କଟକ ୧୧ବାଲିଯାତ୍ରା ପରେ ଆୟୋଜନକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଦ୍ଧିଷ୍ଟ ଭାବେ ଜିଲ୍ଲାପାଳଙ୍କ ମନମୁଖି କାମ ଅଭିଯୋଗ କରି ପ୍ରଶାସନର ନିମନ୍ତ୍ରଣ ପତ୍ର ଚିରିଲେ ମେୟର । ପ୍ରଶାସନ ବାଲିଯାତ୍ରା ଆୟୋଜନରେ ବ୍ୟାପକ ଅନିୟମିତତା କରିବା ଓ ନିର୍ବାଚିତ ଲୋକ ପ୍ରତିନିଧି ଓ ସିଏମସି କାଉନସିଲକୁ ନିମନ୍ତ୍ରଣ ନକରିବା ଅଭିଯୋଗ କରି ଏକ ପ୍ରତୀକାତ୍ମକ ବିରୋଧ ସ୍ବରୁପ ମେୟର ବାଲିଯାତ୍ରା ସରିବା ପରେ କ୍ୟାମେରା ସାମ୍ନାରେ ଏଭଳି ନିମନ୍ତ୍ରଣ ପତ୍ର ଚିରିଛନ୍ତି । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ଅଧାପନ୍ତରିଆ କରିବା ଓ ଆୟୋଜନରେ ମନମାନି କରି ଲୋକଙ୍କ ଜୀବନ ବିପନ୍ନ କରିବା ସମ୍ପର୍କରେ ସିଏମସି କାଉନସିଲ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜିଲ୍ଲାପାଳଙ୍କ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ନିବେଦନ କରିବ ବୋଲି ମେୟର କହିଛନ୍ତି ।

କଟକ ମେୟର ସୁବାଷ ସିଂହ ବାଲିଯାତ୍ରା ଆୟୋଜନ ଅନିୟମିତତା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଡାକି ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ଶିନ୍ଦେଙ୍କ ଉପରେ ବେଶ୍ ବର୍ଷିଛନ୍ତି । ବାଲିଯାତ୍ରା ଆୟୋଜନରେ ସିଏମସି ଓ ସିଏମସିର ନିର୍ବାଚିତ କାଉନସିଲକୁ ସମ୍ପୂର୍ଣ୍ଣ ବାଦ୍ ଦେଇ ଜିଲ୍ଲାପାଳ ଦତ୍ତାତ୍ରୟ ଶିନ୍ଦେ ନିଜ ଅହଙ୍କାରର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ମେୟର ସୁବାଷ ସିଂହ । ଖୋଦ୍ ମୁଖ୍ୟମନ୍ତ୍ରୀ ଉପର ବାଲିଯାତ୍ରା ପଡିଆରେ ଯଥାବିଧି ବାଲିଯାତ୍ରା ଆୟୋଜନ କରିବାକୁ ପରାମର୍ଶ ଦେବା ପରେ ବି ଜଣେ ଜିଲ୍ଲାପାଳ କେବଳ ନିଜର ଅହଙ୍କାର ଦେଖାଇବା ପାଇଁ ଉପର ପଡିଆକୁ ଶ୍ମଶାନ ସଦୃଶ କରିଦେଲେ ବୋଲି ମେୟର କହିଛନ୍ତି ।

ବାଲିଯାତ୍ରାର ଶେଷ ଦିନ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ସମୟରେ ଲକ୍ଷ ଲକ୍ଷ ଲୋକ ଏକାଠି ହେବା ଓ ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବା ପାଇଁ ଜିଲ୍ଲାପାଳ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ମେୟର କହିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବ ଓ ଜିଲ୍ଲାପାଳ ଦତ୍ତାତ୍ରୟଙ୍କ କାର୍ଯ୍ୟକଳାପର ସମୀକ୍ଷା କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି ।

​​​​​​​

ଏହି ସାମ୍ବାଦିକ ସମ୍ମିଳନୀରେ ମେୟରଙ୍କ ସହ ଡେପୁଟି ମେୟର ଓ ଅଧିକାଂଶ ବିଜେଡି କର୍ପୋରେଟର ଉପସ୍ଥିତ ଥିଲେ । ବାଲିଯାତ୍ରା ଆୟୋଜନରେ  ପ୍ରତିବର୍ଷ ସିଏମସି ବଡ଼ ଭୂମିକା ଗ୍ରହଣ କରିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା । ଏପରିକି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାଲିଯାତ୍ରାର ଉଦଯାପନୀ ସଭାକୁ ସିଏମସି ମେୟର, କର୍ପୋରେଟର ମାନଙ୍କୁ ନିମନ୍ତ୍ରଣ କରାଯାଇନଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେପଟେ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ପାଇଁ ଡେପୁଟି ମେୟରଙ୍କୁ ଗୋଟିଏ ପାସ୍ ଦିଆଯାଇଥିଲା ଏବଂ ପାସ୍ ନେଇ କାର୍ଯ୍ୟକ୍ରମ ଦେଖିବାକୁ ଯାଇ ଡେପୁଟି ମେୟର ବେଶ୍ ହଟହଟା ହୋଇଥିବା କହିଛନ୍ତି ।