୫ ମିନିଟ୍‌ର ଚାର୍ଜିଂରେ ୫୦୦ କିମିର ରେଞ୍ଜ୍‌ ! BYD ଲଞ୍ଚ କଲା ଦୁନିଆର ସବୁଠୁ ଫାଷ୍ଟ୍‌ ଇଭି ଚାର୍ଜିଂ ଷ୍ଟେସନ

Published By : Prameya-News7 Bureau | March 18, 2025 IST

ନୂଆଦିଲ୍ଲୀ: ଚୀନ୍‌ର ଇଲେକ୍ଟ୍ରିକ୍‌ ଗାଡ଼ି (EV) ନିର୍ମାତା କମ୍ପାନି BYD ଏହାର ନୂଆ ଚାର୍ଜିଂ ପ୍ଲାଟଫର୍ମ ଲଞ୍ଚ କରିଛି। ଏହି ପ୍ଲାଟଫର୍ମ କେବଳ ୫ ମିନିଟ୍‌ର ଚାର୍ଜିଂରେ ୫୦୦ କିଲୋମିଟରର ରେଞ୍ଜ ଦେଇପାରିବ ବୋଲି କହିଛି କମ୍ପାନି। BYDର ଏହି ନୂଆ ଚାର୍ଜିଂ ପ୍ଲାଟଫର୍ମର ନାଁ ରହିଛି ‘Super e-Platform’। ଆଗାମୀ ସମୟରେ ଏହି ଫାଷ୍ଟ-ଚାର୍ଜିଂ ଷ୍ଟେସନକୁ ସମଗ୍ର ଚୀନ୍‌ରେ ସ୍ଥାପନ କରାଯିବା ନେଇ କମ୍ପାନି ଘୋଷଣା କରିଥିବାବେଳେ, ଏହଦ୍ବାରା ଇଭି ଚାର୍ଜିଂ ଇନଫ୍ରାଷ୍ଟ୍ରକଚରରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଅନୁମାନ କରାଯାଉଛି।

BYDର ନୂଆ Super e- Platformର ପିକ୍ ଚାର୍ଜିଂ ସ୍ପିଡ୍ ୧୦୦୦ kW ରହିଛି। ଏହାଦ୍ବାରା କେବଳ ୫ ମିନିଟ୍‌ର ଚାର୍ଜିଂରେ ୪୦୦ କିମିର ରେଞ୍ଜ ମିଳିପାରିବ। ଏହି ଚାର୍ଜିଂ ସ୍ପିଡ୍ ଟେସଲାର ଲେଟେଷ୍ଟ ୫୦୦ kW ସୁପରଚାର୍ଜଠାରୁ ଦୁଇଗୁଣା ଦ୍ରୁତ। ଫଳରେ BYDର ଏହି ନୂଆ ଟେକ୍ନୋଲୋଜି ଏବେ ଦୁନିଆର ସବୁଠୁ ଆଡଭାନ୍ସ ଇଭି ଚାର୍ଜିଂ ଟେକ୍ନୋଲୋଜି ମଧ୍ୟରୁ ଗୋଟିଏ ହୋଇଛି।ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରିକ୍‌ ଗାଡ଼ିକୁ ଚାର୍ଜ କରିବା ଯେପରି ପେଟ୍ରୋଲ କାର୍‌ରେ ପେଟ୍ରୋଲ ଭରିବା ଭଳି ସହଜ ହେବ। କମ୍ପାନି କହିଛି ପେଟ୍ରୋଲ କାର୍‌ରେ ତେଲ ପକାଇବା ଯେତିକି ସହଜ ଏବଂ ସ୍ବଳ୍ପ ସମୟର କାମ, ସେହିଭଳି ଏହି ଚାର୍ଜିଂ ଷ୍ଟେସନରୁ ଇଭି ଚାର୍ଜ କରିବା ମଧ୍ୟ ସେତିକି କମ୍ ସମୟ ନେବ।

ଅବଶ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ନୂଆ ଚାର୍ଜିଂ ପ୍ଲାଟଫର୍ମରେ କେବଳ ବିଓ୍ବାଇଡିର ଦୁଇ ଆଗାମୀ ମଡେଲ Han L ସିଡାନ ଏବଂ TANG L SUVକୁ ଚାର୍ଜ କରାଯାଇପାରିବ। ଆଉ ପରବର୍ତ୍ତୀ ସମୟରେ ଏହା ସବୁ ଇଭିକୁ ସପୋର୍ଟ କରିବ। ତେବେ କମ୍ପାନି ଚୀନ୍‌ରେ ୪ ହଜାରରୁ ଅଧିକ ଅଲ୍ଟ୍ରା-ଫାଷ୍ଟ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାର ଯୋଜନା ଥିବା ଘୋଷଣା କରିଛି। ବର୍ତ୍ତମାନ ବିଓ୍ବାଇଡି ଗ୍ରାହକଙ୍କୁ ଟେସଲା, Nio, Li Auto, Xpeng ଏବଂ Zeekr ଦ୍ବାରା ପରିଚାଳିତ ଚାର୍ଜିଂ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡ଼ୁଛି।

ସୂଚନାଯୋଗ୍ୟ, ବିଓ୍ବାଇଡି ମୁଖ୍ୟତଃ ପ୍ଲଗ୍ ଇନ୍‌ ହାଇବ୍ରିଡ୍‌ ବାହନ ବିକ୍ରି କରୁଛି।୨୦୨୪ରେ କମ୍ପାନି ୪୨ ଲକ୍ଷ ଗାଡ଼ି ବିକ୍ରି କରିଥିଲା। ଆଉ ୨୦୨୫ରେ ୫୦ରୁ ୬୦ ଲକ୍ଷ ୟୁନିଟ୍‌ ବିକ୍ରି କରିବାର ଟାର୍ଗେଟ ରଖିଛି। ତେଣୁ କମ୍ପାନିର ଚାର୍ଜିଂ ଇନଫ୍ରାଷ୍ଟ୍ରକଚରରେ ନିବେଶ ନିଷ୍ପତ୍ତି ଚୀନର ଇଭି ବଜାର ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସେପଟେ ଏହି ଚାର୍ଜିଂ ଷ୍ଟେସନ ସହ BYD ଏବେ ଟେସଲା ଏବଂ ଅନ୍ୟ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ଚାଲେଞ୍ଜ କରିବାକୁ ପ୍ରସ୍ତୁତି କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.