ନୂଆଦିଲ୍ଲୀ: ରବିବାର ଅପରାହ୍ଣରେ ସୁକମା ଫୁଲବାଗଡ଼ି ଥାନା ଅଞ୍ଚଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁର ପଠାଯାଇଛି। ପୋଲିସର ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୧:୪୫ ସମୟରେ ଘଟିଥିବା ବିସ୍ଫୋରଣରେ ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ସାଥୀ ସୈନିକମାନେ ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପରେ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଛି। ବାଟାଲିୟନର ସୈନିକମାନେ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଗୋଗୁଣ୍ଡାର ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ଏହି ଘଟଣା ଘଟିଥିଲା।

ଘଟଣା ପରେ ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳରେ ଏକ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ପୋଲିସର ସୂଚନା ଅନୁସାରେ, ମାଓବାଦୀମାନେ ପାଟ୍ରୋଲିଂ ଦଳକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବିସ୍ଫୋରକ ରଖିଥିଲେ। ଫୁଲବାଗଡ଼ି ପୋଲିସ ଷ୍ଟେସନ ଏକ ମାମଲା ରୁଜୁ କରି ମାଓବାଦୀଙ୍କ ବିରୁଦ୍ଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତଦନ୍ତ ପରେ ଅଧିକ ସୂଚନା ଦିଆଯିବାନେଇ କହିଛନ୍ତି ପୋଲିସ ଅଧିକାରୀ।