ରାହୁଲ ଗାନ୍ଧିଙ୍କୁ ଆମେଥି ଓ ପ୍ରିୟଙ୍କାଙ୍କୁ ରାୟବରେଲୀରୁ ପ୍ରାର୍ଥୀ କରିବାକୁ ଚାହୁଁଛି କଂଗ୍ରେସ୍, ଶେଷ ନିଷ୍ପତ୍ତି ସେମାନଙ୍କ ଉପରେ

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ ୨।୫: ଲୋକସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ ୭ରେ ଅନୁଷ୍ଠିତ ହେବ। ହେଲେ ଏବେ ପଞ୍ଚମ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ ଗ୍ରହଣରେ ଦୁଇ ଆସନକୁ ନେଇ ଚର୍ଚ୍ଚା ଚାଲିଛି। କଂଗ୍ରେସର ଗଡ଼ ମନେ କରାଯାଉଥିବା ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲୀ ଆସନରେ ୩ ମେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଉଭୟ ଆସନରେ ବିଜେପି ତାର ପ୍ରାର୍ଥୀ ଦେଇସାରିଥିବା ବେଳେ କଂଗ୍ରେସର ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। 

ଆମେଥିରେ ଏଥର ମଧ୍ୟ ବିଜେପି ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି। ତେବେ ରାୟବରେଲୀରେ ଯୋଗୀ ସରକାରର ମନ୍ତ୍ରୀ ଦିନେସ ପ୍ରତାପ ସିଂହଙ୍କୁ ଟିକେଟ୍ ଦିଆଯାଇଛି। ହେଲେ କଂଗ୍ରେସ ନିଜର ଦୁଇ ଆସନ ନିମନ୍ତେ ଏବେବି ଦ୍ୱିବିଧାରେ ଅଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କଂଗ୍ରେସ ନେତୃତ୍ୱ ଆମେଥି ଓ ରାୟବରେଲୀରେ ପ୍ରାର୍ଥୀଙ୍କ ନିଷ୍ପତ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରାଙ୍କ ଉପରେ ନ୍ୟସ୍ତ କରିଛି। ସେମାନେ ଏ ନେଇ ଯାହାବି ନିଷ୍ପତ୍ତି ନେବେ ତାହା ଆଜି ରାତି ସୁଧା ନେବେ। 

ଶୀର୍ଷ କଂଗ୍ରେସ ସୂତ୍ର ଅନୁସାରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଓ ପ୍ରିୟଙ୍କା  ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରନ୍ତୁ ବୋଲି ଚାହାଁନ୍ତି। ଯଦି କଂଗ୍ରେସ ଏହି ଦୁଇ ଆସନରେ ନିର୍ବାଚନ ନ ଲଢେ ନିର୍ବାଚନରେ ଭୁଲ ବାର୍ତ୍ତା ଯିବ ବୋଲି ଖଡଗେ ସେମାନଙ୍କୁ ସତର୍କ ମଧ୍ୟ କରିଦେଇଛନ୍ତି। ତେବେ ସେମାନେ ନିର୍ବାଚନ ଲଢିବେ କି ନ ଲଢିବେ ସେ ନିଷ୍ପତ୍ତି କଂଗ୍ରେସ ରାହୁଲ ଓ ପ୍ରିୟଙ୍କାଙ୍କ ଉପରେ ଛାଡି ଦେଇଛି। କାରଣ ସେମାନେ ୟୁପିର ବାସ୍ତବତା ସମ୍ପର୍କରେ ବେଶ୍ ଅଭିଜ୍ଞ। ତେବେ ଏହି ଦୁଇ ଆସନରେ ଲଢାଯିବ କି ନାଇଁ ରାହୁଲ ଓ ପ୍ରିୟଙ୍କା ଆଜି ରାତି ସୁଧା ନିଷ୍ପତ୍ତି ନେବେ। 

ଏଥିରେ ଖବର ଆସୁଛି ପ୍ରିୟଙ୍କା ଶୁକ୍ରବାର ଫତେହପୁର ସିକ୍ରିରେ ରୋଡ ସୋ କରିବେ। ତାଙ୍କ ରୋଡ ସୋ କାର୍ଯ୍ୟକ୍ରମ ଅପରାହ୍ନ ସାଢେ ୩ଟାରେ ସ୍ଥିରିକୃତ ହୋଇଛି। ଏଥିରୁ ଏବେ ପ୍ରଶ୍ନ ଉଠୁଛି ପ୍ରିୟଙ୍କା ପ୍ରାର୍ଥୀପତ୍ର ଦାଖଲ କରିବା ପରେ ରୋଡ ସୋ କରିବାକୁ ଯିବେ ନା ସେ ନିର୍ବାଚନ ଲଢିବେନି ବୋଲି କଂଗ୍ରେସ ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ଏବେ ଚର୍ଚ୍ଚା ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.