ଭୁବନେଶ୍ୱର ୨୮।୧୦ : ମୁଖ୍ୟମନ୍ତ୍ରୀଙ୍କ ‘ମୋନ୍ଥା’ ସମୀକ୍ଷା । ବାତ୍ୟା ମୋନ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଜିରୋ କାଜୁଆଲିଟ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ମଙ୍ଗଳବାର ୫ ଓ ବୁଧବାର ୫ ଜିଲ୍ଲା ଜିଲ୍ଲା ପ୍ରଭାବିତ ହେବ । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ସେହିପରି ପ୍ରଭାବିତ ଜିଲ୍ଲାରେ ୩୦ ଯାଏ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ ରହିବ । ବର୍ତ୍ତମାନ ଯାଏ ୧୮୭୧ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୁକାବିଲା ପାଇଁ ୨୦୪୮ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ବାତ୍ୟା ମୋନ୍ଥା ମୁକାବିଲା ପାଇଁ ସବୁ ବିଭାଗ ପ୍ରସ୍ତୁତ ରହିଛି । ଜିଲ୍ଲାପାଳଙ୍କୁ କ୍ଷମତା ମଧ୍ୟ ଦିଆଯାଇଛି । ସେହିପରି ସାପ କାମୁଡ଼ା ଇଞ୍ଜେକ୍ସନ ପ୍ରସ୍ତୁତ ରଖାଯାଇଛି । ​​​​​​​

​​​​​​​ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ମଧ୍ୟ ବାତ୍ୟା ଦାନା ସମୟରେ ଆମେ ସଫଳ ଭାବରେ ଲୋକଙ୍କୁ ସ୍ଥାନାନ୍ତରିତ କରି ଜିରୋ କାଜୁଆଲ୍‌ଟି ହାସଲ କରିଥିଲୁ । ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ହେଉଛି ଆମର ଏକ ପ୍ରମୁଖ ଷ୍ଟ୍ରାଟେଜି । ତେଣୁ, ଏହି ଦିଗ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବାକୁ ସେ ପରାମର୍ଶ ଦେଇଥିଲେ। ବାତ୍ୟା ପରେ ଯେପରି ବିଭିନ୍ନ ଜରୁରୀ ବ୍ୟବସ୍ଥା ତୁରନ୍ତ ପୁନଃକ୍ଷମ କରାଯାଇ ପାରିବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଇଞ୍ଜିନିୟରିଂ ବିଭାଗ ଗୁଡିକରୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପରେ ପରେ ଯେପରି ଭାଙ୍ଗିଯାଇଥିବା ଗଛ ଗୁଡିକ ଯୋଗୁ ରାସ୍ତା ଅବରୋଧ ନହୁଏ, ସେଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସମୟ ହେଉଛି ଫସଲ ଅମଳର ସମୟ । ତେଣୁ, ବାତ୍ୟା ପରେ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀ ଭାଇମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ତିନି ଦିନ ଧରି ବାତ୍ୟା ମୁକାବିଲା ସମ୍ପର୍କରେ ନିୟମିତ ସମୀକ୍ଷା କରାଯାଉଛି ଓ ପ୍ରସ୍ତୁତିକୁ ସୁଦୃଢ କରାଯାଉଛି। ପ୍ରାୟ ସମସ୍ତ ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ତେବେ, ବିଭାଗୀୟ ସଚିବ ତଥା ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତିକୁ ଠିକ୍ ଭାବେ ମନିଟରିଂ କରି ସମସ୍ତ ପଦକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ସଚିବ ମାନେ ବିଭାଗୀୟ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନା କରିଥିଲେ। ତେବେ ବାତ୍ୟାର ମୁକାବିଲା ପାଇଁ ୩୦ ଟି ଓଡ୍ରାଫ, ୫ଟି ଏନ୍‌.ଡି.ଆର୍‌.ଏଫ ଏବଂ ୧୨୩ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ଆହୁରି ଅଧିକ ଟିମ୍ ଆଲର୍ଟରେ ଅଛନ୍ତି । ଆବଶ୍ୟକ ପଡିଲେ ନିୟୋଜିତ କରାଯିବ ।

ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକହେଲେ ଛୁଟିର ସମୟସୀମା ବଢାଯିବ।ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ଅଛନ୍ତି । ବିକଳ୍ପ ଭାବେ ସମସ୍ତ ଜରୁରୀ ସେବା ସଂସ୍ଥା ଗୁଡିକରେ ଡିଜି ସେଟ୍ ମହଜୁଦ ରଖାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପକାମୁଡା ଇଞ୍ଜେକ୍‌ସନ୍‌, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ୍ ରଖାଯାଇଛି।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କୁ ନିଷେଧ  କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟା ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗଦେଇଥିଲେ । ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।