News7 Logo

ବିହାର ଭୋଟର ଲିଷ୍ଟକୁ ନେଇ କଂଗ୍ରେସର ବଡ଼ ଅଭିଯୋଗ, କହିଲା- ଆମେ କରିଛୁ ୮୯ ଲକ୍ଷ ଆପତି, ଖାରଜ କରିଛନ୍ତି EC

NEWS7

ପାଟନା ୩୧।୮: ବିହାରରେ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି। ପାଟନାରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପବନ ଖେଡା ନିର୍ବାଚନ ଆୟୋଗ (ଇସି) ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ପାର୍ଟି ଭୋଟର ଲିଷ୍ଟ ସମ୍ପର୍କିତ ୮୯ ଲକ୍ଷ ଅଭିଯୋଗ ରୁଜୁ କରାଇଛି, ହେଲେ ଆୟୋଗ ଏ ଗୁଡିକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଛନ୍ତି। 

ଖେଡ଼ା କହିଛନ୍ତି ନିର୍ବାଚନ ଆୟୋଗ ବାରମ୍ବାର ପ୍ରଚାର କରୁଛନ୍ତି କୌଣସି ରାଜନୈତିକ ଦଳରୁ କିଛି ବି ଅଭିଯୋଗ ଆସି ନାହିଁ। ସତ୍ୟତା ହେଉଛି କଂଗ୍ରେସ ୮୯ଲକ୍ଷ ଅଭିଯୋଗ ଦାଖଲ କରିଛି, ଆମ ବୁଥ ଲେବୁଲ ଏଜେଣ୍ଟ (ବିଏଲଏ) ମାନେ ସେଗୁଡିକୁ ନେଇ ପହଞ୍ଚିବାରେ ନିର୍ବାଚନ ଆୟୋଗ କହିଲେ ଅଭିଯୋଗ କେବଳ ସେହି ବ୍ୟକ୍ତି କରିପାରିବ, ରାଜନୈତିକ ଦଳ ନୁହେଁ। ପବନ ଖେଡାଙ୍କ ଅନୁସାରେ ଇସି ବିହାରର ୯୦,୫୪୦ ମତଦାନ କେନ୍ଦ୍ରରେ ମୋଟ ୬୫ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ହଟାଇ ଦେଇଛନ୍ତି। 

ଏଥିରୁ ୨୫ ଲକ୍ଷ ନାମ ପ୍ରବାସ (ମାଇଗ୍ରେସନ) ନିମନ୍ତେ କଟିଥିବା ବେଳେ ୨୨ ଲକ୍ଷ ମୃତ ଭୋଟରଙ୍କ ନାମ ଡିଲିଟ ହୋଇଛି। ସେହିପରି ୯.୭ଲକ୍ଷ ଭୋଟର ସେମାନଙ୍କ ଠିକଣାରେ ନ ମିଳିବା ଯୋଗୁ ହଟିଛନ୍ତି। କଂଗ୍ରେସ କହିଛି ଯେ ଯେଉଁ ଭୋଟରଙ୍କ ନାମ ହଟିଛି ସେମାନଙ୍କ ପାଇଁ ବିଏଲଓ ଅଭିଯୋଗ ଏବଂ ଆପତ୍ତି ମଧ୍ୟ କରିଥିଲେ। ହେଲେ ଆୟୋଗ ଏଥିରୁ ଗୋଟିଏ ବି ଅଭିଯୋଗକୁ ଗ୍ରହଣ କରିନଥିଲେ। କଂଗ୍ରେସ ଅନୁସାରେ ୨୦,୩୬୮ ଏପରି ବୁଥ ରହିଛି ଯେଉଁଠୁ ୧୦୦ରୁ ଅଧିକ ନାମ ହଟିଛି। ୧,୯୮୮ ବୁଥରେ ୨୦୦ରୁ ଅଧିକ ଲୋକଙ୍କ ନାମ କଟିଛି। ୭,୬୧୩ ବୁଥରେ ୭୦% ମହିଳା ଭୋଟରଙ୍କ ନାମ ଡିଲିଟ ହୋଇଯାଇଛି। 

ସେହିପରି ୬୩୫ ବୁଥରେ ମାଇଗ୍ରାଣ୍ଟ ଶ୍ରେଣୀର ହଟାଯାଇଥିବା ନାମରେ ୭୫%ରୁ ଅଧିକ ମହିଳା ଭୋଟର ଅଛନ୍ତି। କେତେକ ମାମଲାରେ ଜଣେ ଜଣେ ଭୋଟରଙ୍କୁ ୨ଟି ଲେଖାଏଁ ଇପିଆଇସି କାର୍ଡ ମିଳିଛି। ପବନ ଖେଡା କହିଛନ୍ତି ଯେ କଂଗ୍ରେସ ନିକଟରେ ଏହି ସବୁ ଅଭିଯୋଗର ରସିଦ ମଧ୍ୟ ଅଛି, ଯାହାକୁ ଅସ୍ୱୀକାର କରାଯାଇ ନପାରେ। ଏଣୁ ଇସି ଘରକୁ ଘର ବୁଲି ଦ୍ୱିତୀୟବାର ଯାଞ୍ଚ କରନ୍ତୁ ଯାହାଦ୍ୱାରା ତ୍ରୁଟି ସୁଧାର ହୋଇ ପାରିବ ବୋଲି ଖେଡା ଦାବି କରିଛନ୍ତି। 

 

Chief Electoral Officer, Bihar, said in a press release, "The District Congress Committee Presidents of the Indian National Congress have written letters to the District Election Officers in the last 1-2 days to delete the names of about 89 lakh people from the voter list of… pic.twitter.com/zwJ4LwecyP

— ANI (@ANI) August 31, 2025

ନିର୍ବାଚନ ଆୟୋଗଙ୍କ ଉତ୍ତର

କଂଗ୍ରେସର ଏହି ଅଭିଯୋଗ ପରେ ବିହାର ମୁଖ୍ୟ ନିର୍ବାଚନ ପଦାଧିକାରୀ ଏକ ପ୍ରେସ ରିଲିଜ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆଜି ପର୍ଯ୍ୟନ୍ତ ବିହାରରେ କଂଗ୍ରେସର କୌଣସି ଜିଲ୍ଲା ଅଧ୍ୟକ୍ଷଙ୍କ ଦ୍ୱାରା ଅଧିକୃତ ବିଏଲଏ ଫର୍ମ-୬ ଅନୁସାରେ ନା କୌଣସି ଦାବି କରିଛନ୍ତି ନା ଫର୍ମ-୭ ଅନୁସାରେ କୌଣସି ଆପତ୍ତି ନିର୍ଦ୍ଧାରିତ ପ୍ରକାରେ ଦାଖଲ କରିଛନ୍ତି। କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ୮୯ ଲକ୍ଷ ଆପତ୍ତି ପ୍ରିସ୍କ୍ରାଇବ ଫର୍ମାଟରେ ନାହିଁ। ଏଣୁ ଏ ଗୁଡିକୁ ସିଧା ସ୍ୱୀକାର କରାଯାଇ ପାରିନଥାନ୍ତା। ଏହି ଆପତ୍ତି ଗୁଡିକୁ ଜିଲ୍ଲା ନିର୍ବାଚନ ପଦାଧିକାରୀଙ୍କ ଦ୍ୱାରା ସମ୍ପର୍କିତ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଇଆରଓ)ଙ୍କ ନିକଟକୁ ପଠାଯାଇଛି, ଯାହା ଦ୍ୱାରା ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ।   

 

ସେହିପରି ନିର୍ବାଚନ ଆୟୋଗ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଗଣମାଧ୍ୟମରେ କୁହାଯାଉଥିବା ୬୭,୮୨୬ ‘ଡୁପ୍ଲିକେଟ୍ ଭୋଟର’ ତଥ୍ୟ ବିନା ଫିଲ୍ଡ ଭେରିଫିକେସନରେ କେବଳ ଡାଟା ମାଇନିଂ ଓ ସବଜେକ୍ଟିଭ ମ୍ୟାଚିଂ ଦ୍ୱାରା ବାହାର କରାଯାଇଛି।  ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ କଂଗ୍ରେସର ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷମାନେ ପିଛିଲା ୧-୨ଦିନ ହେଲା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖି ବିହାର ଭୋଟର ଲିଷ୍ଟରୁ ୮୯ଲକ୍ଷ ଲୋକଙ୍କ ନାମ ହଟାଇବାକୁ ଅନୁରୋଧ କରିଛନ୍ତି। 

ତେବେ କଂଗ୍ରେସର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷମାନଙ୍କ ଆପତ୍ତି ନିର୍ଦ୍ଧାରିତ ପ୍ରପତ୍ରରେ ନାହିଁ। ଏଣୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏହି ଆପତ୍ତିଗୁଡିକୁ ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପର୍କିତ ନିର୍ବାଚନ ନିବନ୍ଧନ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି।  କଂଗ୍ରେସ ଓ ନିର୍ବାଚନ ଆୟୋଗଙ୍କ ଏହି ବିବାଦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ସଂକଟକୁ ଜନ୍ମ ଦେଉଥିବା ଦେଖା ଯାଉଛି। ଗୋଟିଏ ପଟେ କଂଗ୍ରେସ ଏହାକୁ ଜନାଦେଶ ଛଡେଇବାର ଷଡ଼ଯନ୍ତ୍ର କହୁଥିବା ବେଳେ ଆୟୋଗ କହୁଛନ୍ତି ପାର୍ଟିର ଅଭିଯୋଗ ପ୍ରକ୍ରିୟାତ୍ମକ ଭାବେ ଭୁଲ।