ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ପରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ର ଟି-୨୦ ସିରିଜ୍ରେ ମଧ୍ୟ ଭାରତୀୟ ଦଳକୁ ଗୋଟିଏ ହେଲେ ବିଜୟ ମିଳିପାରି ନାହିଁ । ଶେଷ ଟି-୨୦ରେ ଇଂଲଣ୍ଡ ୫୬ ରନରେ ବିଜୟ ହାସଲ କରିବା ସହ ଘରୋଇ ଦଳ ସିରିଜକୁ ୪-୦ରେ ନିଜ ନାଁରେ କରିନେଇଛି । ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ଭାରତୀୟ ଦଳ ଅଧିନାୟକତ୍ୱରେ ପରିବର୍ତ୍ତନ କରି ବିଦେଶ ଗସ୍ତ କରିଥିଲା । କିନ୍ତୁ ଶ୍ରେୟସ ଅଧିନାୟକ ଭାବେ ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି ଏବଂ ପ୍ରାରମ୍ଭିକ ସାତୋଟି ମ୍ୟାଚରେ ଗୋଟିଏ ବି ବିଜୟ ହାସଲ କରିପାରି ନାହାନ୍ତି ।

୧୬୦୦ ଦିନର ରାଜୁତି ଶେଷ

ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚର ଟି-୨୦ ସିରିଜରେ ମିଳିଥିବା ପରାଜୟ ସହ ଟିମ୍ ଇଣ୍ଡିଆ ୨୦୨୨ ଫେବ୍ରୁଆରୀ ପରେ ଟି-୨୦ କ୍ରିକେଟର ନମ୍ବର-୧ ସ୍ଥାନ ମଧ୍ୟ ହରାଇଛି । ଇଂଲଣ୍ଡ ସିରିଜକୁ ୪-୦ରେ ନିଜ ନାଁରେ କରି ଆଇସିସି ଟି-୨୦ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିନେଇଛି । ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଆୟରଲ୍ୟାଣ୍ଡ ବିପକ୍ଷରେ ୦-୨ ଏବଂ ଇଂଲଣ୍ଡ ବିପକ୍ଷରେ ୦-୪ର ପରାଜୟ ପରେ ଭାରତ ଆଇସିସି ଟି-୨୦ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହରାଇ ବସିଛି । ଭାରତୀୟ ଦଳ ପ୍ରାୟ ୧୬୦୦ ଦିନ ପର୍ଯ୍ୟନ୍ତ ଦୁନିଆର ନମ୍ବର-୧ ଟି-୨୦ ଦଳ ରହିଥିଲା ।

ଭାରତ ବ୍ରିଟେନ ଗସ୍ତରେ ଦଳରେ ଅନେକ ପରିବର୍ତ୍ତନ କରିଥିଲା, କିନ୍ତୁ ଏହା କାର୍ଯ୍ୟକାରୀ ହେଲାନାହିଁ । ଆସନ୍ତୁ ଜାଣିବା ସେହି ପାଞ୍ଚଟି କାରଣ କଣ, ଯେଉଁଥି ପାଇଁ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା...

ଟପ୍ ଅର୍ଡର ଫେଲ୍

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ଶୀର୍ଷ କ୍ରମ ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିଲା । ଅଭିଷେକ ଶର୍ମା ପ୍ରାରମ୍ଭିକ ଦୁଇଟି ମ୍ୟାଚରେ ରନ୍ କରିଥିଲେ, କିନ୍ତୁ ପରବର୍ତ୍ତୀ ତିନୋଟି ମୁକାବିଲାରେ ତାଙ୍କ ବ୍ୟାଟ୍ ଚାଲି ନଥିଲା । ସଞ୍ଜୁ ସାମସନ୍ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲେ । ବୈଭବ ସୂର୍ଯ୍ୟବଂଶୀ ଏହି ସିରିଜ୍ରେ ମିଳିଥିବା ତିନୋଟି ସୁଯୋଗର ଲାଭ ଉଠାଇବାରେ ସଂପୂର୍ଣ୍ଣ ବିପଳ ହୋଇଥିଲେ । ଶୀର୍ଷ କ୍ରମର ବିଫଳତାର ପ୍ରଭାବ ମଧ୍ୟକ୍ରମର ବ୍ୟାଟର ଉପରେ ସ୍ପଷ୍ଟ ଭାବେ ନଜର ଆସିଥିଲା।

ମଧ୍ୟକ୍ରମରେ ନାଁ ବଡ଼ ଖେଳ ଶୂନ

ଟିମ୍ ଇଣ୍ଡିଆର ମଧ୍ୟକ୍ରମ ଏହି ଟି-୨୦ ସିରିଜରେ ସମ୍ପୂର୍ଣ୍ଣ ଭାବେ ଫମ୍ପା ନଜର ଆସିଥିଲା । ଈଶାନ କିଷନ ସିରିଜ୍ର ଶେଷ ଟି-୨୦ ମ୍ୟାଚକୁ ଛାଡ଼ିଦେଲେ ବାକି ଚାରୋଟି ମୁକାବିଲାରେ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲେ । ସମାନ ଅବସ୍ଥା ତିଲକ ବର୍ମାଙ୍କର ମଧ୍ୟ ରହିଥିଲା । ନିଜେ ଅଧିନାୟକ ଶ୍ରେୟସ ଆୟର ମଧ୍ୟ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିପାରିନଥିଲେ ।

କ୍ରମାଗତ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ମହଙ୍ଗା ପଡ଼ିଲା

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳକୁ ବ୍ୟାଟିଂ କ୍ରମ ସହ କ୍ରମାଗତ ଅଦଳବଦଳ କରିବା ମହଙ୍ଗା ପଡ଼ିଲା । ତିଲକ ବର୍ମା ଏବଂ ଶିବମ ଦୁବେଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯାଇଥିଲା । ଏପରି କି ତୃତୀୟ ଟି-୨୦ରେ ତିଲକ ଏବଂ ଶିବମଙ୍କ ଉପରେ ବ୍ୟାଟିଂ କରିବା ପାଇଁ ଅକ୍ଷର ପଟେଲଙ୍କୁ ପଠାଯାଇଥିଲା । ଅକ୍ଷର ପଟେଲଙ୍କର ମଧ୍ୟ କୌଣସି ଗୋଟିଏ ସ୍ଥାନ ସ୍ଥିର ଥିବା ନଜର ଆସିନଥିଲା ।

ଦ୍ରୁତ ବୋଲର ପୂରା ଫେଲ୍

ଇଂଲଣ୍ଡରେ ଭାରତୀୟ ଦ୍ରୁତ ବୋଲରମାନେ ଫ୍ଲପ୍ ହୋଇଥିଲେ । ଭାରତର ଷ୍ଟ୍ରାଇକ୍ ବୋଲର ଅର୍ଶଦୀପ ସିଂହ ପାଞ୍ଚଟି ମୁକାବିଲାରେ ମାତ୍ର ଚାରୋଟି ୱିକେଟ୍ ନେଇପାରିଥିଲେ । ହର୍ଷିତ ରାଣାଙ୍କ ୧୦ ହାରର ରନ୍ ଦେବା ପରେ ମାତ୍ର ତିନୋଟି ୱିକେଟ୍ ନେଇଥିଲେ । ଯୁବ ବୋଲର ପ୍ରିନ୍ସ ଯାଦବ ମଧ୍ୟ ୧୦.୭୨ ଇକୋନୋମିରେ ରନ୍ ଖର୍ଚ୍ଚ କରିଥିଲେ । ଇଂଲଣ୍ଡରେ ଭାରତକୁ ଯଶପ୍ରୀତ ବୁମରାଙ୍କ ଅଭାବ ସ୍ପଷ୍ଟ ଭାବେ ବାଧିଥିଲା । ପ୍ରିନ୍ସ ଯାଦବଙ୍କ ପାଇଁ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଆରମ୍ଭ ହିଁ ଅତ୍ୟନ୍ତ ନିରାଶାଜନକ ରହିଛି । ସେ ଅମ୍ବାତି ରାୟୁଡୁଙ୍କ ପରେ ଦ୍ୱିତୀୟ ଏମିତି ଭାରତୀୟ ଖେଳାଳି, ଯିଏ ନିଜର ପ୍ରାରମ୍ଭିକ ଚାରୋଟି ଯାକ ଟି-୨୦ ମ୍ୟାଚ୍ ହାରିଛନ୍ତି ।

ଶ୍ରେୟସଙ୍କ ଦୁର୍ବଳ କ୍ୟାପ୍ଟେନ୍ସି

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଅତ୍ୟନ୍ତ ସାଧାରଣ ଥିଲା । ସେ ବୋଲିଂ ପରିବର୍ତ୍ତନ ଏବଂ ଫିଲ୍ଡିଂ ଉଭୟରେ ସେଟଅପରେ ବିଫଳ ହୋଇଥିଲେ । ଅଧିନାୟକତ୍ୱର ଚାପ ତାଙ୍କ ବ୍ୟାଟିଂକୁ ମଧ୍ୟ ପ୍ରଭାବିତ କରିଥିଲା । ସେହିପରି ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରଣନୀତି ମଧ୍ୟ ଇଂଲିଶ ଦଳ ଆଗରେ କାମ କରିନାହିଁ । ଆୟର ହେଉଛନ୍ତି ପ୍ରଥମ ଭାରତୀୟ ଅଧିନାୟକ ଯିଏ ତାଙ୍କର ପ୍ରଥମ ସାତ ଟି-୨୦ ମ୍ୟାଚ୍ ହାରିଛନ୍ତି ।

ଆଗକୁ ବିସିସିଆଇର କାର୍ଯ୍ୟାନୁଷ୍ଠାନ

ଏହି ଶୋଚନୀୟ ପରାଜୟ ଏବଂ ନମ୍ବର-୧ ସ୍ଥାନ ହରାଇବା ପରେ ବିସିସିଆଇ ଏବେ ଆକ୍ସନ ମୋଡରେ ଅଛି । ସୂତ୍ର ଅନୁସାରେ, ଶ୍ରେୟସ ଆୟରଙ୍କ ଟି-୨୦ ଅଧିନାୟକତ୍ୱ ଏବଂ ଦଳରେ କ୍ରମାଗତ ହେଉଥିବା ପରିବର୍ତ୍ତନକୁ ନେଇ କୋଚ୍ ଗୌତମ ଗମ୍ଭୀର ଓ ଚୟନକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକ କରାଯିବ । ଆଗାମୀ ସିରିଜଗୁଡ଼ିକରେ କିଛି ବଡ଼ ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯାଇପାରେ ।