ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ୍’ର ଗତିପଥକୁ ନେଇ ଦ୍ୱନ୍ଦ୍ୱ। ବଦଳୁଛି ମଡେଲ ଆକଳନ। ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାରେ କିଛିଟା ମନ୍ଥରତା ଦେଖାଦେଇଥିବା ବେଳେ ଆଗାମୀ ୩୬ ଘଣ୍ଟା ପରେ ଏହାର ତୀବ୍ରତା ବୃଦ୍ଧି ପାଇପାରେ ବୋଲି ମଡେଲରୁ ସୂଚନା ମିଳୁଛି। ଅନ୍ୟପଟେ ବାତ୍ୟାର ଗତିପଥରେ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେଉଛି। ପୂର୍ବରୁ ବାତ୍ୟାଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପରେ ପୂର୍ବ-ଉତ୍ତରପୂର୍ବ ଦିଗକୁ ଗତି କରିଥିଲା।

ବର୍ତ୍ତମାନ ଏହାର ଗତିପଥ ଉତ୍ତର-ପଶ୍ଚିମ ଦିଗ, ଅର୍ଥାତ୍ ତେଲେଙ୍ଗାନା ଆଡ଼କୁ ରହିଥିବା ଆକଳନ କରାଯାଉଛି। ଏହି ପରିବର୍ତ୍ତନ ଯୋଗୁଁ ବାତ୍ୟା କେଉଁଠି ଓ କେବେ ସ୍ଥଳଭାଗ ଅତିକ୍ରମ କରିବ, ତାହାର ସମୟ ଓ ସ୍ଥାନରେ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନର ଆକଳନ ଅନୁଯାୟୀ, ୨୦ ନଭେମ୍ବର ପୂର୍ବରୁ ଲ୍ୟାଣ୍ଡଫଲ୍ର ସମ୍ଭାବନା କମ୍ ରହିଛି।

ବାତ୍ୟାର ଗତିପଥ ଯାହା ହେଉ ନା କାହିଁକି, ଏହାର ପ୍ରଭାବରେ ବାୟୁ ପ୍ରବାହର ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୮ରୁ ୨୦ ନଭେମ୍ବର ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।୧୯ ନଭେମ୍ବର ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିପାରେ। ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି।

ବାତ୍ୟା ଯେଉଁ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ, ସେଠାରେ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ। ତେବେ ଓଡ଼ିଶାରେ ପବନର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହିବା ସମ୍ଭାବନା ରହିଛି। ରାଜ୍ୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୪୦ରୁ ୫୦ କିଲୋମିଟର ରହିପାରେ।