ନୂଆଦିଲ୍ଲୀ, ୨୬/୧୧:ବିହାର ବିଧାନସଭା ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଏନଡିଏ । ବିଜେପି-ଜେଡିୟୁ ମେଣ୍ଟ ରାଜ୍ୟରେ ୨୦୦ରୁ ଅଧିକ ଆସନ ଜିତି ସରକାର ଗଢିଛି । ନୀତିଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ରାଜ୍ୟ ଚଲାଇଲେଣି । ତେବେ ବିଜେପିର ବଡ ବିଜୟ ପଛର ନାୟକଙ୍କୁ ସମ୍ମାନ କରିବାକୁ ରାତ୍ରିଭୋଜନର ଆୟୋଜନ କରିଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିହାର ବିଧାନସଭାରେ କାର୍ଯ୍ୟ କରି ଦଳକୁ ଜିତାଇଥିବା ନେତା ମାନଙ୍କୁ ରାତ୍ରଭୋଜନରେ ନିମନ୍ତ୍ରଣ କରାଯାଇଛି ।

କେବଳ ବିହାର ନୁହେଁ, ଦିଲ୍ଲୀ, ଉତ୍ତରପ୍ରଦେଶ. ହରିୟାଣା, ମଧ୍ୟପ୍ରଦେଶ. ଓଡିଶା, ମହାରାଷ୍ଟ୍ର, ଝାଡଖଣ୍ଡର ଅନେକ ନେତା ବିଜେପିର ବିହାର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ବଛା ବଛା ୪୫ ଜଣ ନେତାଙ୍କ ନାମ ପ୍ରଦାନ କରାଯାଇଛି । ପ୍ରତି ନେତାଙ୍କୁ ଗୋଟିଏ ଲୋକସଭା କ୍ଷେତ୍ରରେ ଆସୁଥିବା ୬ ବିଧାନସଭାର ଦାୟିତ୍ୱ ଦିଆଯାଇଥିଲା ।

ଚଳିତ ବର୍ଷ ବିହାର ନିର୍ବାଚନରେ ବିଜେପି ରାଜ୍ୟରେ ସର୍ବାଧିକ ଆସନ ଦଖଲ କରିଥିବା ଦଳ ହୋଇପାରିଥିଲା । ଅନ୍ୟ ରାଜ୍ୟର ନେତା ଏଥିରେ ଯୋଗଦାନ ଦେଇଥିଲେ । ପଡୋଶୀ ରାଜ୍ୟର ମନ୍ତ୍ରୀ କର୍ମୀଙ୍କ ସହ ଘର ଘର ବୁଲି ଭୋଟ୍ ମାଗିଥିଲେ । ଏନଡିଏ ସମର୍ଥନରେ ସେମାନେ ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ପ୍ରସଙ୍ଗକୁ ବୁଝି ଦଳର ଆଭିମୁଖ୍ୟ ଜନତାଙ୍କ ନିକଟରେ ପହଁଚାଇବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।

ବିଜେପି ବିଜୟର ବିନ୍ଧାଣୀ ସାଜିଥିବା ନେତାଙ୍କୁ ସମ୍ମାନ ଜଣାଇବା ପାଇଁ ରାତ୍ର ଭୋଜନ ପାଇଁ ଡକରା ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ସିଆର ପାଟିଲ. ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସାମିଲ ହେବେ ବୋଲି କୁହାଯାଉଛି । ଆଗାମୀ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ବିଧାନସଭା ନିର୍ବାଚଣ ପାଇଁ ମଧ୍ୟ ରାତ୍ର ଭୋଜନ ପରେ ଆଲୋଚନା ହୋଇପାରେ । ସମସ୍ତ ଜାଗାରେ ବିହାର ମଡେଲକୁ ବ୍ୟବହାର କରି ପ୍ରଚାର କରାଯିବା ପାଇଁ ନଡ୍ଡା ଜୋର୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।