ନୂଆପଡ଼ା ୯୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । କିଛି ଦିନ ଧରି ଏହି ଉପ ନିର୍ବାଚନ ନୂଆପଡାବାସୀଙ୍କୁ ଦେଉଛି ନୂଆ ଅନୁଭୂତି । ସକାଳ ହେଲେ ମାଳ ମାଳ ନେତା ଆଉ ସେମାନଙ୍କ ମାରାଥନ ପ୍ରଚାର । ଯେଉଁ ଗାଁର ରାସ୍ତାରେ ଦିନେ ଗୋଟିଏ ଗାଡି କାଁ ଭାଁ ଦେଖା ଯାଉଥିଲା ସେଠି ନାମୀ ଦାମୀ ଗାଡି ଦୌଡିଲା ଆଉ ହେଲିକପ୍ଟର ଓହ୍ଲାଇଲା । ତେବେ ଆଜି ସେହି ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡିଛି । ନିର୍ବାଚନ ଆଚରଣ ସଂହିତା ଅନୁଯାଇ ସନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ । ସବୁ ପୋଲିଂ ଶାନ୍ତିଶୃଙ୍ଖଳାରେ ହେବ । ୫୭ ସମ୍ବେଦନଶୀଳ ବୁଥ୍ ଅଛି ।  ସବୁ ବୁଥ୍‌ରେ ପୋଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରିପାରିବେ । ରାତି ୧୦ଟା ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ତେବେ ଶେଷ ଦିନରେ ତିନି ପ୍ରମୁଖ ଦଳ ଶେଷ ପ୍ରଚାର କରିଛନ୍ତି । ଆଉ ପ୍ରଚାରର ମଙ୍ଗ ଧରିଛନ୍ତି ନିଜେ ପ୍ରାର୍ଥୀ । ତିନି ପ୍ରମୁଖ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

ନୂଆପଡ଼ା ଉପ ନିର୍ବାଚନ ତାରିଖ ଘୋଷଣା ପରଠୁ ତିନି ପ୍ରମୁଖ ଦଳ ଏହି ସିଟ୍ ହାତେଇବା ପାଇଁ ପ୍ରଚାରକୁ ଗୁରୁତ୍ବ ଦେଇଥିଲେ । ବିଜେପିର ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନି ଥର ନୂଆପଡା ଆସି ପ୍ରଚାର କରିଥିଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡାକୁ ଦୁଇ ଥର ଆସି ରୋଡ୍ ଶୋ’ ଓ ସାଧାରଣ ସଭା କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ପ୍ରଚାରରେ ପଛରେ ପଡିଯାଇଥିଲା । ରେବନ୍ତ ରେଡ୍ଡି, କହେଁୟା କୁମାରଙ୍କ ଭଳି ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିବା ସତ୍ତ୍ବେ ରାଜ୍ୟ ନେତୃତ୍ବ ହିଁ କଂଗ୍ରେସ ପ୍ରଚାରର ମଙ୍ଗ ଧରିଥିଲେ । ସେପଟେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପ୍ରଚାର ପାଇଁ ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ଆସିଥିଲେ ।