ସୁପ୍ରିମକୋର୍ଟ: ଏକ ବିରଳ ରାୟରେ, ସୁପ୍ରିମକୋର୍ଟ ସମ୍ୱିଧାନ ଧାରା ୧୪୨ରେ ଦିଆଯାଇଥିବା ଅସାଧାରଣ କ୍ଷମତା ବ୍ୟବହାର କରି, ଆଇପିସିର ଧାରା ୩୬୬ ଏବଂ ପୋକ୍ସୋର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଦୋଷ ଏବଂ ଦଣ୍ଡକୁ ରଦ୍ଦ କରିଛନ୍ତି । ପୀଡିତାଙ୍କ ସହିତ ଦୋଷୀର ବିବାହ ଏବଂ ସେମାନଙ୍କ ପ୍ରତିଷ୍ଠିତ ପାରିବାରିକ ଜୀବନକୁ ବିଚାରକୁ ନେଇ ଏହି ରାୟ ଦିଆଯାଇଛି ।

ଲାଇଭ୍ ଲ' ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ସର୍ତ୍ତ ମଧ୍ୟ ଲଗାଇଛନ୍ତି ଯେ ସେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ କେବେ ବି ଛାଡ଼ିବେ ନାହିଁ ଏବଂ ସାରା ଜୀବନ ସେମାନଙ୍କୁ ସମ୍ମାନର ସହିତ ପାଳନ କରିବେ । ଏହାସହ ଏହି ସର୍ତ୍ତର ଉଲ୍ଲଂଘନ ଗମ୍ଭୀର ପରିଣାମକୁ ଆମନ୍ତ୍ରଣ କରିପାରେ ବୋଲି ଚେତାବନୀ ଦେଇଛନ୍ତି ।

ବିଚାରପତି ଦୀପଙ୍କର ଦତ୍ତା ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ମତ ଦେଇଛନ୍ତି ଯେ ଆବେଦନକାରୀଙ୍କୁ ଏକ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିା । ତଥାପି ମାମଲାର ବିଶିଷ୍ଟ ତଥ୍ୟକୁ ଦେଖି "ବ୍ୟବହାରିକତା ଏବଂ ସହାନୁଭୂତିକୁ ଦେଖି ଏକ ସନ୍ତୁଳିତ ଦୃଷ୍ଟିକୋଣ"ର ଆବଶ୍ୟକତା ରହିଛି । ବିଶେଷକରି ଯେତେବେଳେ ପୀଡିତା (ବର୍ତ୍ତମାନ ତାଙ୍କ ପତ୍ନୀ) ତାଙ୍କ ନବଜାତ ଶିଶୁ ସହିତ ତାଙ୍କ ସହିତ ଶାନ୍ତିରେ ରହିବାର ଇଚ୍ଛା ପ୍ରକାଶ କରିଛନ୍ତି ।

ପତ୍ନୀ (ପୀଡିତା) ତାଙ୍କ ସ୍ୱାମୀଙ୍କ ସହିତ ଶାନ୍ତିରେ ରହିବାର ଇଚ୍ଛା ପ୍ରକାଶ କରି ଏବଂ ତାଙ୍କ ଉପରେ ନିର୍ଭରଶୀଳ ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ । ଏହା ବ୍ୟତୀତ, ତାମିଲନାଡୁ ରାଜ୍ୟ ଆଇନ ସେବା ପ୍ରାଧିକରଣ (TNSLSA) ନିଶ୍ଚିତ କରିଛି ଯେ ଦମ୍ପତି ସେମାନଙ୍କ ନବଜାତ ଶିଶୁ ସହିତ ଖୁସିରେ ରହୁଛନ୍ତି ।

ବିଚାରପତି ବେଞ୍ଜାମିନ୍ କାର୍ଡୋଜୋଙ୍କ ବୟାନକୁ ଉଦ୍ଧୃତ କରି ରାୟରେ କୁହାଯାଇଥିଲା ଯେ "ଆଇନର ଶେଷ ଉଦ୍ଦେଶ୍ୟ ହେଉଛି ସମାଜର କଲ୍ୟାଣ।" ଖଣ୍ଡପୀଠ ବିସ୍ତୃତ ଭାବରେ କହିଥିଲେ ଯେ ଅପରାଧିକ ଆଇନ, ସମାଜର ସାମୂହିକ ବିବେକର ଏକ ଅଭିବ୍ୟକ୍ତି ହେବା ସହିତ, "ବ୍ୟବହାରିକ ବାସ୍ତବତା" ଏବଂ "ନ୍ୟାୟ ଦ୍ୱାରା ନିୟନ୍ତ୍ରିତ ଦୟା" ଅନୁସାରେ ମଧ୍ୟ ପ୍ରୟୋଗ କରାଯିବା ଉଚିତ ।

ସୁପ୍ରିମକୋର୍ଟ କହିଛନ୍ତି, "ଆବେଦକକାରୀଙ୍କ ଦ୍ୱାରା କରାଯାଇଥିବା ଅପରାଧକୁ ବିଚାର କରି, ଯାହା ପୋକ୍ସୋ ଆଇନ ଅନୁଯାୟୀ ଦଣ୍ଡନୀୟ, ଆମେ ଜାଣିପାରୁଛୁ ଯେ ଏହି ଅପରାଧ କାମନାର ପରିଣାମ ନୁହେଁ, ବରଂ ପ୍ରେମର ପରିଣାମ । ଅପରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଆବେଦନକାରୀଙ୍କ ଜେଲଦଣ୍ଡ କେବଳ ପରିବାରକୁ ବିପର୍ଯ୍ୟସ୍ତ କରିବ ଏବଂ ପୀଡିତା, ଶିଶୁ ଏବଂ ସମାଜର ପ୍ରତିଷ୍ଠାକୁ ଅପୂରଣୀୟ କ୍ଷତି ପହଞ୍ଚାଇବ । ପୀଡିତା ନିଜେ ଆବେଦନକାରୀଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ପାରିବାରିକ ଜୀବନ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ଯାହାଙ୍କ ଉପରେ ସେ ନିର୍ଭରଶୀଳ ।"

ଶୀର୍ଷ ଅଦାଲତ କହିଛନ୍ତି, "ଆଇନର ସବୁଠାରୁ ଗମ୍ଭୀର ଅପରାଧୀମାନେ ମଧ୍ୟ ଉପଯୁକ୍ତ ମାମଲାରେ କୋର୍ଟରୁ କରୁଣା ଦ୍ୱାରା ନ୍ୟାୟ ପାଆନ୍ତି । ନିର୍ଦ୍ଦିଷ୍ଟ ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି ଏଠାରେ ଏକ ସନ୍ତୁଳିତ ବାସ୍ତବବାଦୀ ଏବଂ ସହାନୁଭୂତି ଆଭିମୁଖ୍ୟ ଆବଶ୍ୟକ।କୋର୍ଟ ଗୁରୁତ୍ୱାରୋପ କରିଥିଲେ ଯେ ଆଇନର କଠୋର ପ୍ରୟୋଗ ସର୍ବଦା ନ୍ୟାୟ ହାସଲ କରେ ନାହିଁ । ଏହା ଏପରି ଏକ ମାମଲା ଯେଉଁଠାରେ ନ୍ୟାୟ ପ୍ରଦାନ କରିବା ପାଇଁ ଆଇନକୁ ନଇଁବାକୁ ପଡ଼ିଥାଏ । ତେଣୁ, ଅପିଲକୁ ଗ୍ରହଣ କରାଯାଇଛି ଏବଂ ଆବେଦନକାରୀଙ୍କୁ ଅପରାଧରୁ ମୁକ୍ତ କରାଯାଇଛି ।

ଏହା ବ୍ୟତୀତ, କୋର୍ଟ ସତର୍କ କରାଇ ଦେଇଛନ୍ତି, "ଆମ ସାମନାରେ ଥିବା ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାକୁ ଅନ୍ୟ କୌଣସି ମାମଲାର ଉଦାହରଣ ଭାବରେ ବିବେଚନା କରାଯିବ ନାହିଁ।" ଅନ୍ୟ ଏକ ମାମଲାରେ, ସୁପ୍ରିମକୋର୍ଟ ବିଚାର କରୁଛନ୍ତି ଯେ ପୋକ୍ସୋ ଆଇନ ଅନୁଯାୟୀ ସମ୍ମତିର ବୟସ ୧୬ ବର୍ଷକୁ ହ୍ରାସ କରାଯିବା ଉଚିତ କି ନାହିଁ । ଯାହା ଦ୍ଵାରା କିଶୋରମାନଙ୍କ ମଧ୍ୟରେ ସହମତି ଭିତ୍ତିକ ପ୍ରେମ ସମ୍ପର୍କ ଅପରାଧିକ ମୁକ୍ତ ରହିପାରିବ ।