LIVE TV

ଲାଭ ଅସୁଲ ପାଇଁ ଖସିଲା ବଜାର, ନିବେଶକଙ୍କ କ୍ଷତି ୬୧,୦୦୦ କୋଟି ଟଙ୍କା

NEWS7
share market

ନୂଆଦିଲ୍ଲୀ: ଉତ୍ଥାନ-ପତନ କାରବାର ପରେ ଶେଷରେ ସେନସେକ୍ସ ଓ ନିଫ୍ଟି ଗୁରୁବାର ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । କାରବାର ଆରମ୍ଭରେ ବଜାରର ଦୁଇ ପ୍ରମୁଖ ସୂଚକାଙ୍କରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା । ସେନ୍‌ସେକ୍ସ ଓ ନିଫ୍ଟି ପ୍ରାୟ ୧ ପ୍ରତିଶତ ଯାଏ ବୃଦ୍ଧି ପାଇ ଗୋଟିଏ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । କିନ୍ତୁ ବର୍ଷର ସର୍ବକାଳୀନ ଶୀର୍ଷ ସ୍ତରରେ ପହଞ୍ଚିବା ପରେ ନିବେଶକମାନେ ଲାଭ ଅସୁଲ କରିବା ଆରମ୍ଭ କରିଥିଲେ, ଯେଉଁଥି ପାଇଁ ବଜାରର ଗତି ଧମେଇ ଯାଇଥିଲା । ଏହା ପୂର୍ବରୁ କାରବାର ସମୟରେ ନିଫ୍ଟି ୨୬,୦୦୦ ସ୍ତର ପାର୍ କରିଥିଲା, ଯାହା ୨୦୨୪ ସେପ୍ଟେମ୍ୱର ୩୦ ପରେ ଏହାର ସର୍ବୋଚ୍ଚ ସ୍ତର ଅଟେ । 

କାରବାର ସମୟରେ ସେନସେକ୍ସ ୮୬୩ ପଏଣ୍ଟ ବଢି ୮୫,୨୯୦ରେ ପହଞ୍ଚି ୫୨ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା, କିନ୍ତୁ ଲାଭ ଅସୁଲ ଯୋଗୁ କାରବାର ଶେଷରେ ଏଥିରେ ୮୦୦ ଅଙ୍କର ହ୍ରାସ ଦେଖିବାକୁ ମିଳିଥିଲା । ବଜାର ବନ୍ଦ ବେଳେ ସେନ୍‌ସେକ୍ସ ୧୩୦.୦୬ ଅଙ୍କ ବା ୦.୧୫ ପ୍ରତିଶତ ବଢି ୮୪,୫୫୬.୪୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨.୮୦ ଅଙ୍କ ବା ୦.୦୯ ପ୍ରତିଶତ ବଢି ୨୫,୮୯୧.୪୦ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ଆଜି ୪୭୦.୨୮ ଲକ୍ଷ କୋଟିକୁ ହ୍ରାସ ପାଇଛି ପୂର୍ବ କାରବାର ଦିନରେ ୪୭୦.୮୯ ଲକ୍ଷ କୋଟି ଥିଲା । ଏହିପରି ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ଆଜି ପ୍ରାୟ ୬୧,୦୦୦ କୋଟି ହ୍ରାସ ପାଇଛି । ଅନ୍ୟ ଶବ୍ଦରେ, ନିବେଶକଙ୍କୁ ପ୍ରାୟ ୬୧,୦୦୦ କୋଟି ଟଙ୍କା କ୍ଷତି ହୋଇଛି । ଇଟରନଲ୍, ଇଣ୍ଟରଗ୍ଲୋବାଲ୍ ଏଭିସନ, ଆଇଚର ମୋଟର୍ସ, ଭାରତୀ ଏୟାରଟେଲ୍ ଓ ଅଲ୍ଟ୍ରାଟେକ୍ ପରି ସେୟାରରେ ୩ ପ୍ରତିଶତ ଯାଏ ହ୍ରାସ ଦେଖିବାକୁ ମିଳିଥିଲା । ବିଏସ୍‌ଇ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ବି ଲାଲ୍ ସଂକେତରେ ବନ୍ଦ ହୋଇଛି ।