ମୁମ୍ବାଇ : ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର ରାସ୍ତା ହୁଡି ଯାଇଥିଲା। ତେବେ ସମୟ ପୂର୍ବରୁ ପାଇଲଟ ଏହା ଜାଣିପାରି ଜୁହୁସ୍ଥିତ ପବନ ହଂସ ହେଲିପ୍ୟାଡରେ ହେଲିକପ୍ଟରକୁ ସୁରକ୍ଷିତ ଅବତରଣ କରାଇ ଦେଇଛନ୍ତି। ଏହି ଘଟଣାରେ କେହି ପ୍ରଭାବିତ ହୋଇ ନାହାନ୍ତି ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସମେତ ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଗୁରୁବାର ଠାଣେ ଗ୍ରାମୀଣ କ୍ଷେତ୍ରରେ ଘଟିଛି। ଏକନାଥ ସିନ୍ଦେ ତାଙ୍କ ପାର୍ଟି ସଦସ୍ୟଙ୍କ ପରିବାରରେ ବିବାହୋତ୍ସବକୁ ଯୋଗ ଦେବାକୁ ହେଲିକପ୍ଟରରେ ମୁମ୍ବାଇରୁ ମୁରବାଦ ଯାଉଥିଲେ।

ଏକନାଥ ସିନ୍ଦେଙ୍କୁ ନେଇ ହେଲିକପ୍ଟର ଅପରାହ୍ନ ୩ଟା ୩୦ ମିନିଟ୍ ରେ ମହାଲକ୍ଷ୍ମୀ ରେସକୋର୍ସ ହେଲିପ୍ୟାଡରୁ ଉଡାଣ କରିଥିଲେ। ହେଲିକପ୍ଟର ଏରୋଲି ନିକଟରେ ପହଞ୍ଚିବା ବେଳକୁ ସାମ୍ନାରୁ ଆସୁଥିବା ଝଡ଼କୁ ଦେଖି ପାଇଲଟ ସିନ୍ଦେଙ୍କୁ ଜଣାଇଥିଲେ। ଏଣୁ ଆଉ ଆଗକୁ ନ ଯାଇ ଫେରିଯିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ପାଇଲଟ ତୁରନ୍ତ ହେଲିକପ୍ଟରକୁ ବୁଲାଇ ଥିଲେ ଓ ଜୁହୁ ନିକଟସ୍ଥ ପବନ ହଂସ ହେଲିପ୍ୟାଡରେ ସଫଳତା ପୂର୍ବକ ଅବତରଣ କରିଯାଇଥିଲେ। ଏହି ହେଲିକପ୍ଟରରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ତାଙ୍କ ବ୍ୟକ୍ତିଗତ ସହାୟକ ପ୍ରଭାକର କାଲେ, ବାଲ ସିଂହ ରାଜପୁତ, ଲୋକସମ୍ପର୍କ ବିଭାଗ ଅଧିକାରୀ, ସୁରକ୍ଷା ଗାର୍ଡ ଓ ଏୟାରଲାଇନ୍ ପ୍ରତିନିଧି ଥିଲେ।

ହେଲିକପ୍ଟର ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନକୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଜାନୁୟାରୀ ୨୮ ତାରିଖ ଦିନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପୁଷ୍ଟି କରିଥିଲେ ଯେ ବିମାନରେ ଯାତ୍ରା କରୁଥିବା ଅଜିତ ପାୱାରଙ୍କ ସମେତ ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି।