ନୂଆଦିଲ୍ଲୀ: ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ମୁମ୍ୱାଇର ସ୍ୱତନ୍ତ୍ର ଏନଆଇଏ ଆଦାଲତ ଗୁରୁବାର ସମସ୍ତ ସାତ ଦୋଷୀଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିଲେ । ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ର ଏଟିଏସ୍ର ପୂର୍ବତନ ଅଧିକାରୀ ମହବୁବ ମୁଜାବର ଏକ ଚାଞ୍ଚଲ୍ୟକର ଦାବି କରିଥିଲେ । ସେ କହିଥିଲେ ଯେ ତଦନ୍ତ ବେଳେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଗିରଫ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା । ମୁଜାବରଙ୍କ ଅନୁସାରେ, ବରିଷ୍ଠ ଅଧିକାରୀଙ୍କଠାରୁ ମୌଖିକ ରୂପେ ତାଙ୍କୁ ଏହି ଆଦେଶ ମିଳିଥିଲା । କିନ୍ତୁ ସେ ଆଦେଶକୁ ଅନୁପାଳନ କରିନଥିଲେ, କାରଣ ସେ ଏହାର ସତ୍ୟତା ଜାଣିଥିଲେ । ପୂର୍ବତନ ଅଧିକାରୀଙ୍କ ଏହି ଦାବି ପରେ ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୁକ୍ରବାର ନାଗପୁର ପହଞ୍ଚିଥିଲେ । ସେଠାରେ ସେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ମିଶି କବିକୁଳଗୁରୁ କାଳିଦାସ ସଂକୃତ ବିଶ୍ୱବିଦ୍ୟାଳୟ ରାମଟେକର ନୂଆ ଭବନ ଉଦଘାଟନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ତତ୍କାଳୀନ ସରକାର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ହିନ୍ଦୁ ଆତଙ୍କବାଦ ଓ ଗେରୁଆ ଆତଙ୍କବାଦ ପରି ଶବ୍ଦ ଗଢିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋର୍ଟଙ୍କ ନିଷ୍ପତ୍ତି ପରେ ୨୦୦୮ର ଏହି ଷଡ଼ଯନ୍ତ୍ର ସମସ୍ତଙ୍କ ସାମନାକୁ ଆସିଛି । ଏହା ସେ କହିଥିଲେ ଯେ କଂଗ୍ରେସ ହିନ୍ଦୁତ୍ୱବାଦୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଧିକାରୀ ଏବଂ ପଦାଧିକାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ।
ସେ କହିଥିଲେ, ଲୋକଙ୍କୁ ଗିରଫ କରାଗଲା । ହିନ୍ଦୁତ୍ୱବାଦୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଧିକାରୀ ଏବଂ ପଦାଧିକାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏହା ଷଡ଼ଯନ୍ତ୍ର ଥିଲା । ସବୁ ଉଦ୍ୟମ ସତ୍ତ୍ୱେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିପାରିଲା ନାହିଁ । ଅନେକ ଅଧିକାରୀ ଏପରି ଥିଲେ, ଯେଉଁମାନେ ଚାପରେ ରହି ମଧ୍ୟ ବେଆଇନ କାମ କରିବାକୁ ମନା କରିଥିଲେ । ମହାରାଷ୍ଟ୍ର ସିଏମ୍ କହିଥିଲେ, ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ବାହାରକୁ ଆସୁଛି । କଂଗ୍ରେସ ସବୁ ହିନ୍ଦୁଙ୍କୁ ଆତଙ୍କବାଦୀ ଦର୍ଶାଇବା ପାଇଁ ଏହି ଉଦ୍ୟମ କରିଥିଲା । ସେହିପରି ବିଜେପି ସାଂସଦ ସମ୍ୱିତ୍ ପାତ୍ର ଓ ଭିଡି ଶର୍ମା ଅଭିଯୋଗ କରିଛନ୍ତି, ହିନ୍ଦୁତ୍ୱବାଦୀ ସଂଗଠନ ଆରଏସଏସକୁ ଟାର୍ଗେଟ୍ କରିବା ଲାଗି ଗେରୁଆ ଆତଙ୍କବାଦ ପରି ଶବ୍ଦ ଗଢିବାକୁ କଂଗ୍ରେସ ଓ ଗାନ୍ଧୀ ପରିବାର ଉଦ୍ୟମ କରିଥିଲେ ।
ପୂର୍ବତନ ଅଧିକାରୀ ମୁଜାବର ଦାବି କରିଥିଲେ ଯେ, ସେ ସମୟରେ ATS କ’ଣ ତଦନ୍ତ କରିଥିଲା ମୁଁ କହିପାରିବି ନାହିଁ । କିନ୍ତୁ ମୋତେ ରାମ କାଲସାଂଗରା, ସନ୍ଦୀପ ଡାଙ୍ଗେ, ଦିଲୀପ ପାଟିଦାର ଏବଂ RSS ମୁଖ୍ୟ ମୋହନ ଭାଗବତଙ୍କ ଭଳି ଲୋକଙ୍କ ବିଷୟରେ କିଛି ଗୁପ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଏପରି ଥିଲା ଯାହାକୁ ପାଳନ କରାଯାଇପାରିବ ନାହିଁ । ମୋହନ ଭାଗବତଙ୍କ ଭଳି ଜଣେ ବଡ଼ ବ୍ୟକ୍ତିତ୍ୱଙ୍କୁ ଧରିବା ମୋର କ୍ଷମତା ବାହାରେ ଥିଲା । ମୁଁ ଏହି ନିର୍ଦ୍ଦେଶଗୁଡ଼ିକୁ ପାଳନ ନକରିବାରୁ, ମୋ ବିରୁଦ୍ଧରେ ଏକ ମିଥ୍ୟା ମାମଲା ରୁଜୁ କରାଯାଇଥିଲା । ଏବଂ ଏହା ମୋର ୪୦ ବର୍ଷର କ୍ୟାରିଅରକୁ ନଷ୍ଟ କରିଦେଇଥିଲା । ଏହି ମାମଲାରେ କୌଣସି ଗେରୁଆ ଆତଙ୍କବାଦ ନଥିଲା, ସବୁକିଛି ଫେକ୍ ଥିଲା ।
ଉଲ୍ଲେଖଯୋଗ୍ୟ, ୨୯ ସେପ୍ଟେମ୍ବର ୨୦୦୮ରେ ଉତ୍ତର ମହାରାଷ୍ଟ୍ରର ମାଲେଗାଓଁ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ATS ସନ୍ଦେହ କରିଥିଲା ଯେ ଷ୍ଟୁଡେଣ୍ଟ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଇଣ୍ଡିଆ (SIMI) ଭଳି ନିଷିଦ୍ଧ ମୁସଲିମ୍ ସଂଗଠନ ଏଥିରେ ସାମିଲ ହୋଇପାରନ୍ତି । କିନ୍ତୁ ATSର ତତ୍କାଳୀନ ମୁଖ୍ୟ ସ୍ୱର୍ଗତ ଆଇପିଏସ୍ ଅଧିକାରୀ ହେମନ୍ତ କରକରେଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତ ଦେଶକୁ ଚକିତ କରିଥିଲା । ତଦନ୍ତରେ ଦାବି କରାଯାଇଥିଲା ଯେ ମାଲେଗାଓଁ ବିସ୍ଫୋରଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ହିନ୍ଦୁ ଥିଲେ ଏବଂ ଏହାକୁ "ଗେରୁଆ ଆତଙ୍କବାଦ" ମାମଲା ଭାବରେ ବର୍ଣ୍ଣନା କରାଯାଇଥିଲା।