ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏହା ପୂର୍ବରୁ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଶାସକ ଓ ବିରୋଧୀ ଦଳ। ମଙ୍ଗଳବାର ବସିବ ବିଜେପି ଓ ବିଜେଡି ବିଧାୟକ ଦଳର ପୃଥକ ବୈଠକ। ଅଧିବେଶନରେ ବିରୋଧୀଙ୍କ ପ୍ରଶ୍ନର କିଭଳି ଜବାବ ଦିଆଯିବ ଏବଂ ସରକାରଙ୍କୁ କେଉଁ ପ୍ରସଙ୍ଗରେ ଘେରାଯିବ, ସେନେଇ ହେବ ଆଲୋଚନା।

ଆଜି ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଚଳିତ ଶୀତ ଅଧିବେଶନରେ ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଘେରିବ ଦଳ, ସେନେଇ ପ୍ରସ୍ତୁତ ହେବ ରଣନୀତି। ବିଶେଷ କରି ବନ୍ୟା ମୁକାବିଲାରେ ସରକାରଙ୍କ ବିଫଳତା, କୋଟିଆରେ ଆନ୍ଧ୍ରର ନିର୍ବାଚନ, ଆଇନଶୃଙ୍ଖଳା ପରିସ୍ଥିତି ଓ ମହାନଦୀ ଜଳ ବିବାଦ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବ ବିଜେଡି।

ସେହିପରି ଆଜି ସନ୍ଧ୍ୟା ୬ଟାରେ ବିଧାନସଭାର ୫୪ ନମ୍ବର ହଲରେ ବସିବ ବିଜେପି ବିଧାୟକ ଦଳ ବୈଠକ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଅଧିବେଶନ ସମୟରେ ବିରୋଧୀଙ୍କ ପକ୍ଷରୁ ଉଠିବାକୁ ଥିବା ପ୍ରସଙ୍ଗର କିଭଳି ମୁକାବିଲା କରାଯିବ, ସେନେଇ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରାଯିବ।

ଚଳିତ ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ତେଣୁ ଏଥର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ତର୍କବିତର୍କ ହେବାର ସମ୍ଭାବନା ରହିଛି। ବନ୍ୟା ପରିଚାଳନା, କୋଟିଆ, ମହାନଦୀ ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ଏଥର ଅଧିବେଶନକୁ ସରଗରମ କରିପାରେ। ଏବେ ନଜର ରହିଛି, ବିରୋଧୀଙ୍କ ପ୍ରଶ୍ନକୁ ଶାସକ ଦଳ କିଭଳି ସାମ୍ନା କରୁଛି ଏବଂ ବିଧାନସଭାରେ କେଉଁ ପ୍ରସଙ୍ଗକୁ ନେଇ ହେଉଛି ହଟ୍ଟଗୋଳ।