ୟୁକେରେ କମିଲା, ହେଲେ ଭାରତରେ କାହିଁକି କମୁନି ତେଲ ଦର ?

Published By : Prameya-News7 Bureau | April 19, 2025 IST

internet

ନୂଆଦିଲ୍ଲୀ: ନିକଟରେ ବ୍ରିଟେନ ସରକାର ଦେଶରେ ପେଟ୍ରୋଲ ମୂଲ୍ୟ କମାଇଛନ୍ତି। ପରିଣାମ ସ୍ୱରୂପ ଦେଶର ମୁଦ୍ରାସ୍ଫୀତି ୨.୬%କୁ ଖସି ଆସିଛି। ଫଳରେ ବ୍ରିଟେନବାସୀଙ୍କୁ ମହଙ୍ଗା ବଜାରରୁ କିଛି ଟା ଆଶ୍ୱସ୍ତି ମିଳିଛି ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ଦାମ କମିବା ପରେ ସେଠାକାର ଦେଶରେ ତେଲ ଦର କମାଇଛନ୍ତି। ହେଲେ ଭାରତରେ କିନ୍ତୁ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିଥିଲେ ବି ଭାରତରେ ଦୀର୍ଘଦିନ ହେଲା ନା ପେଟ୍ରୋଲ କମୁଛି ନା ଡିଜେଲ୍। ଫଳରେ ଦେଶବାସୀ ତ ମହଙ୍ଗା ମାଡ଼ ସହୁଛନ୍ତି, ହେଲେ ମାଲାମାଲ ହେଉଛନ୍ତି କମ୍ପାନୀ। ଅନ୍ୟପଟେ ସରକାର ମଧ୍ୟ କମ୍ପାନୀ ଉପରେ ଲଗାମ ଲଗାଇବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି।  


ଆପଣ ଲକ୍ଷ୍ୟ କରିଥିବେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି। ଯାହା କମିବାର ନାଁ ନେଉନି। ଯେହେତୁ ପରିବହନ ସହିତ ସମସ୍ତ ବ୍ୟବସାୟ ଜଡ଼ିତ ରହିଛି ଏଥିପାଇଁ ପନିପରିବାର ସାମଗ୍ରୀ ଛାଡିଦେଲେ ସବୁ ଜିନିଷର ଦାମ ଅଧିକ ରହିଛି। ପନିପରିବାର ମୂଲ୍ୟ କମିବା ସାଧାରଣ କଥା। କାରଣ ଏହା ମୁଖ୍ୟତଃ ଉତ୍ପାଦନ ଓ ପାଣିପାଗ ଉପରେ ନିର୍ଭର କରେ। ହେଲେ ବାକି ସବୁ ସାମଗ୍ରୀର ଦାମ ଉଚ୍ଚାରେ ରହିଛି,ଯାହା ବିଶେଷତଃ ପରିବହନ ଉପରେ ନିର୍ଭରଶୀଳ। 

ମନି ଭାସ୍କରର ଏକ ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ମୂଲ୍ୟ ଚାରି ବର୍ଷର ସର୍ବନିମ୍ନ ସ୍ତରରେ ବ୍ୟାରେଲ ପ୍ରତି ୬୫.୪୧ ଡଲାରରୁ ବି କମ ରହିଛି। ପୂର୍ବରୁ ଏପ୍ରିଲ ୨୦୨୧ରେ, ମୂଲ୍ୟ ବ୍ୟାରେଲ ପିଛା ୬୩.୪୦ ଡଲାର ଥିଲା। ଅଶୋଧିତ ତୈଳ ଦରରେ ଏହି ବଡ଼ ହ୍ରାସ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ବିଶୋଧନରୁ କମ୍ପାନୀଗୁଡ଼ିକ ଜବରଦସ୍ତ ଲାଭ କମାଉଛନ୍ତି। ରେଟିଂ ଏଜେନ୍ସିଗୁଡ଼ିକ ଅନୁସାରେ, ବର୍ତ୍ତମାନ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଉପରେ ପ୍ରତି ଲିଟର  ୧୨-୧୫ ଏବଂ ଡିଜେଲରେ ପ୍ରତି ଲିଟର ୬-୧୨ ଟଙ୍କା ଲାଭ କରୁଛନ୍ତି। ଏହା ସତ୍ତ୍ୱେ, ତେଲ କମ୍ପାନୀଗୁଡ଼ିକ ଗତ ବର୍ଷେ ହେଲାଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରୁ ନାହାନ୍ତି। ଏନେଇ ଜାତୀୟ ଗଣାଧ୍ୟମ ମନି ଭାସ୍କରରେ ଖବର ପ୍ରକାଶ ପାଇଛି।

ନିକଟରେ ତେଲ କମ୍ପାନୀଗୁଡ଼ିକ ମୂଲ୍ୟ କମାଇବାର ସମ୍ଭାବନା ଥିଲା। କିନ୍ତୁ ସରକାର ଲିଟର ପିଛା ଉତ୍ପାଦ ଶୁଳ୍କ ୨ ଟଙ୍କା ବୃଦ୍ଧି କଲେ। ଏହି ବାହାନାରେ ତେଲ କମ୍ପାନୀଗୁଡ଼ିକ ଦାମ କମାଇବାରୁ ବର୍ତ୍ତିଗଲେ। ଦୀର୍ଘ ସମୟ ହେଲାଣି ତେଲ କମ୍ପାନୀଗୁଡ଼ିକ କ୍ଷତି ହେଉଛି ବୋଲି କହି ମୂଲ୍ୟ କମାଉ ନାହାନ୍ତି। କିନ୍ତୁ ବାସ୍ତବତା ହେଉଛି ଯେ ଗତ ୫ ବର୍ଷ ମଧ୍ୟରେ, ୭ଟି ବଡ଼ ତେଲ ଏବଂ ଗ୍ୟାସ କମ୍ପାନୀ ମଧ୍ୟରୁ, କେବଳ ଗୋଟିଏ କମ୍ପାନୀ ଆଇଓସିଏଲ୍‌କୁ ୨୦୧୯-୨୦ ରେ ଥରେ ସାମାନ୍ୟ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା। ଏହା ବ୍ୟତୀତ, ତୈଳ କମ୍ପାନୀଗୁଡ଼ିକ ବର୍ଷ ବର୍ଷ ଧରି ବିପୁଳ ଲାଭ କମାଉଛନ୍ତି, ହେଲେ ତୈଳ ଦର ହ୍ରାସ କରୁ ନାହାନ୍ତି। 

କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଏନାଲଲିସି ସେଲ୍ ଅନୁଯାୟୀ, କେନ୍ଦ୍ର ଏବଂ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲରୁ ୩୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ କେନ୍ଦ୍ର ସରକାର ଏକ୍ସାଇଡ୍ ଡ୍ୟୁଟି, କମ୍ପାନୀଗୁଡ଼ିକର ଲାଭାଂଶ ଏବଂ ଆୟକରରୁ ମୋଟ ୨୧.୪ ଲକ୍ଷ କୋଟି ଏବଂ ରାଜ୍ୟ ସରକାରଙ୍କଠାରୁ ଭାଟ୍ ଏବଂ ଲାଭାଂଶରୁ ଅଂଶ ଭାବରେ ୧୩.୬ ଲକ୍ଷ କୋଟି ଆୟ କରିଛନ୍ତି। ପେଟ୍ରୋଲ ଡିଜେଲ୍‌ରୁ ଉଭୟ ସରକାର ଓ କମ୍ପାନୀ ଲାଭ ପାଉଥିବା ବେଳେ ଜନତାଙ୍କୁ କିଭଳି ମହଙ୍ଗା ମାଡ଼ରୁ ଟିକେ ଆଶ୍ୱସ୍ତି ମିଳିବ ସେ ଦିଗରେ କିନ୍ତୁ ଧ୍ୟାନ ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।  

ତେଲ ଦର କମୁନି, କି ଦେଶବାସୀଙ୍କୁ ମହଙ୍ଗାମାଡ଼ରୁ ଆଶ୍ୱସ୍ତି ମିଳୁନି। ତେବେ ସରକାର ମଝିରେ ମଝିରେ ଉତ୍ପାଦାନ ଶୁଳ୍କ ବଢାଇ କମ୍ପାନୀ ଯେଉଁ ଲାଭ କମାଉଛନ୍ତି, ସେଥିରୁ କିଛି ଅଂଶ ନିଜ ତହବିଲରେ ଭରୁଛନ୍ତି। ହେଲେ ଜନତା ପକେଟ ଖାଲି ହେଉଛି। କେଉଁ କମ୍ପାନୀ କେତେ ଲାଭ କମାଉଛନ୍ତି ନଜର ପକାନ୍ତୁ। 

ମନି ଭାସ୍କାରର ରିପୋର୍ଟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ୭ଟି ପ୍ରମୁଖ ତୈଳ କମ୍ପାନୀ ୨.୨୯ ଲକ୍ଷ କୋଟି ଟଙ୍କା ଲାଭ କରିଥିଲେ। ଏମାନେ ଗତ ୫ ବର୍ଷ ଧରି ନିରନ୍ତର ଲାଭ କରୁଛନ୍ତି। ୨୦୧୯-୨୦ରେ କେବଳ ଆଇଓସି ଯାହା ୯୩୪ କୋଟି ଟଙ୍କାର କ୍ଷତି ସହିଥିଲା। ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ୨.୮୬ ଲକ୍ଷ କୋଟି ଲାଭ କରିଛି। ଅନ୍ୟପଟେ ଲାଭ କମାଇବାରେ ONGC ଦ୍ୱିତୀୟ ସ୍ଥାନରେ ରହିଛି।

ଏହି ତୈଳ କମ୍ପାନୀଗୁଡ଼ିକ ୨୦୧୯-୨୦ ଏବଂ ୨୦୨୩-୨୪ ମଧ୍ୟରେ ମୋଟ ୭ ଲକ୍ଷ କୋଟିରୁ ଅଧିକ ଲାଭ ଅର୍ଜନ କରିଛନ୍ତି। କିନ୍ତୁ ଲାଭର ଲୋଭରେ ଗ୍ରାହକମାନଙ୍କୁ ଯେମିତି ଏମାନେ ଭୁଲିଯାଇଛନ୍ତି। ସବସିଡି ଖର୍ଚ୍ଚର ୮୫% ପେଟ୍ରୋଲ ଏବଂ ଡିଜେଲ ଦ୍ୱାରା ଭରଣା କରାଯାଉଛି। ୨୦୨୪-୨୫ ବର୍ଷରେ ରାଜ୍ୟ ସରକାରଙ୍କ ସବସିଡି ବିଲ୍ ୪.୭ ଲକ୍ଷ କୋଟି ଥିଲା। ଏହି ବର୍ଷ କେନ୍ଦ୍ରର ମୋଟ ସବସିଡି ୩.୮୧ ଲକ୍ଷ କୋଟି ଥିଲା। ଉଭୟକୁ ମିଶାଇଲେ, ଦେଶରେ ମୋଟ ସବସିଡି ୮.୫୧ ଲକ୍ଷ କୋଟି ଥିଲା। ବଦଳରେ, ରାଜ୍ୟଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସରୁ ୩.୨ ଲକ୍ଷ କୋଟି ପାଇଲେ ଏବଂ କେନ୍ଦ୍ର ୪ ଲକ୍ଷ କୋଟି ପାଇଲା। ଉଭୟକୁ ମିଶାଇଲେ ମୋଟ ଆୟ ୭.୨ ଲକ୍ଷ କୋଟି ଥିଲା। ଅର୍ଥାତ୍, କେନ୍ଦ୍ର ଏବଂ ରାଜ୍ୟ ସରକାର ବଣ୍ଟନ କରୁଥିବା ସବସିଡିର ପ୍ରାୟ ୮୫% ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲଗାଇ ଆଦାୟ କରାଯାଇଥିଲା। 

ରିପୋର୍ଟରୁ ଯାହା ଜଣାପଡ଼ୁଛି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ରିପୋର୍ଟ କହୁଛି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୨୧.୯୦ ଟିକସ ଆଦାୟ କରୁଥିବା ବେଳେ ଡିଜେଲ ଉପରେ ଲିଟର ପିଛା ୧୭.୮୦ ଆଦାୟ କରୁଛନ୍ତି। ଦେଶର ରାଜଧାନୀ ଦିଲ୍ଲୀ ସରକାର ପ୍ରତି ଲିଟର ପିଛା ଭାଟ୍ ଭାବରେ ୧୨.୮୩ ଆଦାୟ କରୁଥିବା ବଳେ ଓଡ଼ିଶା ସରକାର ପେଟ୍ରୋଲ ଉପରେ ୨୮ ଓ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ ସଂଗ୍ରହ କରୁଛନ୍ତି।

ସରକାର କହୁଛନ୍ତି ଲୋକଙ୍କ ପର୍ଜେଜିଂ ପାୱାର ବଢ଼ିଲେ ଦେଶର ଅର୍ଥନୀତି ଗଢ଼ିବ। ଏଥିପାଇଁ ଆମେ ଟ୍ୟାକ୍ସ କମାଉଛି, ସୁଧ ବି କମ୍ କରୁଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ଏନେଇ ନିକଟରେ ଏକ ସର୍ଭେ ରିପୋର୍ଟ ଆସିଥିଲା। ଯେଉଁଥିରେ ଦେଶର ୯୦ ପ୍ରତିଶତ ଲୋକଙ୍କ ପାଖରେ ମନ ଖୁସିରେ କିଛି କିଣିବାକୁ ପଇସା ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। 


ଭେଞ୍ଚର କ୍ୟାପିଟାଲ୍ ଫାର୍ମ ବ୍ଲୁମ୍ ଭେଞ୍ଚର୍ସର ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ, ପ୍ରାୟ ୧୦୦ କୋଟି ଭାରତୀୟ, ଅର୍ଥାତ୍ ଦେଶର ଜନ ସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଖରେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ଠାରୁ ଅଧିକ ଟଙ୍କା ନାହିଁ। ଜରୁରି ସାମାନ କିଣିବା ପରେ ଯଦିବା କେବେ ମନ ହେଲା କିଛି ନୂଆ ଜିନିଷ ଘରକୁ ଆଣିବା କିମ୍ବା କିଛି ନୂଆ ସର୍ଭିସ୍ ଆରମ୍ଭ କରିବା ତେବେ ସେମାନେ କେବଳ ପକେଟ ଅଣ୍ଡାଳିବା ଛଡ଼ା ଆଉ କିଛି କରିପାରୁ ନାହାନ୍ତି। ଶେଷରେ ମନ କଥା ମନରେ ହିଁ କୁହୁଳୁଛି।

ତେବେ ୧୪୦ କୋଟି ଜନସଂଖ୍ୟାର ଦେଶରେ କେବଳ ୧୩ ରୁ ୧୪ କୋଟି ବା ମୋଟ ଜନ ସଂଖ୍ୟାର ମାତ୍ର ୧୦ ପ୍ରତିଶତ ଲୋକ ଦେଶର ଅର୍ଥ ବ୍ୟବସ୍ଥା ଚଳାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଅର୍ଥାତ୍ ଏମାନେ ନିଜର ଆବଶ୍ୟକତା ପୂରଣ କରିସାରିବା ପରେ ବି ଇଚ୍ଛା ଅନୁସାରେ ସାମଗ୍ରୀ ଓ ସେବା କିଣିପାରୁଛନ୍ତି ବୋଲି ବ୍ଲୁମ୍ ଭେଞ୍ଚର୍ସର ଗବେଷଣା ରିପୋର୍ଟରେ ଦର୍ଶାଇଛି।

ସେପଟେ ବିବିସିର ଏକ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି। ସଂସ୍ଥା କହିଛି ଏସିଆର ତୃତୀୟ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାରେ କଞ୍ଜପସନ ବଢ଼ୁ ନାହିଁ। ଦେଶରେ ଧନୀ ଲୋକଙ୍କ ସଂଖ୍ୟା ବଢ଼ୁ ନାହିଁ ବରଂ ଧନୀ ଆହୁରି ଧନୀ ହେଉଛି ଓ ଗରିବ ଆହୁରି ଗରିବ। ବ୍ଲୁମ୍ ଭେଞ୍ଚର୍ସର ଇଣ୍ଡସ ଭ୍ୟାଲି ବାର୍ଷିକ ରିପୋର୍ଟ ୨୦୨୫ରେ କୁହାଯାଇଛି ଯେ ଭାରତର ଶୀର୍ଷ ୧୦% ଲୋକ ଦେଶର ଆୟର ୫୭.୭% ନିୟନ୍ତ୍ରଣ କରୁଛନ୍ତି। ସେହିପରି ନିମ୍ନ ଭାଗରେ ୫୦% ଲୋକଙ୍କ ଆୟର ଅଂଶ ୨୨.୨% ରୁ ୧୫% କୁ ହ୍ରାସ ପାଇଛି। ଏହା ବ୍ୟତୀତ, ଦେଶର ୩୦ କୋଟି ଲୋକ ବର୍ତ୍ତମାନ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଏମାନଙ୍କୁ 'ଉଦୀୟମାନ' କିମ୍ବା ' ଆଗ୍ରହୀ' ଗ୍ରାହକ ଶ୍ରେଣୀରେ ରଖାଯାଇଛି। କିନ୍ତୁ ଏମାନେ ସେମାନଙ୍କ ଖର୍ଚ୍ଚ ପ୍ରତି ମଧ୍ୟ ବହୁତ ସତର୍କ।

ଫେବ୍ରୁଆରୀରେ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ଚାପ କମ କରିବାକୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ଆୟକର ଛାଡ଼ କରିଥିଲେ। ଯାହା ଦେଶର ୯୨% ବେତନଭୋଗୀ ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲା। କିନ୍ତୁ ଏହା ସତ୍ତ୍ୱେ, ଭାରତର କଞ୍ଜପସନ ବା ଖର୍ଚ୍ଚ ଚୀନ୍ ଅପେକ୍ଷା ୧୩ ବର୍ଷ ପଛରେ ରହିଛି। କାରଣ ଚୀନରେ ୨୦୧୦ ମସିହାରେ ମୁଣ୍ଡ ପିଛା ଖର୍ଚ୍ଚ ବା କଞ୍ଜ୍ୟୁମ ୧,୫୯୭ ଡଲାର ଥିଲା। ଏହାର ୧୩ ବର୍ଷ ପରେ ଅର୍ଥାତ୍ ୨୦୨୩ରେ ବି ଭାରତର ଖର୍ଚ୍ଚ ସେତିକି ହୋଇପାରି ନାହିଁ। ୨୦୨୩ରେ ଭାରତର ମୁଣ୍ଡପିଛା ଖର୍ଚ୍ଚ ବା କଞ୍ଜ୍ୟୁମ ୧,୪୯୩ ଡଲାର ଥିଲା। 

ଶେଷରେ ରିପୋର୍ଟରେ ଏହି ସିଦ୍ଧାନ୍ତ ଦିଆଯାଇଛି ଯେ ଭାରତର ଜିଡିପି ଗ୍ରାହକଙ୍କ ଖର୍ଚ୍ଚ ଉପରେ ବହୁଳ ଭାବରେ ନିର୍ଭର କରେ। ତଥାପି, ଆୟ ବଣ୍ଟନରେ ଉନ୍ନତି ନ ଆସିଲେ, ବ୍ୟବସାୟଗୁଡ଼ିକ କେବଳ ଉଚ୍ଚ-ଆୟ ଗୋଷ୍ଠୀର ଆବଶ୍ୟକତା ପୂରଣ କରିପାରିବେ। ଫଳରେ ଦେଶର ବହୁ ସଂଖ୍ୟାରେ ଥିବା ନିମ୍ନମଧ୍ୟବିତ୍ତ ଓ ଗରିବ ଲୋକେ ଆହୁରି ଦୁର୍ବଳ ହୋଇଯିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.