LIVE TV

ବକେୟ ବିଲ୍ ଦେଲେନି, ଥାନାରେ ଏତଲା ପରେ ରାଉରକେଲାରୁ ବନ୍ଧା ହେଲେ ମାଲିକ

NEWS7
rkl

ବ୍ରହ୍ମପୁର ୨୮।୦୯ : ପିଏସ୍‌ଆର ସିନେମା ହଲ୍‌ରେ ଥ୍ରି-ଡି ସାଉଣ୍ଡ ସିଷ୍ଟମ୍‌ ଲଗାଇଲେ। ହେଲେ ଏଥିପାଇଁ  ହୋଇଥିବା ବିଲ୍‌ ୩୯ ଲକ୍ଷ ଟଙ୍କା ଦେଲେ ନାହିଁ। ଶେଷରେ ବାଧ୍ୟ ହୋଇ ମୁମ୍ବାଇ ରିୟଲ୍‌ ଫିଲ୍ମ ପ୍ରୋପାଇର୍ଟର ସରଜୁ ରମେଶ ଚନ୍ଦ୍ର ଶାହା ଏନେଇ ଟାଉନ୍‌ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ପିଏସ୍‌ଆର୍‌ ସିନେମା ହଲ୍ ମାଲିକ ରାଜେଶ ଶର୍ମାଙ୍କୁ ଗିରଫ କରିଛି । ରାଉରକେଲାରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌ ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜେଶ ପୁରୁଣା ବସଷ୍ଟାଣ୍ଡ ରୋଡ୍ ଜନତା ସିଟି ସେଣ୍ଟରରେ ପିଏସ୍‌ଆର୍‌ ସିନେମା ହଲ୍‌ କରିଥିଲେ। ସେଠାରେ ସ୍କ୍ରିନ୍‌ ଓ ଥ୍ରି-ଡି ସାଉଣ୍ଡ ସିଷ୍ଟମ ଲଗାଇବା ପାଇଁ ମୁମ୍ବାଇ ରିୟଲ୍‌ ଫିଲ୍ମ ସହ ଚୁକ୍ତି କରିଥିଲେ। ଚୁକ୍ତିନାମା ଅନୁଯାୟୀ ସଂସ୍ଥାର କର୍ମଚାରୀ ୨୦୨୨ ମସିହାରେ ସମସ୍ତ ସାମଗ୍ରୀ ଆଣି ସିନେମା ହଲରେ ଲଗାଇଥିଲେ। ଏହା ବାବଦକୁ ୩୯ ଲକ୍ଷ ଟଙ୍କାର ଚେକ୍‌ ରାଜେଶ ଦେଇଥିଲେ। କିନ୍ତୁ ବ୍ୟାଙ୍କ୍‌ରେ ତାହା ବ୍ଲକ୍‌ (ଷ୍ଟପ୍‌) ପେମେଣ୍ଟ କରିଦେଇଥିଲେ। ରାଜେଶଙ୍କୁ ସଂସ୍ଥା ପକ୍ଷରୁ ଯୋଗାଯୋଗ କରିଥିଲେ ବି କୌଣସି ଉତ୍ତର ଦେଇନଥିଲେ। ଶେଷରେ ରିୟଲ୍‌ ଫିଲ୍ମ ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାଜେଶ ଶର୍ମାଙ୍କ ନାଁରେ ପୂର୍ବରୁ ୭ ଟି ଚେକ୍ ବାଉନ୍ସ ମାମଲା ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ।