News7 Logo

ତେଜସ୍ୱୀ ଯାଦବଙ୍କ ପତ୍ନୀଙ୍କୁ ‘ଜର୍ସି ଗାଈ’ କହିବାରୁ ବଢିଲା ବିବାଦ, ସଡ଼କକୁ ଓହ୍ଲାଇଲେ ସମର୍ଥକ

NEWS7
protest

ନଭାଦା ୭।୯: ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ପତ୍ନୀଙ୍କ ବିରୋଧରେ କଥିତ ବିବାଦୀୟ ଟିପ୍ପଣୀକୁ ନେଇ ପୂର୍ବତନ ଆରଜେଡି ବିଧାୟକ ରାଜବଲ୍ଲଭ ଯାଦବଙ୍କୁ ରାଜ୍ୟରେ ଭାରି ବିରୋଧ ଆରମ୍ଭ ହୋଇଯାଇଛି। ରାଜବଲ୍ଲଭ ଯାଦବ ଏବେ ଆରଜେଡିରୁ ଅଲଗା ହୋଇ ଯାଇଛନ୍ତି। ସେ ତେଜସ୍ୱୀଙ୍କ ପତ୍ନୀ ରାଜଶ୍ରୀଙ୍କୁ ‘ଜର୍ସି ଗାଈ’ ଟିପ୍ପଣୀ କରିଥିଲେ। ଏହାକୁ ନେଇ ଆରଜେଡି କାର୍ଯ୍ୟକର୍ତ୍ତାମାନେ ନଭାଦାରେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଛନ୍ତି।

ଆରଜେଡି ଜିଲ୍ଲା ଅଧ୍ୟକ୍ଷ ରେଣୁ ସିଂହ କହିଛନ୍ତି ଯେ ରାଜବଲ୍ଲଭ ଯାଦବ ତେଜସ୍ୱୀଙ୍କ ପତ୍ନୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ରେଣୁ କହିଛନ୍ତି ଯେ ଆଗକୁ ନବରାତ୍ରର ପବିତ୍ର ପର୍ବ ଆସୁଛି। ଏପରି ସମୟରେ ଏମିତି ଟିପ୍ପଣୀ ବାସ୍ତବିକ ନିନ୍ଦନୀୟ। ଆରଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ ରାଜବଲ୍ଲଭ ବିଜେପି ଓ ଏନଡିଏ ଇସାରାରେ କାମ କରୁଛନ୍ତି।

ରେଣୁ କହିଛନ୍ତି ଯେ ପ୍ରଥମେ ସୋନିଆ ଗାନ୍ଧି ଓ ଏବେ ତେଜସ୍ୱୀଙ୍କ ପତ୍ନୀଙ୍କୁ ଜର୍ସି ଗାଈ କହି ଅପମାନିତ କରାଯାଇଛି। ଏଥିରେ ଆରଜେଡି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ ଯିଏ ବି ମହିଳାଙ୍କ ଅପମାନ କରିବ ତାକୁ ରାଜ୍ୟରେ ଏହିଭଳି ବିରୋଧ କରାଯିବ। ରବିବାର ସଦଭାବନା ଛକରେ ଆରଜେଡି କାର୍ଯ୍ୟକର୍ତ୍ତାମାନେ ରାଜବଲ୍ଲଭଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପ୍ରଦର୍ଶନକାରୀ ରାଜବଲ୍ଲଭ ଯାଦବଙ୍କ ବିରୋଧରେ ମୁର୍ଦ୍ଦାବାଦ ସ୍ଲୋଗାନ ଦେବା ସହ ତାଙ୍କ ପୋଷ୍ଟର ଚିରିଛନ୍ତି। ଆରଜେଡି ନେତାମାନେ କହିଛନ୍ତି ନାରୀର କୌଣସି ଜାତି ନଥାଏ ଓ ତାଙ୍କ ସମ୍ମାନ ସର୍ବୋପରି ।