News7 Logo

UPI ୟୁଜରଙ୍କ ପାଇଁ ବଡ଼ ଖବର; ଦିନକରେ ୧୦ଲକ୍ଷର କରିପାରିବେ ପେମେଣ୍ଟ

NEWS7
upi

ନୂଆଦିଲ୍ଲୀ ୧୭।୦୯: UPI ୟୁଜରଙ୍କ ପାଇଁ ବଡ଼ ଖବର । ବଢିଲା ଟ୍ରାଞ୍ଜାକ୍‌ସନ୍‌ ଲିମିଟ୍ । ଏଣିକି UPI ୟୁଜରମାନେ ଗୋଟିଏ ଦିନରେ ୧୦ଲକ୍ଷ ଟଙ୍କାର କରିପାରିବେ ପେମେଣ୍ଟ । ଏବେ ଥରକରେ ହୋଇପାରିବ ୫ ଲକ୍ଷ । UPIର ଟ୍ରାଞ୍ଜାକ୍‌ସନ ନିୟମରେ ଏହି ଅତ୍ୟାବଶ୍ୟକୀୟ ପରିବର୍ତ୍ତନ କରିଛି NPCI । ଏହି ନିୟମ ୧୫ ସେପ୍ଟେମ୍ବର ବା ସୋମବାର ଠାରୁ ଲାଗୁ ହୋଇଛି ।

ବର୍ତ୍ତମାନ ଇନ୍‌ସୁରାନ୍ସ, ପୁଞ୍ଜି ବଜାର, ଲୋନ୍ EMI ଏବଂ ଟ୍ରାଭେଲ୍ ଭଳି କ୍ଷେତ୍ରରେ ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ତେବେ NPCI କହିଛି ଯେ ଏହି ନିୟମଗୁଡ଼ିକ କେବଳ ପର୍ସନ୍ ଟୁ ମର୍ଚ୍ଚାଣ୍ଟ୍ ବା P2M ପେମେଣ୍ଟ ପାଇଁ ଲାଗୁ ହେବ । ଏହାର ଅର୍ଥ ହେଉଛି ବ୍ୟବସାୟୀ କିମ୍ବା ସଂସ୍ଥାଗୁଡ଼ିକୁ କରାଯାଉଥିବା ପେମେଣ୍ଟ ପାଇଁ ଏହି ନୂଆ ନିୟମ ଲାଗୁ ହେବ ଆଉ ପର୍ସନ ଟୁ ପର୍ସନ ବା P2P ଲିମିଟ୍‌ ପୂର୍ବ ପରି ରହିବ । ଯାହା ପ୍ରତିଦିନ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।

ଏହି ନୂଆ ନିୟମ ଅନୁସାରେ ଇନ୍‌ସୁରାନ୍ସ ପ୍ରିମିୟମ ଏବଂ ପୁଞ୍ଜି ବଜାର ନିବେଶର ସୀମା ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାସହିତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇପାରିବ । ସେହିପରି ଟ୍ରାଭେଲ୍ କ୍ଷେତ୍ରରେ ଏକାଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ କରାଯାଇପାରିବ । ପୂର୍ବରୁ ଏହି ଲିମିଟ୍ ୧ ଲକ୍ଷ ଟଙ୍କା ଥିଲା।

ଏହାବ୍ୟତୀତ ସରକାରୀ ଇ-ମାର୍କେଟପ୍ଲେସରେ ଟ୍ୟାକ୍ସ୍ ଏବଂ EMD ପେମେଣ୍ଟ ଏବେ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ । ଲୋନ୍ ଏବଂ EMI କଲେକ୍‌ସନ୍ ପାଇଁ ଟ୍ରାଞ୍ଜାକ୍‌ସନ୍ ଲିମିଟ୍ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଏବେ ଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ। ସେହିପରି UPI ମାଧ୍ୟମରେ ଆପଣ ଏକାଥରକେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଳଙ୍କାର କିଣିପାରିବେ । ଆଉ ଦିନକୁ ୬ ଲକ୍ଷ ଟଙ୍କାର ଅଳଙ୍କାର କିଣିପାରିବେ।