LIVE TV

ଜାତିସଂଘରେ ବୟକଟ୍‌ର ସାମନା କଲେ ନେତାନ୍ୟାହୁ, ଭାଷଣ ବେଳେ ଅନେକ ଦେଶର ପ୍ରତିନିଧି କଲେ କକ୍ଷ ତ୍ୟାଗ

NEWS7
netanyahu

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଜାତିସଂଘ ମହାସଭାକୁ ସମ୍ୱୋଧନ କରିଛନ୍ତି । ନିଜ ସମ୍ୱୋଧନରେ ସେ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ କାମ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଲଗାତାର ବଢୁଥିବା ଅନ୍ତର୍ଜାତୀୟ ଚାପ ଓ ବିଦ୍ରୋହ ମଧ୍ୟରେ ନେତାନ୍ୟାହୁଙ୍କ ଏହି ବୟାନ ଆସିଛି । ତେବେ ଆଜି ଯେତେବେଳେ ନେତନ୍ୟାହୁ ମଞ୍ଚ ଉପରକୁ ଉଠିଥିଲେ, ସେତେବେଳେ ଅନେକ ଦେଶର ପ୍ରତିନିଧି ତାଙ୍କୁ ବୟକଟ୍ କରିଥିଲେ । ଜାତିସଂଘ ବୈଠକ କକ୍ଷରୁ ସାମୂହିକ ଭାବେ ବାହାରକୁ ଚାଲି ଯାଇଥିଲେ ଓ କକ୍ଷ ପ୍ରାୟ ଖାଲି ହୋଇଯାଇଥିଲା । ତଥାପି ନେତନ୍ୟାହୁ ନିଜ ଭାଷଣ ଜାରି ରଖିଥିଲେ ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଯେତେବେଳେ ମଞ୍ଚ ଉପରକୁ ଉଠି ଭାଷଣ ହେବା ଆରମ୍ଭ କରିଥିଲେ, ସେତେବେଳେ ହଲ୍‌ରେ ହୋହଲ୍ଲା ଆରମ୍ଭ ହୋଇଥିଲା । ଅନେକ ଦେଶର ପ୍ରତିନିଧି କକ୍ଷ ତ୍ୟାଗ କରିଥିବା ବେଳେ ଆମେରିକାର ପ୍ରତିନିଧିମଣ୍ଡଳ ତାଙ୍କ ସମର୍ଥନରେ ବସି ରହିଥିଲେ । କେବଳ ସେତିକି ନୁହେଁ, ନେତାନ୍ୟାହୁଙ୍କ ଭାଷଣ ଆରମ୍ଭ ସମୟରେ କିଛି ଦେଶର ପ୍ରତିନିଧି ତାଳି ମାରି ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ରିପୋର୍ଟ ଅନୁସାରେ ନେତାନ୍ୟାହୁ ଭାଷଣ ଆରମ୍ଭ କରିବା ସମୟରେ ଏକ ନକ୍ସା ଓ QR କୋଡ୍ ବ୍ୟବହାର କରିଥିଲେ । ନକ୍ସା ଉପରେ ଏକ ବଡ଼ ଚିହ୍ନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ପରେ ସେ ନିଜ ସୁଟ୍ ଜ୍ୟାକେଟ୍ ଉପରେ କ୍ୟୁଆର୍ କୋଡ୍ ଲଗାଇଥିଲେ ଓ ଏକ ବୋର୍ଡ ଦେଖାଇଥିଲେ, ଯାହା ଉପରେ ମଲ୍ଟିପଲ୍ ଚଇସ୍ କ୍ୱେଶ୍ଚିନ (ଏମସିକ୍ୟୁ) ଲେଖିଥିଲେ । ପଟେ ତାହାକୁ ପଢି ଶ୍ରୋତାଙ୍କୁ ଶୁଣାଇଥିଲେ । ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବାରମ୍ୱାର ପ୍ରଶଂସା କରିଥିଲେ ।

ଭାଷଣ ପୂର୍ବରୁ, ସେ ଇସ୍ରାଏଲୀ ସେନାକୁ ଗାଜା ଷ୍ଟ୍ରିପ୍ ଚାରିପାଖରେ ଲାଉଡସ୍ପିକର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆକ୍ସିଓସ୍ ନ୍ୟୁଜ୍ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁଙ୍କ ଭାଷଣ ସମୟରେ ପ୍ରାୟ ସମସ୍ତ ଆରବ ଏବଂ ମୁସଲିମ ଦେଶର ପ୍ରତିନିଧିମାନେ କକ୍ଷ ତ୍ୟାଗ କରିଥିଲେ । ଆଫ୍ରିକୀୟ ଦେଶ ଏବଂ କିଛି ୟୁରୋପୀୟ ଦେଶର ପ୍ରତିନିଧିମାନେ ମଧ୍ୟ ତାଙ୍କ ସହିତ କକ୍ଷ ତ୍ୟାଗ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ନେତାନ୍ୟାହୁ ଯୁଦ୍ଧ ଅପରାଧର ଅଭିଯୋଗ ଏବଂ ଯୁଦ୍ଧ ବନ୍ଦ କରିବା ପାଇଁ ଚାପର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ଭାଷଣ ତାଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିଜର ମତାମତ ଜାହିର କରିବାର ଏକ ପ୍ରମୁଖ ସୁଯୋଗ ଥିଲା । କିଛି ଦିନ ପୂର୍ବେ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଦେଶଗୁଡ଼ିକ ଏକ ସ୍ୱାଧୀନ ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେଇଛନ୍ତି । ତଥାପି, ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଦୁଇ-ରାଷ୍ଟ୍ର ସମାଧାନ ପାଲେଷ୍ଟାଇନ ଏବଂ ହମାସ ପାଇଁ ଏକ ପୁରସ୍କାର ହେବ, ଏବଂ ସେ ଏହାକୁ କେବେ ଗ୍ରହଣ କରିବେ ନାହିଁ ।