ନୂଆଦିଲ୍ଲୀ, ୨୦|୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସୀମାରେ । କୁହୁଡି ସାଙ୍ଗକୁ ବିଷାକ୍ତ ବାୟୁରେ ଘାଣ୍ଟି ହେଉଛନ୍ତି ଦିଲ୍ଲୀବାସୀ । ଜନଜୀବନ ଅସ୍ତବ୍ୟସ୍ତ ହୋଇ ଗଲାଣି । ପ୍ରଦୂଷଣ ରୋକିବା ପାଇଁ ଅନେକ ବ୍ୟବସ୍ଥା କରାଯାଉଥିଲେ ବି ତାହା ଫେଲ୍ ମାରୁଛି । ଏଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଠିକ୍ ରହିପାରିବ ସେନେଇ କୋର୍ଟ ପରାମର୍ଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ବିଆର ଗଭାଇ ଏବଂ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଦିଲ୍ଲୀରେ ବାୟୁମଣ୍ଡଳ ଅତି ବିଷାକ୍ତ ହୋଇପଡିଛି । ଯାହାକୁ ରୋକିବା ଦରକାର । କୋର୍ଟ ଏହା ଉପରେ ନଜର ରଖୁଛନ୍ତି । ଅନେକ ସ୍ଥାନରେ ଯୁବକମାନେ ଘରେ ଏୟାର ପ୍ୟୁରିଫାୟର ସାହାଯ୍ୟରେ ରହୁଛନ୍ତି । କିନ୍ତୁ ଛୋଟ ଶିଶୁ ବାହାରେ ଖେଳକୁଦ କରୁଛନ୍ତି । ବିଭିନ୍ନ ସ୍କୁଲରେ ମଧ୍ୟ ପ୍ରତିଯୋଗିତା ହେଉଛି । ବିଷାକ୍ତ ବାୟୁ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ ।

କେବଳ ଏତିକି ନୁହେଁ କୋର୍ଟ ସ୍ଥାନୀୟ ପ୍ରଶାସନକୁ ବିଭିନ୍ନ ସ୍କୁଲକୁ ମାର୍ଗଦର୍ଶିକା ଜାରି କରିବାକୁ କହିଛନ୍ତି । ଯେଉଁଥିରେ ସ୍କୁଲମାନଙ୍କୁ ବିଭିନ୍ନ କ୍ରୀଡା ଉତ୍ସବକୁ ଘୁଞ୍ଚାଇ ଦେବାକୁ କୁହାଯିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଅନ୍ୟ ଦିଗରେ କୋର୍ଟରେ ସଲିସିଟର ଜେନେରାଲ କହିଛନ୍ତି ଯେ, ସରକାର ବିଭିନ୍ନ ବିଭାଗ ସହ ଦିଲ୍ଲୀ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଯେଉଁଥିରେ ସ୍ଥାୟୀ ସମାଧାନ ବାବଦରେ ଆଲୋଚନା ହେଉଛି ।

ସେ ଆହୁରି କହିଥିଲେ ଯେ, ୨୦୧୮ରୁ ସରକାର ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାକୁ ନୀତି ପ୍ରଣୟନ କରିଛନ୍ତି । କିନ୍ତୁ ତଳ ସ୍ତରରେ କର୍ମଚାରୀଙ୍କ ଅଭାବ ରହିଛି । ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଆଗକୁ ସରକାର ଏଦିଗରେ ଯତ୍ନବାନ ହେବେ ବୋଲି ସଲିସିଟର ଜେନେରାଲ ମତ ରଖିଥିଲେ ।