ମୁମ୍ବାଇ ୩୧।୧: ଦେଶର ସାଧାରଣ ବଜେଟ୍ ସେୟାର ବଜାର ଉପରେ ବେଶ୍ ପ୍ରଭାବ ପକାଇଥାଏ। କାରଣ ବଜେଟ ବଜାରର ଦିଶା ନିର୍ଦ୍ଧାରଣ କରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ଦିନ ଦେଶର ବଜେଟ୍ ଉପସ୍ଥାପନ କରିବେ। ଏହି ଦିନଟି ଶନିବାର। ସେୟାର ବଜାରରେ ଶନିବାର ଓ ରବିବାର ସାପ୍ତାହିକ ଛୁଟି ଥାଏ। ତେବେ ଏଥର ବଜେଟ ଦିନ ସେୟାର ବଜାର ଖୋଲା ରହିବ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନଏସଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ବଜେଟ-୨୦୨୫କୁ ଧ୍ୟାନରେ ରଖି ଶନିବାର ପୁରାଦିନ କାରାବାର କରିବାକୁ ଘୋଷଣା କରିଛନ୍ତି।
ଉଭୟ ଏକ୍ସଚେଞ୍ଜ ଏକ ସର୍କୁଲାରରେ ସ୍ପଷ୍ଟ କରିଛନ୍ତି ଯେ ଫେବୃଆରୀ ୧ ତାରିଖରେ ଲାଇଭ ଟ୍ରେଡିଂ ହେବ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୧ ଫେବୃଆରୀ ୨୦୨୦ ଓ ୨୮ ଫେବୃଆରୀ ୨୦୧୫ରେ ବଜେଟ ଯୋଗୁ ବଜାର ଶନିବାର ମଧ୍ୟ ଖୋଲା ଥିଲା। ୧ ଫେବୃଆରୀ ଅର୍ଥାତ ଶନିବାର ଦିନ ଅନ୍ୟ ଦିନ ଭଳି ସେୟାର ବଜାର ନିଜର ସ୍ୱଭାବିକ ସମୟରେ ଖୋଲିବ। ଇକ୍ୱିଟି ମାର୍କେଟ୍ ପୂର୍ବାହ୍ନ ୯ଟା ୧୫ ମିନିଟରୁ ମଧ୍ୟାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ କାରବାର କରିବ। ତେବେ କମଡିଟି ଡେରିଭେଟିଭ ବଜାରରେ ଟ୍ରେଡିଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ।
ତେବେ ସେଟେଲମେଟ୍ ହଲିଡେ କାରଣରୁ ଶନିବାର ଟି-ଜିରୋ ସେସନ ବନ୍ଦ ରହିବ। ଶନିବାର ବଜାର ଖୋଲିବାର ଅର୍ଥ ଆପଣ ବଜେଟ ଘୋଷଣା ଗୁଡିକର ମାର୍କେଟ ଉପରେ ସିଧା ପ୍ରଭାବକୁ ଅନୁଭବ କରିପାରିବେ। ବଜେଟ ଯୋଗୁ ବଜାର ଉପରେ ପ୍ରଭାବର କଥା କହିବାକୁ ଗଲେ ଏହାର ମିଶ୍ରିତ ଇତିହାସ ରହିଛି। ୨୦୨୦ ମସିହାରେ ବଜେଟ୍ ଫେବୃଆରୀ ୧ ତାରିଖ ଦିନ ଆସିଥିଲା। ସେଦିନ ନିଫ୍ଟି ୨.୫ ପ୍ରତିଶତ ହ୍ରାସରେ ବନ୍ଦ ହୋଇଥିଲା।
ତେବେ ୨୦୨୧ ବଜେଟ ଦିନ ନିଫ୍ଟିରେ ୪.୪୭ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଥିଲା। ୨୦୨୨ ମସିହା ବଜେଟ୍ ଦିନ ନିଫ୍ଟି ୧.୪୦ ପ୍ରତିଶତ ମଜଭୁତ ହୋଇଥିଲା। ତେବେ ୨୦୨୩ ବଜେଟରେ ନିଫ୍ଟି ୦.୨୬ ପ୍ରତିଶତ କ୍ଷତିରେ ବନ୍ଦ ହୋଇଥିଲା। ଗତବର୍ଷ ଅର୍ଥାତ ୨ ଫେବୃଆରୀ ୨୦୨୪ରେ ଅନ୍ତରୀଣ ବଜେଟ୍ ଆସିଥିଲା। ସେଦିନ ନିଫ୍ଟି ୦.୧୩ ଓ ଜୁଲାଇ ୨୦୨୪ରେ ନିଫ୍ଟି ୦.୧୨ ପ୍ରତିଶତ ହ୍ରାସରେ ବନ୍ଦ ହୋଇଥିଲା।