LIVE TV

ଅକ୍ଟୋବର ୧୩ରେ ଆସିବ IRCTC ଦୁର୍ନୀତି ରାୟ, ଲାଲୁ, ରାବଡୀ ଓ ତେଜସ୍ୱୀଙ୍କୁ ଉପସ୍ଥିତ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

NEWS7
Lalu with rabdi and son

ନୂଆଦିଲ୍ଲୀ ୨୪।୯: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଦୁର୍ନୀତି ମାମଲାର ରାୟ ଅକ୍ଟୋବର ୧୩ ତାରିଖରେ ଘୋଷଣା ହେବ। ଏଥି ପାଇଁ କୋର୍ଟ ମୁଖ୍ୟ ଅଭିଯୁକ୍ତ ଲାଲୁ ଯାଦବ, ରାବଡୀ ଯଦାବ ଓ ତେଜସ୍ୱୀ ଯାଦବଙ୍କ  ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସେଦିନ କୋର୍ଟରେ ହାଜର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଆରସିଟିସି ଅର୍ଥାତ ରେଳମନ୍ତ୍ରାଳୟ ସମ୍ପର୍କିତ ହୋଟେଲଙ୍କ ରକ୍ଷଣାବେକ୍ଷଣା ଠିକା ପ୍ରଦାନ ଅନିୟମିତତା ମାମଲାରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ରାୟ ଘୋଷଣା କରିବେ।

ମାମଲାର ତଦନ୍ତ କରୁଥିବା ସିବିଆଇ ଚାର୍ଜସିଟ୍ ରେ ଲାଲୁ, ରାବଡୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ସହିତ ଅନ୍ୟମାନଙ୍କୁ ଅଭିଯୁକ୍ତ କରିଛି। ରେଳବାଇରେ ଆଇଆରସିଟିସିର ଦୁଇ ହୋଟେଲ ବିଏନଆର ହୋଟେଲ ରାଞ୍ଚୀ ଓ ପୁରୀ ଟେଣ୍ଡରରେ ହୋଇଥିବା ଦୁର୍ନୀତି ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ଘୋଷଣା କରିବେ। ଅର୍ଥାତ ଏହି ଦିନ କୋର୍ଟ ନିର୍ଦ୍ଧାରଣ କରିବେ ଚାର୍ଜସିଟ୍ ରେ ଦର୍ଶାଯାଇଥିବା ଅଭିଯୋଗରେ ଆଗକୁ କେଉଁ ସବୁ ଆରୋପ ମକଦ୍ଦମାର ଆଧାର ହେବ ଓ କେଉଁ ସବୁ ଅଭିଯୋଗକୁ ମକଦ୍ଦମାରୁ ବାହାର କରାଯିବ।

ମାମଲା କ’ଣ?
ଏହି ମାମଲା ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ଆଇଆରସିଟିସିର ଦୁଇଟି ହୋଟେଲ ରକ୍ଷଣାବେକ୍ଷଣା ନିମନ୍ତେ ଏକ ଫାର୍ମକୁ କଣ୍ଟ୍ରାକ୍ଟ ଦେବାରେ ହୋଇଥିବା କଥିତ ଦୁର୍ନୀତି ସମ୍ପର୍କିତ । ଏହି ମାମଲାରେ ସିବିଆଇ ଲାଲୁ ଯାଦବ, ରାବଡୀ ଓ ତେଜସ୍ୱୀଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ନୀତି ଅଭିଯୋଗ କରିଛି। ତେବେ ଏହି ମାମଲାର ଶୁଣାଣି କାଳରେ ୩ ଜଣଙ୍କ ପକ୍ଷରୁ ଏହି ତର୍କ ଦିଆଯାଇଥିଲା ଯେ ଏହି କେସ୍ ରେ ମକଦ୍ଦମା ଚଳାଇବା ପାଇଁ ସିବିଆଇ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ସ୍ୱତନ୍ତ୍ର ସିବିଆଇ ଜଜ୍ ବିଶାଲ ଗୋଗ୍ ସିବିଆଇ ଓ ଅଭିଯୁକ୍ତଙ୍କ ଓକିଲମାନଙ୍କ ଦୈନିକ ଶୁଣାଣି ଆଧାରରେ ତର୍କ ଶୁଣିବା ପରେ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।