LIVE TV

ଶ୍ରୀମୟୀକୁ ନେଇ ବିଜେଡିରେ କମ୍ପନ, ଦଳ ଭିତରେ ବୟାନବାଜି ଜୋର

NEWS7
bjd vs shreemayee mishra

ଭୁବନେଶ୍ଵର:  ବିଜେଡିରୁ ଶ୍ରୀମୟୀ ମିଶ୍ରଙ୍କ ନିଲମ୍ବନ ପରେ ବି ଦଳ ଭିତରେ ଜାରି ରହିଛି ବୟାନବାଜି ।  ଶ୍ରୀମୟୀ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଲେଖା ପୋଷ୍ଟକରି ଦଳୀୟ ନେତୃତ୍ବକୁ କାଠଗଡାକୁ ଟାଣୁଥିବା ବେଳେ ଶ୍ରୀମୟୀ ଭିକ୍ଟିମ କାର୍ଡ ଖେଳୁଛନ୍ତି ବୋଲି କହିଛି ବିଜେଡି । ଆଜିପୁଣି ଶ୍ରୀମୟୀ ସୋସିଆଲ ମିଡିଆରେ ଲେଖିଛନ୍ତି, ସ୍ବାଭିମାନ ଓ ଆତ୍ମ ସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି । ଏହାର ଜବାବରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଶ୍ରୀମୟୀ କ୍ରମାଗତ ମିଛ କହୁଛନ୍ତି ।

ଚର୍ଚ୍ଚାରେ ବିଜେଡି ବନାମ ଶ୍ରୀମୟୀ । ଗୋଟିଏପଟେ ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଆଉ ଅନ୍ୟପଟେ ବିଜେଡିର ଜବରଦସ୍ତ କାଉଣ୍ଟର ଆଟାକ୍ । ସୋସିଆଲ ମିଡିଆରେ ଦଳ ବିରୋଧି ବିଭିନ୍ନ ଲେଖା ପୋଷ୍ଟ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ ମିଶ୍ର । ତାପରେ ବି ସେ ଦଳର ବିଭିନ୍ନ ନେତା ଓ ନୀତିକୁ ନେଇ ସିରିଜ ପ୍ରଶ୍ନ ଉଠାଉଛନ୍ତି ଶ୍ରୀମୟୀ । ଯାହା ଉପରେ ବିଜେଡି ପକ୍ଷରୁ ମଧ୍ୟ  ଜବାବ ପରେ ଜବାବ ଦିଆଯାଉଛି । ଆଜି ଶ୍ରୀମୟୀ ମିଶ୍ର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଯେ ସେ ଦଳରେ ଅସନ୍ତୁଷ୍ଟ ଥିଲେ ଏବଂ ପଦପଦବୀ ଗ୍ରହଣ କରୁନଥିଲେ । ଏନେଇ ସେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ଆଦି ନେତ୍ରୀଙ୍କୁ  ଅବଗତ ବି କରିଥିଲେ।  କିନ୍ତୁ ସେମାନେ ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । କ୍ଷମତା ପାଇଁ ନୁହେଁ ବରଂ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି ବୋଲି ଲେଖିଛନ୍ତି ଶ୍ରୀମୟୀ ।

କିଏ ସତକହୁଛି, ସୋସିଆଲ ମିଡିଆରେ ଚାଲିଛି ଶୁଣାଣି ଆଉ ବିଚାର। ଶ୍ରୀମୟ ଦଳର ବରିଷ୍ଠ ନେତୃବର୍ଗଙ୍କୁ  ନିଜର ଅସନ୍ତୋଷ ଜଣାଇଥିବା କହିଛନ୍ତି। ସେପଟେ ଦଳର ବରିଷ୍ଠ ନେତା ତାଙ୍କୁ ଜବାବ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମୟୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ କହିଛନ୍ତି ଶ୍ରୀମୟୀ କ୍ରମାଗତ ମିଛ କୁହନ୍ତି । ଆଉ ଏବେ ଭିକ୍ଟିମ୍ କାର୍ଡ ଖେଳୁଛନ୍ତି ।  ଯଦି ସେ ଦଳର ସଦସ୍ୟ ନୁହନ୍ତି ତାହେଲେ ସେ ଦଳର ସମସ୍ତ କାମରେ କିଭଳି ସାମିଲ ହେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶ୍ରୀମୟୀ ନବୀନ ନିବାସ କୁ ଯାଇ  ଶୁଭେଛା ଜଣାଇଥିଲେଦଳର ମୁଖପାତ୍ର ଭାବେ ତାଙ୍କ ନାଁ ଥିଲା।  ସାଧାରଣ ସମ୍ପାଦକ ଭାବେ ତାଙ୍କ ନାଁ ଥିଲା । ଏହାପରେ ବି ଶ୍ରୀମୟୀ ଅନୁଶାସନ ମାନି ନାହାନ୍ତି ବୋଲି ସ୍ନେହାଙ୍ଗିନୀ କହିଛନ୍ତି । ସେହିଭଳି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଏମିତି କେତେ ଦଳକୁ ଆସିବେ ଯିବେ । ଦଳ ବିରୋଧରେ ଲଗାତର ସୋସିଆଲ ମିଡିଆରେ ଲେଖା ପୋଷ୍ଟ କରିବା ଯୋଗୁଁ ଗତକାଲି ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଆଉ ଆଜି ପୁଣି ସେ ସୋସିଆଲ ମିଡିଆରେ ଦଳର ନେତାମାନଙ୍କ ଉପରେ ବିଭିନ୍ନ କଥା ଲେଖିଛନ୍ତି । ଯାହାକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି।