ଭୁବନେଶ୍ୱର ୦୫/୦୯: ରାଜଧାନୀରେ ପ୍ରବଳ ବର୍ଷା । ପ୍ରାୟ ଏକ ଘଣ୍ଟା ଧରି ନିର୍ଦ୍ଧୁମ ଛେଛିଲା ବର୍ଷା । ଦେଖାଗଲାନି ମୁହଁକୁ ମୁହଁ । ଏମିତିକି ଗାଡି ଚାଲିବା ବି ହୋଇପଡିଲା ମୁସ୍କିଲ୍ । ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି । ମୂଷଳ ଧାରା ବର୍ଷା ହେତୁ ଅନେକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସ୍ଥିତି ଏମିତି ହୋଇଥିଲା ଯେ, ବିମାନ ବନ୍ଦରରେ ଓହ୍ଲାଇ ପାରିଲାନି ଏୟାର ଇଣ୍ଡିଆ ବିମାନ। ଏହି ବିମାନରେ ଦିଲ୍ଲୀରୁ ସରକାରୀ କାର୍ଯ୍ୟ ସରି ଭୁବନେଶ୍ୱର ଫେରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ପ୍ରବଳ ବର୍ଷା ଯୋଗୁଁ କୋଲକାତାକୁ ଡାଇଭର୍ସନ ହେଲା ବିମାନ।। ପାଗ ଖରାପ ଯୋଗୁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ନ ଓହ୍ଲାଇ କୋଲକାତା ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।