ନୂଆଦିଲ୍ଲୀ: ଦେଶର ପ୍ରଥମ ବଡ଼ ଟେକ୍ ଏଜୁକେସନ କମ୍ପାନି ‘ବାଇଜୁସ’ର ମାଲିକ ବାଇଜୁ ରବିନ୍ଦ୍ରନଙ୍କୁ ସିଙ୍ଗାପୁରର ଏକ କୋର୍ଟ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ରବିନ୍ଦ୍ରନ ନିଜ ସମ୍ପତ୍ତି ସହ ଜଡ଼ିତ ଜରୁରୀ ନଥିପତ୍ର ଲୁଚାଇବା ସହ ଅଦାଲତଙ୍କ ଆଦେଶ ଅବମାନନା କରିଛନ୍ତି।

ସିଙ୍ଗାପୁର କୋର୍ଟଙ୍କ ଅନୁସାରେ, ରବିନ୍ଦ୍ରନ ଏପ୍ରିଲ ୨୦୨୪ରୁ ଲଗାତାର ନିଜ ସମ୍ପତ୍ତି ସହ ଜଡ଼ିତ ସୂଚନା ଦେବାର ଆଦେଶକୁ ଅଣଦେଖା କରୁଥିଲେ। ଆଉ ବାରମ୍ବାର ଅଦାଲତଙ୍କ ଆଦେଶର ଉଲ୍ଲଘଂନ କରିବା ଯୋଗୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଜେଲ ପଠାଇବାକୁ ରାୟ ଶୁଣାଇଛନ୍ତି। କୋର୍ଟ ରବିବନ୍ଦ୍ରନଙ୍କୁ ତୁରନ୍ତ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ଜେଲ ଦଣ୍ଡ ସହ ୬୭ ଲକ୍ଷ ଟଙ୍କା ଜରିମାନା ସଜା

ସଜା ସହ ରବିନ୍ଦ୍ରନଙ୍କ ଉପରେ ୯୦ ହଜାର ସିଙ୍ଗାପୁର ଡଲାର ବା ପ୍ରାୟ ୬୭ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି। ତାଙ୍କୁ ଏହି ଟଙ୍କା ଲିଗାଲ କଷ୍ଟ୍ ଭାବରେ ଦେବାକୁ ପଡ଼ିବ। ଏହା ବାଦ୍ ରବିନ୍ଦ୍ରନଙ୍କୁ ‘ବି.ଆର ଇନଭେଷ୍ଟକୋ ପିଟିଈ’ର ଆଇନଗତ ମାଲିକାନା ପ୍ରମାଣିତ କରୁଥିବା ଦସ୍ତାବିଜ ମଧ୍ୟ କୋର୍ଟରେ ଦାଖଲ କରିବାକୁ ଆଦେଶ ଦିଆଯାଇଛି। ଏହା ଏକ କର୍ପୋରେଟ୍ ସଂସ୍ଥା। ଯାହା ପାଖରେ ‘ବାଇଜୁସ’ର ସେୟାର ରହିଛି।

କତର ଇନଭେଷ୍ଟମେଣ୍ଟ ଅଥରିଟି କରିଥିଲା କେସ୍

ରବିନ୍ଦ୍ରନଙ୍କ ବିରୋଧରେ ସିଙ୍ଗାପୁର ଅଦାଲତରେ ଏହି ମାମଲା କତରର ସୋଭେରିନ୍ ଓ୍ବେଲ୍ଥ ଫଣ୍ଡ୍ ‘କତର ଇନଭେଷ୍ଟମେଣ୍ଟ ଅଥରିଟି’ (QIA)ର ଏକ ସହାୟକ କମ୍ପାନି ରୁଜୁ କରିଥିଲା। QIA ବାଇଜୁଙ୍କ ସେହି ଫଣ୍ଡିଂରେ ନିବେଶ କରିଥିଲେ, ଯେତେବେଳେ କମ୍ପାନି ସଙ୍କଟ ମଧ୍ୟରେ ଗତି କରୁଥିଲା ଏବଂ କର୍ମଚାରୀଙ୍କ ଛଟେଇ କରୁଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରବିନ୍ଦ୍ରନଙ୍କ ପକ୍ଷରୁ ଏହି ସଜା ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ। ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ, ବାଇଜୁ ରବିନ୍ଦ୍ରନ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି କି’ ଅନ୍ୟ କୌଣସି ଦେଶରେ।

ଆମେରିକୀୟ ନିବେଶକଙ୍କ ସହିତ ମଧ୍ୟ ଚାଲିଛି ଆଇନଗତ ଲଢ଼େଇ

ପୂର୍ବରୁ ବିଶ୍ୱବ୍ୟାପୀ ବିଦେଶୀ ନିବେଶକଙ୍କ ପକ୍ଷରୁ ରୁଜୁ ମାମଲାର ସାମ୍ନା କରୁଥିବା ବେଳେ, ରବିନ୍ଦ୍ରନଙ୍କ ପାଇଁ ଏହି ଦଣ୍ଡ ଅଡ଼ୁଆ ବଢ଼ାଇପାରେ। କମ୍ପାନିର ଆର୍ଥିକ ସ୍ଥିତି ଖରାପ ହେବା ଆରମ୍ଭ ହେବା ପରେ ଆମେରିକାର ଋଣଦାତାମାନେ ବିବାଦୀୟ ହୋଇଯାଇଥିବା ୧.୨ ବିଲିୟନ ଡଲାର ବା ପ୍ରାୟ ୧୧ ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଆଇନଗତ ଲଢ଼େଇ ମଧ୍ୟ କରୁଛନ୍ତି।

ରବିନ୍ଦ୍ରନ୍ ତାଙ୍କର କମ୍ପାନି, ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ଆରମ୍ଭ କରିଥିଲେ। ଯାହା ସାରା ବିଶ୍ୱରେ ବାଇଜୁସ ନାମରେ ପରିଚିତ ହୋଇଥିଲା। ଏଥିପାଇଁ ତାଙ୍କୁ ଏକଦା ଭାରତର ସବୁଠାରୁ ସଫଳ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା ଏବଂ ଏହି କମ୍ପାନି ତାଙ୍କୁ କୋଟିପତି ମଧ୍ୟ କରିଥିଲା। ଖାଲି ସେତିକି ନୁହେଁ ‘ବାଇଜୁସ’କୁ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରୁ ବଡ଼ ନିବେଶ ମଧ୍ୟ ମିଳିଥିଲା।

କିପରି ଭୁଶୁଡ଼ି ପଡ଼ିଲା ୨୨ ବିଲିୟନ ଡଲାରର କମ୍ପାନି ?

ବାଇଜୁସ ଏକଦା ଭାରତର ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଥିଲା। ୨୦୨୨ ବେଳକୁ ଏହାର ମୂଲ୍ୟ ୨୨ ବିଲିୟନ ଡଲାର ବା ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଭାରତୀୟ କ୍ରିକେଟ୍ ଦଳର ଜର୍ସିରେ କମ୍ପାନିର ଲୋଗୋ ପ୍ରଦର୍ଶିତ ହୋଇଥିଲା।

କିନ୍ତୁ ନଭେମ୍ବର ୨୦୨୧ରେ ବିଦେଶୀ ଋଣଦାତାମାନଙ୍କଠାରୁ ନିଆଯାଇଥିବା ୧.୨ ବିଲିୟନ ଡଲାର (ପ୍ରାୟ ୧୧,୦୦୦ ହଜାର କୋଟିର ମିଆଦୀ ଋଣ ସହିତ କମ୍ପାନିର ପତନ ଆରମ୍ଭ ହୋଇଥିଲା। ଋଣଦାତାମାନେ କମ୍ପାନି ଉପରେ ଠକେଇ ଏବଂ ସ୍ୱଚ୍ଛତାର ଅଭାବର ଅଭିଯୋଗ ଆଣିଥିଲେ। ଏହା ପରେ ଅଡିଟରେ ବିଳମ୍ବ ଏବଂ ବଢ଼ୁଥିବା କ୍ଷତି ନିଆଁରେ ଘିଅ ଢାଳିଥିଲା। ଏହାଯୋଗୁ ୨୦୨୧ ଆର୍ଥିକ ବର୍ଷରେ କମ୍ପାନିର କ୍ଷତି ୪,୫୮୮ କୋଟି ଟଙ୍କାରେ ପହଞ୍ଚିଥିଲା।

୫୩୩ ମିଲିୟନ ଡଲାର ଅପବ୍ୟବହାର ଅଭିଯୋଗ ଆଣିଛନ୍ତି ଋଣଦାତା

ପ୍ରାୟ ୫୩୩ ମିଲିୟନ ବା ପ୍ରାୟ ୫,୧୦୦ କୋଟି ଟଙ୍କା ମୂଲ୍ୟର ପାଣ୍ଠି ସେମାନଙ୍କ ଅଜାଣତରେ ସ୍ଥାନାନ୍ତର କରାଯାଇଥିବା ଋଣଦାତାମାନେ ଅଭିଯୋଗ କରିବା ପରେ ବାଇଜୁସ ଏବଂ ଏହାର ଋଣଦାତାଙ୍କ ମଧ୍ୟରେ ବିବାଦ ଆହୁରି ଘନେଇଥିଲା।

ଆମେରିକା ଏବଂ ୟୁକେ କୋର୍ଟରେ ଚାଲିଥିବା ଶୁଣାଣିରେ ଦାବି କରାଯାଇଛି ଯେ ଏହି ଟଙ୍କା OCI ଲିମିଟେଡ୍ ନାମକ ଏକ କମ୍ପାନି ମାଧ୍ୟମରେ ଚାଲାଣ କରାଯାଇଥିଲା। ଆମେରିକାର କୋର୍ଟ ଏହାକୁ "ଅବୈଧ ସ୍ଥାନାନ୍ତର" ବୋଲି ବର୍ଣ୍ଣନା କରିଛନ୍ତି।

କ୍ରିକେଟ୍ ଚୁକ୍ତି ଯୋଗୁ ଆରମ୍ଭ ହୋଇଥିଲା ଦେବାଳିଆ ଅବସ୍ଥା

ଜୁଲାଇ ୨୦୨୪ରେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ (NCLT) କମ୍ପାନି ବିରୁଦ୍ଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ପରେ ଭାରତରେ ବାଇଜୁଙ୍କ ପାଇଁ ସମସ୍ୟା ବଢ଼ିଥିଲା। ଆଶ୍ଚର୍ଯ୍ୟର କଥା, ଯେଉଁ ଭାରତୀୟ କ୍ରିକେଟ ବୋର୍ଡର ସ୍ପନସରସିପ୍ ଯୋଗୁ କମ୍ପାନି ପ୍ରସିଦ୍ଧି ପାଇଥିଲା। ସେହ ବିସିସିଆଇର ୧୫୮ କୋଟି ଟଙ୍କା ବକେୟା ପୈଠ ନକରିଥିବା ଅଭିଯୋଗରେ ହିଁ ମାମଲା ଆରମ୍ଭ ହୋଇଥିଲା। ଏବେ କମ୍ପାନି ସବୁଠୁ ଦାମୀ ଆସେଟ ‘ଆକାଶ’ ଉପରୁ ମଧ୍ୟ ନିୟନ୍ତ୍ରଣ ହରାଇବାକୁ ଯାଉଛି।

କମ୍ପାନିର ଭୟଙ୍କର ପରିସ୍ଥିତି ଏହାର କର୍ମଚାରୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। କିଛି ମାସ ଧରି ଦରମା ବନ୍ଦ ରଖାଯାଇଛି ଏବଂ ବ୍ୟାପକ ଛଟେଇ କରାଯାଇଛି। ନିବେଶକମାନେ ବିଶ୍ୱାସ ହରାଇବା ପରେ, ଫୋର୍ବସ୍ ବାଇଜୁ ରବିନ୍ଦ୍ରନଙ୍କ ନେଟ୍ ସମ୍ପତ୍ତି ଶୂନ୍ୟ ବୋଲି ଘୋଷଣା କରିଛି।