ତେହେରାନ: ଇରାନ ଉପରେ ଲଗାତାର ଆକ୍ରମଣ ଓ ଉତ୍ତେଜନା ପରେ ପରିସ୍ଥିତି ଏବେ ଧିରେ ଧିରେ ସ୍ୱଭାବିକ ହେଉଥିବା ଦେଖା ଯାଉଛି। ଇରାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୁଣି ଥରେ କମର୍ସିଆଲ ଉଡାଣ ଆରମ୍ଭ କରିଛି। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ନିକଟରେ ହୋଇଥିବା ଯୁଦ୍ଧବିରାମ ଯୋଗୁ ପରିସ୍ଥିତିରେ ସାମାନ୍ୟ ସ୍ଥିରତା ଦେଖିବାକୁ ମିଳିଛି। ଦୀର୍ଘ ସମୟ ବନ୍ଦ ରହିବା ପରେ ଏବେ ବିମାନ ସେବା ଆରମ୍ଭ ହେବା ବଡ଼ ପରିବର୍ତ୍ତନ ରୂପେ ଦେଖାଯାଉଛି।

ଯୁଦ୍ଧବିରାମ ପରେ ନିଆଯାଇଛି ନିଷ୍ପତ୍ତି
ଏହି ପଦକ୍ଷେପ ସେହି ଯୁଦ୍ଧବିରାମ ପରେ ନିଆଯାଇଛି ଯେଉଁଥିରେ ଆମେରିକା ଓ ଇସ୍ରାଏଲ ସହିତ ଜାରି ସକ୍ରିୟ ଯୁଦ୍ଧକୁ ରୋକି ଦିଆଯାଇଛି। ଯଦିଓ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହୋଇ ନାହିଁ ହେଲେ ଏହି ନିଷ୍ପତ୍ତି ଇରାନ ଧିରେ ଧିରେ ସ୍ୱଭାବିକ ପରିସ୍ଥିତି ଆଡକୁ ଫେରୁଥିବାର ସଂକେତ ଦେଉଛି। ଏଥି ମଧ୍ୟରେ ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚୀ ଶନିବାର ଇସ୍ଲାମାବାଦ ପହଞ୍ଚିଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହିତ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କୁହାଯାଉଛି ଏହି ଆଲୋଚନା କ୍ଷେତ୍ରର ଉତ୍ତେଜନା କମ କରିବା ଓ ପରବର୍ତ୍ତି ରଣନୀତି ନିର୍ଦ୍ଧାରଣ ନିମନ୍ତେ କରାଯାଉଛି।

ଆମେରିକା ପକ୍ଷରୁ ମଧ୍ୟ ନିଆଯାଉଛି ପଦକ୍ଷେପ
ହ୍ୱାଇଟହାଉସ୍ ପୁଷ୍ଟି କରିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିନିଧିମାନଙ୍କୁ ପାକିସ୍ତାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଇରାନ ସହିତ ଆରମ୍ଭ ହୋଇଥବା କଥାବାର୍ତ୍ତାକୁ ଆଗକୁ ବଢେଇବା ଓ ଯୁଦ୍ଧବିରାମକୁ ସ୍ଥାୟୀ କରିବା। ତେବେ ଇରାନ ସ୍ପଷ୍ଟ କରିଦେଇଛି ଯେ ଆମେରିକା ସହ ଆଉ ପ୍ରତ୍ୟକ୍ଷ ଆଲୋଚନା କରିବ ନାହିଁ। ତେବେ ଏହି ଆଲୋଚନା ଏବେ ଅପ୍ରତ୍ୟକ୍ଷ ରୂପେ ଜାରି ରହିବ। ଏଥିରେ ପାକିସ୍ତାନ ମଧ୍ୟସ୍ଥ ଭୂମିକା ନିର୍ବାହ କରିବ ଓ ଦୁଇ ପକ୍ଷଙ୍କ ମଧ୍ୟରେ ବାର୍ତ୍ତାବିନିମୟ କରିବ। ସଂଘର୍ଷ ବିରାମ ହୋଇଥିଲେ ମଧ୍ୟ ଆର୍ଥିକ ପ୍ରଭାବ ଦେଖା ଦେଇଛି। ଖାସ କରି ହର୍ମୁଜ ପ୍ରଣାଳୀ ବାଧିତ ରହିବା ଯୋଗୁ ବୈଶ୍ୱିକ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପଡୁଛି।