ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନାଁ କାହିଁକି ରଖାଗଲା ସେବା ତୀର୍ଥ ? ପିଏମ୍ ମୋଦୀ କହିଲେ ଏହା ପଛର ଦର୍ଶନ ଓ ସଂକଳ୍ପ

NEWS7
deepika-padukone-in-bafta

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହା ପରେ ସେ ରାଷ୍ଟ୍ରକୁ ସମ୍ୱୋଧନ ମଧ୍ୟ କରିଛନ୍ତି । ଏହି ସମୟରେ ପିଏମ୍ ମୋଦୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାଁ ସେବା ତୀର୍ଥ କାହିଁକି ରଖାଗଲା, ତାହା ସ୍ପଷ୍ଟ କରିଛନ୍ତି । ଏପରିକି ଏହା ପଛର ଦର୍ଶନ ଓ ସଂକଳ୍ପ ବିଷୟରେ ମଧ୍ୟ କହିଛନ୍ତି । ପିଏମ୍ କହିଛନ୍ତି ଯେ ସେବା ହିଁ ସବୁଠୁ ବଡ଼ ଧର୍ମ ଅଟେ । ସେବା ଭାବନା ହିଁ ଭାରତର ଆତ୍ମା ଅଟେ । ନାମ ପରିବର୍ତ୍ତନ କରିବା ପଛରେ ସ୍ୱାଧୀନ ଭାରତର ପରିଚୟ ରହିଛି । ସେ ଆହୁରି କହିଛନ୍ତି, ସେବା ଭାବନା ଭାରତର ପରିଚୟ । ସ୍ୱାଧୀନତା ପରେ ସାଉଥ୍ ବ୍ଲକ୍, ନର୍ଥ ବ୍ଲକ୍ ପରି ବିଲ୍ଡିଂରୁ ଦେଶ ପାଇଁ ଅନେକ ନିଷ୍ପତ୍ତି, ନୀତି ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଏହା ମଧ୍ୟ ସତ ଯେ ଏହି ବିଲ୍ଡିଂ ବ୍ରିଟିଶ ସାମ୍ରାଜ୍ୟର ପ୍ରତୀକ ଭାବେ ନିର୍ମାଣ କରାଯାଇଥିଲା । ଏହି ବିଲ୍ଡିଂକୁ ନିର୍ମାଣ କରିବାର ଉଦ୍ଦେଶ୍ୟ ଥିଲା ଭାରତକୁ ଗୋଲାମୀର ଶିକୁଳିରେ ବାନ୍ଧି ରଖିବା ଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଯେତେବେଳେ ଭାରତ ରିଫର୍ମ ଏକ୍ସପ୍ରେସରେ ଯାତ୍ରା କରୁଛି, ଆଜି ଯେତେବେଳେ ଭାରତ ଅନ୍ତର୍ଜାତୀୟ ସମ୍ପର୍କର ନୂଆ ଗାଥା ଲେଖୁଛି, ଭାରତ ନୂଆ-ନୂଆ ବୁଝାମଣା କରି ସମ୍ଭାବନାର ନୂଆ ଦ୍ୱାର ଖୋଲୁଛି । ଯେତେବେଳେ ଦେଶର ସଂତୃପ୍ତିର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି ସେତେବେଳେ ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନରେ ଆପଣ ଆପଣଙ୍କ କାମର ନୂଆ ଗତି ଓ ଆପଣଙ୍କ ନୂଆ ଆତ୍ମବିଶ୍ୱାସ ଦେଶର ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ପରି ବିଲ୍ଡିଂ, ଯେଉଁଠି ବ୍ରିଟିଶ ଶାସନର ବିଚାରକୁ ଲାଗୁ କରିବା ପାଇଁ ନିର୍ମାଣ କରାଯାଇଥିଲା । ଆଜି ଗର୍ବର ସହ କହିପାରିବି ଯେ ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନ ପରି ନୂଆ ପରିସର ଭାରତର ଜନଆକାଂକ୍ଷାକୁ ପୂରା କରିବା ପାଇଁ ହୋଇଛି । ଏଠାରେ ଯେଉଁ ନିଷ୍ପତ୍ତି ହେବ, କୌଣସି ମହାରାଜାଙ୍କ ଚିନ୍ତାକୁ ନୁହେଁ ବରଂ ୧୪୦ କୋଟି ଦେଶବାସୀଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବାର ଆଧାର ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ପରିବର୍ତ୍ତନ ନିଶ୍ଚିତ ଭାବେ ପୁରୁଣା ଭବନରେ ବିତିଥିବା ଅନେକ ବର୍ଷର ସ୍ମୃତି ଆମ ସହ ରହିବ । ଭିନ୍ନ ଭିନ୍ନ ସମୟରେ ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ସେଠାରୁ ଦେଶକୁ ନୂଆ ଦିଗ ମିଳିଛି । ସେଇ ପରିସର, ସେଇ ବିଲ୍ଡିଂ ଭାରତର ଇତିହାସର ଅମର ଅଂଶ । ଆମେ ସେହି ଭବନକୁ ଦେଶ ପାଇଁ ସମର୍ପିତ ମ୍ୟୁଜିୟମ ରହିବା ପାଇଁ ନିଷ୍ପତ୍ତି ନେଇଛୁ ।