News7 Logo

ନେପାଳ ପରେ ଫ୍ରାନ୍ସରେ ସରକାର ବିରୋଧୀ ଆନ୍ଦୋଳନ, ପ୍ରଦର୍ଶନକାରୀ-ପୋଲିସ ମଧ୍ୟରେ ସଂଘର୍ଷ; ୨୦୦ ଗିରଫ

NEWS7
france

ନୂଆଦିଲ୍ଲୀ: ଫ୍ରାନ୍ସ ରାଜଧାନୀ ପ୍ୟାରିସ ସମେତ ବିଭିନ୍ନ ସ୍ଥାନରେ ବୁଧବାର ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇ ହଙ୍ଗାମା କରିବା ସହ ସାର୍ବଜାନୀନ ସମ୍ପତ୍ତିରେ ନିଆଁ ଲଗାଇଛନ୍ତି । ଜଳାପୋଡ଼ା ଯୋଗୁ ସହରର ବିଭିନ୍ନ ସ୍ଥାନରେ ଉତ୍ତେଜନା ବୃଦ୍ଧି ପାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ବଳ ପ୍ରୟୋଗ କରିଛି । ଲୁହ ବୁହା ଗ୍ୟାସ୍ ମାଡ଼ କରିଛି । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଉପରେ ଚାପ ପକାଇବା ପାଇଁ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ବାରମ୍ୱାର ପ୍ରଧାନମନ୍ତ୍ରୀ ପରିବର୍ତ୍ତନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ପ୍ରଦର୍ଶନକାରୀ ଏହି ଆନ୍ଦୋଳନକୁ ବ୍ଲକ୍ ଏଭ୍ରିଥିଙ୍ଗ୍ ନାଁ ଦେଇଛନ୍ତି ।

କିଛି ମାସ ଭିତରେ ଚାରି ପ୍ରଧାନମନ୍ତ୍ରୀ ବଦଳାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅକ୍ରୋଶ ରହିଛି । ପ୍ରଦର୍ଶନ ଜରିଆରେ ଲୋକେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ନିଜ ଅସନ୍ତୋଷ ଝାଡ଼ିଛନ୍ତି । ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଭିତରେ ୨୦୦ ଉପଦ୍ରବୀଙ୍କୁ ଗିରଫ କରାଯାଇଥିବା ଗୃହ ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ସୁରକ୍ଷା ବାହିନୀ ମୁତୟନ ସତ୍ତ୍ୱେ, ରାଜଧାନୀ ପ୍ୟାରିସ ସମେତ ଅନେକ ପ୍ରମୁଖ ସହରରେ ପରିସ୍ଥିତି ଆହୁରି ଖରାପ ହୋଇଛି । ଫ୍ରାନ୍ସରେ ଜାରି ରାଜନୈତିକ ସଂକଟ ମଧ୍ୟରେ ଏହି ଆନ୍ଦୋଳନ ଦେଖିବାକୁ ମିଳିଛି । ନିକଟରେ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବେରୋ ସଂସଦରେ ବିଶ୍ୱାସ ଭୋଟରେ ପରାସ୍ତ ହୋଇଥିଲେ । ମଙ୍ଗଳବାର ମାକ୍ରୋନଙ୍କୁ ତାଙ୍କ କାର୍ଯ୍ୟକାଳର ପଞ୍ଚମ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁଙ୍କୁ ନିଯୁକ୍ତ କରିଥିଲେ।

 ବ୍ଲକ୍ ଏଭ୍ରିଥିଙ୍ଗ୍ ଏକ ସାଧାରଣ ଆନ୍ଦୋଳନ ନୁହେଁ । ଦେଶର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥା ଲୋକଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଏହି ଆନ୍ଦୋଳନ ପ୍ରଥମେ ଦକ୍ଷିଣପନ୍ଥୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆରମ୍ଭ ହୋଇଥିଲା । ଏବେ ଆନ୍ଦୋଳନକୁ ବାମ ଏବଂ ଅତି-ବାମପନ୍ଥୀ ଶକ୍ତିମାନେ ବଢାଇଛନ୍ତି ।

ପ୍ରତିବାଦକାରୀ ଚେତାବନୀ ଦେଇଛନ୍ତି, ଯଦି ସରକାରୀ ବ୍ୟବସ୍ଥା କାମ ନକରେ, ତେବେ ଦେଶରେ ମେସିନାରୀକୁ ବନ୍ଦ କରିଦେବେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ୮୦,୦୦୦ ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରିଛନ୍ତି । ଏଥିରୁ ପ୍ୟାରିସରେ ହିଁ କେବଳ ୬,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଫ୍ରାନ୍ସ ମିଡିଆ ରିପୋର୍ଟ ଅନୁସାରେ ପ୍ରାୟ  ଲକ୍ଷ ଲୋକ ଏହି ପ୍ରଦର୍ଶନରେ ଯୋଗ ଦେଇପାରନ୍ତି ।

ରିପୋର୍ଟ ଅନୁଯାୟୀ, ଏହି ଆନ୍ଦୋଳନ ୨୦୧୮ର ୟେଲୋ ଭେଷ୍ଟ ବିଦ୍ରୋହକୁ ମନେ ପକାଇ ଦେଇଛି । ୨୦୧୮ରେ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ । ଯାହା ଧୀରେ ଧୀରେ ରାଷ୍ଟ୍ରପତି ମାକ୍ରୋନଙ୍କ ନୀତି ବିରୁଦ୍ଧରେ ଏକ ବଡ଼ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା । ଏଥର ମଧ୍ୟ ପରିସ୍ଥିତି ସମାନ ଥିବା ପରି ମନେ ହେଉଛି ।