LIVE TV

ଲାଲକିଲ୍ଲା ବିସ୍ଫୋରଣ ମାମଲା: ବିସ୍ଫୋରକ ତିଆରି ଭିଡିଓ ପ୍ରସାରଣ ପରେ ଟିଭି ଚ୍ୟାନେଲ ପାଇଁ ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର

NEWS7
corona-in-india-8

ନୂଆଦିଲ୍ଲୀ:ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣାରେ କେନ୍ଦ୍ର ସରକାର ଗଣାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପକୁ ସମର୍ଥନ କିମ୍ବା ପ୍ରୋତ୍ସାହନ କଲା ଭଳି କୌଣସି ବିଷୟବସ୍ତ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମଙ୍ଗଳବାର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଦିଲ୍ଲୀର ଲାଲକିଲ୍ଲା ନିକଟରେ ସମ୍ପ୍ରତି ଘଟିଥିବା ବିସ୍ଫୋରଣ ପରେ ବିସ୍ଫୋରକ ତିଆରି ସମ୍ପର୍କିତ ସାମଗ୍ରୀ ପ୍ରଦର୍ଶିତ ହୋଇଥିବା କିଛି ଚ୍ୟାନେଲରେ ପ୍ରସାରଣ ପରେ ସରକାର ଏହି ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ କିଛି ଚ୍ୟାନେଲ ବିସ୍ଫୋରଣ ସହିତ ଜଡିତ ବ୍ୟକ୍ତିଙ୍କ ଉପରେ ରିପୋର୍ଟ ପ୍ରସାରଣ କରିଥିଲେ। ବିସ୍ଫୋରକ ସାମଗ୍ରୀ ତିଆରି ସମ୍ପର୍କରେ ସୂଚନା ଥିବା ଭିଡିଓ ମଧ୍ୟ ଦେଖାଇଥିଲା। ଯାହା ଅନୁଚିତ ବୋଲି କେନ୍ଦ୍ର ସରକାର ବିଚାର କରିଛନ୍ତି।

ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆଡ୍ଭାଇଜରିରେ କୁହାଯାଇଛିଏହି ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ଯେ କିଛି ନ୍ୟୁଜ୍ ଚ୍ୟାନେଲ ଲାଲକିଲ୍ଲା ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କ ସହ ଜଡିତ ବିଷୟବସ୍ତୁ ପ୍ରସାରଣ କରୁଛନ୍ତି,ସେମାନଙ୍କର ହିଂସାକାଣ୍ଡକୁ ଯଥାର୍ଥ ପ୍ରମାଣିତ କରୁଛନ୍ତି,ଏବଂ ବିସ୍ଫୋରକ ସାମଗ୍ରୀ କିପରି ପ୍ରସ୍ତୁତ କରାଯାଏ ସେ ବିଷୟରେ ସୂଚନା ଭିଡିଓ ମଧ୍ୟ ପ୍ରସାରଣ କରୁଛନ୍ତି।

ତେଣୁ ଏପରି ବିଷୟବସ୍ତୁ ହିଂସାକୁ ପ୍ରୋତ୍ସାହିତ କରିପାରେ,ସାର୍ବଜନୀନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିପାରେ ଏବଂ ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଚ୍ୟାନେଲଗୁଡ଼ିକୁ ସେମାନଙ୍କର କଭରେଜ୍ରେ ସତର୍କ ରହିବାକୁ ପଡିବ। ତେଣୁ ସମସ୍ତ ଟିଭି ଚ୍ୟାନେଲକୁ ଏପରି ବିଷୟରେ ରିପୋର୍ଟ କରିବା ସମୟରେ ସର୍ବୋଚ୍ଚ ସ୍ତରର ବିବେଚନା ଏବଂ ସମ୍ବେଦନଶୀଳତା ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି।

କେବୁଲ ଟେଲିଭିଜନ ନେଟୱାର୍କ ନିୟମ ଅନୁଯାୟୀ ଥିବା ନିୟମଗୁଡ଼ିକ ଆଡଭାଇଜରିରେ ଦର୍ଶାଯାଇଥିଲା। ଯାହା ଅଶ୍ଳୀଳ,ମାନହାନିକାରକ,ଜାଣିଶୁଣି ମିଥ୍ୟା କିମ୍ବା ହିଂସାକୁ ଉସ୍କାଇବାର ସମ୍ଭାବନା ଥିବା କାର୍ଯ୍ୟକ୍ରମଗୁଡ଼ିକୁ ବାରଣ କରିଥାଏ। କେବଳ ସେତିକି ନୁହେଁ, ଏହି ନିୟମଗୁଡ଼ିକ ଆଇନ ଶୃଙ୍ଖଳା ବିରୋଧୀ ବିଷୟବସ୍ତୁ କିମ୍ବା ଜାତୀୟ ବିରୋଧୀ ମନୋଭାବକୁ ପ୍ରୋତ୍ସାହିତ କରୁଥିବା କିମ୍ବା ଜାତୀୟ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ବିଷୟବସ୍ତୁକୁ ମଧ୍ୟ ନିଷେଧ କରିଚି। ତେଣୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଚ୍ୟାନେଲକୁ ଏପରି ଦୃଶ୍ୟ ପ୍ରଦର୍ଶନ କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି,ଯାହା ବେଆଇନ କାର୍ଯ୍ୟକଳାପକୁ ସାହାଯ୍ୟକିମ୍ବା ପ୍ରୋତ୍ସାହିତ କରିପାରେ।