କଟକ: କଟକର ସେମିନାରୀ ଛକ ନିକଟରେ ଥିବା ରାସ୍ତାର ନାମକରଣ କରି ମଙ୍ଗଳବାର ଅପରାହ୍ନରେ ଏହାର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ରାସ୍ତାର ନାଁ ରଖାଯାଇଛି ସୟଦ୍ ମୁସ୍ତିଫିଜ ଅହମ୍ମଦ୍ ମାର୍ଗ। ପୂର୍ବତନ ମନ୍ତ୍ରୀ ସୟଦ୍ ମୁସ୍ତିଫିଜ ଅହମ୍ମଦଙ୍କ ନାଁ ଅନୁସାରେ ଏହି ମାର୍ଗର ନାଁ ରଖାଯାଇଥିବାବେଳେ, ବିବାଦୀୟ ପରିସ୍ଥିତି ମଧ୍ୟରେ ଏହାକୁ ଉନ୍ମୋଚନ କରାଯାଇଛି।

ହେଲେ ଏହି ଉନ୍ମୋଚନରେ ନେଇ ଦେଖିବାକୁ ମିଳିଛି ଅସନ୍ତୋଷ। କାରଣ ଉନ୍ମୋଚନ ପାଇଁ ନମନ୍ତ୍ରଣ କରାଯାଇଥିବା ଅତିଥିଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଆସିନଥିଲେ। ଜଣାପଡ଼ିଛି ଉନ୍ମୋଚନ ଉତ୍ସବରେ ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓ ମେୟର ସୁବାଷ ସିଂହ ପ୍ରମୁଖ ଅତିଥି ଥିଲେ।

ତେବେ ଅତିଥିଙ୍କ ଅନୁପସ୍ଥିତି ଯୋଗୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମୁରବୀମାନେ ନଡ଼ିଆ ଭାଙ୍ଗି ଫଳକ ଉନ୍ମୋଚନ କରିଥିଲେ। ସବୁ ଅତିଥି ଉନ୍ମୋଚନ ଉତ୍ସବକୁ ଆସିବା ପାଇଁ ସହମତି ଦେଇଥିଲେ ବୋଲି ସ୍ଥାନୀୟ କର୍ପୋରେଟର କହିଛନ୍ତି। ସେପଟେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ବିଭିନ୍ନ ବ୍ୟସ୍ତତା କାରଣରୁ ଅତିଥିମାନେ ନଆସିବାରୁ ସେମାନେ ନିଜ ହାତରେ ଉନ୍ମୋଚନ କରିଥିବା କହିଛନ୍ତି। ଅବଶ୍ୟ କିଛି ଗୋଷ୍ଠୀ ଏହି ରାସ୍ତାର ନାମକରଣକୁ ନେଇ ଆପତ୍ତି ଉଠାଇବାରୁ ଗଣ୍ଡଗୋଳ ଆଶଙ୍କା କରି ସ୍ଥାନୀୟ ସେମିନାରୀ ଛକ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।