ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର

NEWS7
cm-will-visit-ganjam-and-gajapati-district-tomorrow-to-review-the-cyclone-and-flood-situation

ନୂଆଦିଲ୍ଲୀବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ପୂର୍ବତନ ଅଧ୍ୟକ୍ଷା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ,ଜୟ ଶଙ୍କର ଯୋଗ ଦେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖାଲିଦା ଜିଆଙ୍କ ବିୟୋଗରେ ସୋସିଆଲ୍ ମିଡିଆ ମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଶେଖ ହାସିନା ମଧ୍ୟ ଶୋକ ବ୍ୟକ୍ତ କରିଥିଲେ।

ଆସନ୍ତାକାଲି(ଡିସେମ୍ବର ୩୧) ଖାଲିଦା ଜିଆଙ୍କର ସରକାରୀ ଡେକୋରୋମରେ ଅନ୍ତିମ ସଂସ୍କାର କରାଯିବ। ଏନେଇ ସବୁ ପ୍ରସ୍ତୁତି ସରିଛି। ଏପଟେ ଜିଆଙ୍କ ପୁଅ ତାରିକ ରେହମାନ ନିର୍ବାଚନ ପାଇଁ ବାଂଲାଦେଶରେ ଅଛନ୍ତି।

ଖାଲିଦା ପ୍ରଥମ ଥର ୧୯୯୧ ମସିହାରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଫେବୃଆରୀ ୧୯୯୬ ମସିହାରେ କିଛି ସପ୍ତାହ ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ତାଙ୍କର ସବୁଠାରୁ ପ୍ରଭାବଶାଳୀ ଓ ବିବାଦୀୟ କାର୍ଯ୍ୟକାଳ ରହିଥିଲା।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଭାରତ ସହିତ ବାଂଲାଦେଶର ସମ୍ପର୍କ ପ୍ରାୟତଃ ଉତ୍ତେଜନାପୂର୍ଣ୍ଣ ଏବଂ ରାଜନୈତିକ ଗରମାଗରମି ମଧ୍ୟରେ ରହିଥିଲା। କାରଣ ସେ ନୂଆଦିଲ୍ଲୀ ସହିତ ସମ୍ପର୍କ ଅପେକ୍ଷା ପାକିସ୍ତାନ ଏବଂ ଚୀନ୍ ସହିତ ସମ୍ପର୍କକୁ ପ୍ରାଥମିକତା ଦେଉଥିଲେ। ଏଭଳି ଆଭିମୁଖ୍ୟ ବିଏନ୍ପି ଦଳର ଆଜି ମଧ୍ୟ ରହିଛି।

ତେବେ ଶେଖ ହାସିନା ସରକାର ଆସିବା ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କରେ ଘନିଷ୍ଠତା ଆସିଥିଲା। ହେଲେ ଗତବର୍ଷ ଛାତ୍ର ଆନ୍ଦୋଳନରୁ ହାସିନା ସରକାର ପତ୍ତନ ହେବା ଓ ସେ ଭାରତରେ ପୁନଃ ଶରଣ ନେବା ଦୁଇ ଦେଶର ସମ୍ପର୍କକୁ ଖରାପ କରିଦେଇଛି। ମହମ୍ମଦ ୟୁନୁସ ସରକାର ଭାରତ ବିରୋଧରେ ସମ୍ପର୍କକୁ ଖରାପ କରି ଦେଇଛନ୍ତି। ଛାତ୍ରନେତାମାନେ ମଧ୍ୟ ଭାରତ ବିରୋଧରେ ଦେଶରେ ଆନ୍ଦୋଳନ ଚଳାଇବା ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଜୟଶଙ୍କରଙ୍କ ବାଂଲାଦେଶ ଗସ୍ତ ଖୁବ୍ ଗୁରୁତ୍ୱପୂର୍ଣ୍ଣ।