍ଲା ନିକଟରେ ଥିବା ମେଟ୍ରୋ ଷ୍ଟେସନ ବାହାରେ ହୋଇଥିବା ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଛି । ଦେଶର ରାଜଧାନୀରେ ଘଟିଥିବା ଏହି ଅଘଟଣରେ ୧୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । କାରରେ ବିସ୍ଫୋରକ ରଖି ଏତେ ବଡ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି ତଦନ୍ତକାରୀ ସଂସ୍ଥା ।

ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ହେଲା, ଘଟଣାସ୍ଥଳରୁ ଅନେକ ମୃତଦେହ ମିଳିଛି । ଯାହାର ଡିଏନଏ ଟେଷ୍ଟ କରାଯିବ । ଫଳରେ କାରରେ ଥିବା ବ୍ୟକ୍ତି ଉମର ମହମ୍ମଦ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ । କାରକୁ ସେ ଚଲାଉଥିବା ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି । ସିସିଟିଭି ଫୁଟେଜରୁ ଏନେଇ କିଛି ପ୍ରମାଣ ମିଳିଛି ।

ଏହି ଘଟଣା ସେହିଦିନ ଘଟିଛି ଯେଉଁ ଦିନ ଫରିଦାବାଦରୁ ବିପୁଳ ପରିମାଣରେ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଥିଲା । ବିସ୍ଫୋରକ ଜବତ ପରେ ପୋଲିସ ମହମ୍ମଦର ସନ୍ଧାନ ଆରମ୍ଭ କରିଦେଇଥିଲା । ସୂତ୍ରାନୁସାରେ, କାରରେ ଏକା ଥିଲା ମହମ୍ମଦ । ଅନ୍ୟ ଦୁଇ ସାଥୀଙ୍କ ସହ ସେ ଆକ୍ରମଣର ଯୋଜନା କରିଥିଲା । ଲଗତାର ଚଢଉ ପରେ ସେ ଗିରଫ ହେବା ଭୟରେ ରହିଥିଲା । ତେଣୁ ତୁରନ୍ତ ବିସ୍ଫୋରଣ କରିବା ପାଇଁ ପ୍ଲାନ୍ କରିଥିଲା ।

ଶେଷ ଥର ପାଇଁ ଆଇ-20 କାରକୁ ବଦରପୁର ସୀମାରେ ଠାବ କରାଯାଇଥିଲା । ଦିଲ୍ଲୀରେ ପ୍ରବେଶ କରିବା ପରେ ଏହା ଲାଲକିଲ୍ଲା ଅଭିମୁଖେ ଯାଇଥିଲା । ଏହାପରେ ସୁନହରୀ ମସଜିଦ ଆଗରେ ତିନି ଘଣ୍ଟା ଧରି କାରକୁ ପାର୍କିଂ କରାଯାଇଥିଲା । ୬ଟା ୪୮ରେ ପାର୍କିଂରୁ ବାହାରିଲା ପରେ ୬ଟା ୫୫ରେ ବ୍ଲାଷ୍ଟ ହୋଇଥିଲା । ଏବାବଦରେ ପୋଲିସ ୧୦୦ଟି ସିସିଟିଭି ଫୁଟେଜକୁ ଦେଖିବା ପରେ ସୂଚନା ପାଇଛି । ପାଖରେ ଥିବା ଟୋଲ୍ ଗେଟର ସିସି କ୍ୟାମେରାକୁ ତନ୍ନତନ୍ନ କରି ଯାଞ୍ଚ୍ କରାଯାଉଛି ।

କୁହାଯାଉଛି ଯେ. ଆଇ୨୦ କାରର ମାଲିକ ହେଲେ ମହମ୍ମଦ ସଲମାନ । ସେ ଜମ୍ମୁ କାଶ୍ମୀରରେ ରୁହନ୍ତି । କିଛି ଦିନ ତଳେ ସେ କାରକୁ ନଦିମ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ । ପରେ କାରକୁ ତାରିକ ନାମକ ଜଣେ ବ୍ୟକ୍ତି କିଣିଥିଲେ । ପରେ ଏହା ଉମର ପାଖକୁ ଯାଇଥିଲା ।

ତେବେ ତାରିକକୁ ପୋଲିସ ସୋମବାର ଗିରଫ କରିଛି । କିନ୍ତୁ ଗାଡିର ଆରସିରେ ତାରିକର ନାଁ ନାହିଁ । କାରଣ ୨୦୧୫ରେ ସେ ଏହାକୁ ଉମରକୁ ବିକ୍ରି କରିଦେଇଥିଲା । ଏହା ସହ ଆମିର ନାମକ ଆଉ ଜଣେ ବ୍ୟକ୍ତିର ନାଁ ମଧ୍ୟ କାର୍ କନେକ୍ସନରେ ସାମିଲ ହୋଇଚି । ଉଭୟ ତାରିକ ଏବଂ ଆମୀରକୁ ପୋଲିସ ଗିରଫ କରି ପଚରାଉଚୁରା କରୁଛି । ପ୍ରଥମେ କାରରେ ତିନି ଜଣ ଥିବା କୁହାଯାଇଥିଲା । ପରେ ପୋଲିସ କେବଳ ଉମର ହିଁ ବସିଥିବା କହିଛି ।  ଏଥିରୁ ଜଣାପଡୁଛି ଯେ ଆକ୍ରମଣ ପାଇଁ ବହୁ ଆଗରୁ ଯୋଜନା ହୋଇଥିଲା । ଯାହାକୁ ସୋମବାର ଚୂଡାନ୍ତ ରୂପ ଦିଆଯାଇଥିଲା ।