ନୂଆଦିଲ୍ଲୀ: ଗ୍ୟାସ୍‌ ଭର୍ତ୍ତି ହେଉଥିବା ସମୟରେ ବିସ୍ଫୋରଣ ହେଲା ସିଏନଜି ଚାଳିତ କାର । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।  ଗୁଜରାଟର ଭଦୋଦରା ଜିଲ୍ଲା ଅନ୍ତର୍ଗତ କାର୍ଜନ ନିକଟସ୍ଥ ଜାତୀୟ ରାଜପଥ-୪୮ରେ ଥିବା ଏକ ଇନ୍ଧନ ପମ୍ପରେ ସିଏନଜି କାର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି ।

ଏହି ଆକସ୍ମିକ ବିସ୍ଫୋରଣର ଦୃଶ୍ୟ ପମ୍ପରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପାଖରେ ଥିବା ଅନ୍ୟ ଦୁଇଟି ଗାଡ଼ି ଏବଂ ସିଏନଜି ଷ୍ଟେସନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି।

ସୌଭାଗ୍ୟବଶାତଃ, ଗ୍ୟାସ୍ ଭରିବା ପୂର୍ବରୁ ଗାଡ଼ିର ଚାଳକ କାରରୁ ଓହ୍ଲାଇ ଯାଇଥିଲେ ।  ସିଏନଜି ଷ୍ଟେସନର କର୍ମଚାରୀମାନେ ମଧ୍ୟ ନିରାପଦ ଦୂରତାରେ ଥିଲେ। ଏହି କାରଣରୁ ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ କୌଣସି ଜୀବନହାନୀ କିମ୍ବା ଆହାତ ହେବାର ଖବର ମିଳିନାହିଁ। ରିପୋର୍ଟ ଅନୁଯାୟୀ, ଗ୍ୟାସ୍ ଭର୍ତ୍ତି ହେବା ସମୟରେ କାରର ସିଏନଜି ଟାଙ୍କିଟି ଫାଟିଯାଇଥିଲା। ପ୍ରଥମେ ନିଆଁ ଲାଗିବା ପରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା, ଫଳରେ ଗାଡ଼ିର ଭଙ୍ଗା କାଚ ଏବଂ ଲୁହା ଅଂଶଗୁଡ଼ିକ ଅ;ନକ ମିଟର ଦୂରକୁ ଛିଟିକି ପଡ଼ିଥିଲା।

ଅଗ୍ନିଶମ ବାହିନୀର ପଦକ୍ଷେପ
ଘଟଣା ପରେ କାର୍ଜନ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ପୂରା ସିଏନଜି ଷ୍ଟେସନକୁ ସୁରକ୍ଷିତ କରିଥିଲେ। ଏହି ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। କାରରେ ଲଗାଯାଇଥିବା ସିଏନଜି କିଟ୍, ସିଲିଣ୍ଡର, ଗ୍ୟାସ୍ ଲିକ୍ କିମ୍ବା ସିଲିଣ୍ଡର ଭାଲଭରେ ଥିବା ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ସିଏନଜି ଗ୍ୟାସ୍ ଭରିବା ସମୟରେ ଗାଡ଼ିରୁ ଓହ୍ଲାଇ ଦୂରରେ ରହିବା କେତେ ଜରୁରୀ, ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।