ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଜନଶୁଣାଣି ଚାଲିଥିବା ସମୟରେ ଜଣେ ୧୩ ବର୍ଷର ବାଳକ ଜିଲ୍ଲାପାଳ (DM) ଏବଂ ଆରକ୍ଷୀ ଅଧୀକ୍ଷକ (SP) ଙ୍କ ସାମ୍ନାରେ ଠିଆ ହୋଇ ସରକାରୀ ବ୍ୟବସ୍ଥା ଉପରେ ଏଭଳି ପ୍ରଶ୍ନ କରିଛି, ଯାହା ଶୁଣି ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ନିର୍ଭୀକ ବାଳକର ନାମ ହେଉଛି ଅମିତାଭ ଗୁପ୍ତା, ଯିଏ କି ଅଷ୍ଟମ ଶ୍ରେଣୀରେ ପଢ଼ୁଛି। ଅମିତାଭଙ୍କ ପରିବାର ଏକ ବଡ଼ ଆର୍ଥିକ ଅନଟନ ଦେଇ ଗତି କରୁଛି। ତାଙ୍କ ବାପା ମାନସିକ ସ୍ତରରେ ଅସୁସ୍ଥ ଥିବାବେଳେ ମା' ଅନ୍ୟ ଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ତେବେ ସେମାନେ ରହୁଥିବା ଘରର ଏକ ଅଂଶରେ ତାଙ୍କର ଜଣେ ସମ୍ପର୍କୀୟ ଖୁଡୀ ତାଲା ପକାଇ ଦେଇଛନ୍ତି। ଏହି ତାଲା ଖୋଲିବା ପାଇଁ ପରିବାର ଲୋକେ ଦୀର୍ଘ ଦିନ ହେବ ସରକାରୀ ଅଫିସ୍ ଚକ୍କର କାଟୁଥିଲେ ମଧ୍ୟ କୌଣସି ସମାଧାନ ହେଉ ନଥିଲା। ଶେଷରେ କୌଣସି ଉପାୟ ନପାଇ ଅମିତାଭ ନିଜେ ଅଭିଯୋଗ ପତ୍ର ଧରି ଜିଲ୍ଲାପାଳଙ୍କ ପାଖକୁ ଚାଲିଆସିଥିଲେ।

ଜନଶୁଣାଣିରେ ଜିଲ୍ଲାପାଳ ଅଞ୍ଜନୀ କୁମାର ସିଂହ ଯେତେବେଳେ ବାଳକକୁ ଏକା ଆସିଥିବାର ଦେଖିଲେ, ସେ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ। ଅମିତାଭ ନିଜର ସମସ୍ୟା ଜଣାଇବା ପରେ ସେଠାରେ ଉପସ୍ଥିତ ଜଣେ ପୋଲିସ ଅଧିକାରୀ କହିଥିଲେ, ‘ଆମେ କାମଟା କରିଦେବୁ।’
ଏହା ଶୁଣି ଅମିତାଭ ତୁରନ୍ତ ଉତ୍ତର ଦେଇଥିଲେ, ‘ସାର୍, କରିଦେବୁ ନୁହେଁ... ଜଲଦି କରି ଦିଅନ୍ତୁ। ଆପଣମାନେ ତ କେବଳ କୁହନ୍ତି, କିନ୍ତୁ ତାଲା କେବେ ଖୋଲେ ନାହିଁ।’ ବାଳକର ଏହି ସ୍ପଷ୍ଟବାଦିତା ଶୁଣି ସେଠାରେ ଥିବା ଅଧିକାରୀମାନେ ହସିବାକୁ ଲାଗିଥିଲେ।

ଗରିବୀ ଏବଂ ବ୍ୟବସ୍ଥା ଉପରେ ବଡ଼ ପ୍ରହାର
କଥାବାର୍ତ୍ତା ବେଳେ ଜିଲ୍ଲାପାଳ ବାଳକକୁ ବୁଝାଇବାକୁ ଚେଷ୍ଟା କରି କହିଥିଲେ ଯେ, ବର୍ତ୍ତମାନ ତୁମର ପଢ଼ିବା ବୟସ, ତୁମେ ପାଠପଢ଼ା ଉପରେ ଧ୍ୟାନ ଦିଅ। ଏହାର ଉତ୍ତରରେ ଅମିତାଭ କହିଥିଲେ, ‘ଆପଣ ତ ନିଜ ଦରମାରୁ ଆମକୁ ପଢ଼ାଇବେ ନାହିଁ, ସେଥିପାଇଁ ଟଙ୍କା ଦରକାର। ମୋ ମା' ଦୈନିକ ୫୦ ଟଙ୍କାର ପରିବା ଆଣନ୍ତି, ଆଜିକାଲି ୫୦ ଟଙ୍କାରେ କଣ ହେଉଛି ?’ ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ମା'ଙ୍କ ମାସିକ ଆୟ ମାତ୍ର ୩,୦୦୦ ଟଙ୍କା, ଯେଉଁଥିରେ ଘର ଚଳାଇବା ସହ ପାଠ ପଢିବା ସମ୍ଭବ ହେଉନାହିଁ। ଯଦି ଘରର ସମସ୍ୟା ସମାଧାନ ନହେବ, ତେବେ ସେ ପଢିବେ କେମିତି ?

କଥା ପ୍ରସଙ୍ଗରେ ସେ ପୋଲିସ ବ୍ୟବସ୍ଥାକୁ ଟାର୍ଗେଟ୍ କରି କହିଥିଲେ, ‘ଆପଣମାନଙ୍କୁ ତ  ଟିକେ କମିଶନ (ଲାଞ୍ଚ) ଦେଇଦେଲେ କାମ ହୋଇଯାଏ।’ ଏହା ଶୁଣି ଜିଲ୍ଲାପାଳ ତାଙ୍କୁ ଅଟକାଇଥିଲେ ଏବଂ କହିଥିଲେ ଯେ, ସବୁ କଥା ଏମିତି ସର୍ବସମ୍ମୁଖରେ କହିବା ଉଚିତ ନୁହେଁ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଲୋକେ ବାଳକର ସାହସକୁ ପ୍ରଶଂସା କରିଛନ୍ତି। ଯେଉଁ ବୟସରେ ପିଲାମାନେ ଖେଳକୁଦ କରନ୍ତି, ସେହି ବୟସରେ ପରିବାରର ସ୍ଥିତି ସୁଧାରିବାକୁ ଏକ ୧୩ ବର୍ଷର ପିଲାକୁ ସରକାରୀ ଅଫିସ ଆସିବାକୁ ପଡ଼ିଛି, ତାହା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଅମିତାଭଙ୍କ ଘରେ ପହଞ୍ଚି ତାଙ୍କ ମା'ଙ୍କ ସହ କଥା ହୋଇଛି। ଅମିତାଭଙ୍କ ମା' ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ପୁଅ ସ୍କୁଲରୁ ଟିସି (TC) ଆଣିବାକୁ କହି ଘରୁ ବାହାରିଥିଲା, କିନ୍ତୁ ସେ ସିଧା ଜନଶୁଣାଣିକୁ ଚାଲିଯାଇଥିଲା। ଏବେ ପ୍ରଶାସନ ତରଫରୁ ଏହି ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।