ଭୁବନେଶ୍ଵର: କାଲି ନୂଆପଡ଼ା ଉପ ନିର୍ବାଚନର ଫଳାଫଳ । ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଖୋଲିବ EVM । କାହା ସପକ୍ଷରେ ଆସିଛି ଜନାଦେଶ । ଧଡ଼ ଧଡ଼ ହେଲାଣି ପ୍ରାର୍ଥୀ ଛାତି । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ବାଲଟ ପେପର ଗଣତି ହେବ । ଏହା ପରେ ୮ଟା ୩୦ରେ EVM ଖୋଲାଯାଇ ଗଣତି ହେବ । ସେପଟେ ଫଳାଫଳ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବୁଥ୍ ରିଗିଂ ଅଭିଯୋଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା ।

ତାରିଖ -୧୪ । ପ୍ରାର୍ଥୀ - ୧୪ । ଟେବୁଲ୍ - ୧୪ । ରାତି ପାହିଲେ ନୂଆପଡ଼ା ଉପ ନିର୍ବାଚନର ଫଳାଫଳ । ଏହାରି ଭିତରେ ୧୪ ଅଙ୍କକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ କାଉଣ୍ଟିଂ ପାଇଁ ପ୍ରସ୍ତୁତ ହୋଇଥିବା ୧୪ ଟେବୁଲ । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ବାଲଟ ପେପର ଗଣତି ହେବ । ଏହା ପରେ ୮ଟା ୩୦ରେ EVM ଖୋଲାଯାଇ ଗଣତି ହେବ ।

ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ବରେ ରହିବେ । ତାଙ୍କୁ ସହଯୋଗ କରିବେ କାଉଣ୍ଟି ଆସିଷ୍ଟାଣ୍ଟ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଏହା ସହ ଭୋଟ ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣିଂ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଭୋଟ୍ ଗଣତି କେନ୍ଦ୍ର । ନୂଆପଡ଼ା ନ୍ୟାସନାଲ କଲେଜ୍ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ ଓ ଭୋଟ୍ ଗଣତି କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ସୁରକ୍ଷା ବାହିନୀ । ଏଥି ସହ ଦୁଇ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ସେପଟେ ଭୋଟ୍ ଗଣତି ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି | ବୁଥ ରିଗିଂ କୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା । ବିଜେଡିର ଅଭିଯୋଗ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ବେଳେ ବୁତ୍ ରିଗିଂ କରିଛି ଶାସକ ଦଳ ବିଜେପି । ୪୧ଟି ବୁଥରେ ଭୋଟ ହାର ୯୧ ପ୍ରତିଶତରୁ ଅଧିକ ହୋଇଛି । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ | ଏହା ଜନାଦେଶ ନା ଯନ୍ତ୍ରାଦେଶ ବୋଲି ପ୍ରଶ୍ନ କରିଛି ବିଜେଡି | ଏହି ୪୧ଟି ବୁଥର ସିସିଟିଭି ଫୁଟେଜ ଦେଖାଇବାକୁ ଦାବି କରିଛି ଦଳ ।

ବିଜେଡିର ଏଭଳି ଅଭିଯୋଗର କାଉଣ୍ଟର କରିଛି ବିଜେପି । ବିଜେପି ନେତା କହିଛନ୍ତି, ନୂଆପଡାରେ ବିଜେପି ଲମ୍ବା ବ୍ୟବଧାନରେ ଜିତିବାକୁ ଯାଉଥିବାରୁ ଏହା ବିଜେଡିର ହତାଶାର ପ୍ରତିଫଳନ । ସେପଟେ ନୂଆପଡ଼ା ଉପ ନିର୍ବାଚନରେ ୨୫ହଜାର ଭୋଟରେ ଜିତିବେ ବୋଲି ଦାବି କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

ଏଥର ନୂଆପଡା ଭୋଟିଂରେ ରେକର୍ଡ କରିଥିବା ବେଳେ ଫଳାଫଳକୁ ନେଇ ସାଧାରଣରେ ବଢ଼ିଛି ଉତ୍କଣ୍ଠା । ନୂଆପଡ଼ା ଫଳାଫଳ ସରକାର ଉପରେ ସିଧା ସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ ।