ବାରିପଦା ୨୪।୧୧: ମିଳିଲା ନିଖୋଜ ଓକିଲଙ୍କ ପତ୍ତା । ୩ ମାସ ତଳୁ ଘରୁ କୁଆଡେ ପଳାଇଥିଲେ । ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଏବେ ମିଳିଛି ଗଳିତ ମୃତଦେହ । ତେବେ ନିଖୋଜର ଏତେ ଦିନ ପରେ ଗଳିତ ମୃତଦେହ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

​​​​​​​

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ ଏକ କାର୍ ପଡିଥିବା ନେଇ ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକ । ଏହା ଦେଖି ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ । ପରେ କାର୍ ଭିତରୁ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକଙ୍କ ପରିଚୟ ମଧ୍ୟ ମିଳିଛି । ମୃତ ଯୁବକ ବିଶୋଇ ଅଞ୍ଚଳର ୪୨ ବର୍ଷୀୟା ଗୁଲେଶ ଗୋଚ୍ଛାୟତ । ଖବର ପାଇ ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ସେପ୍ଟେମ୍ବର ୧୧ ତାରିଖରେ ଯୁବକ ଜଣଙ୍କ ନିଖୋଜ ହୋଇଥିଲେ ବୋଲି କୁହାଯାଉଛି ।