ନା ଡବଲ୍, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ : ପାଣ୍ଡିଆନ୍

Published By : Prameya-News7 Bureau | April 27, 2024 IST

ନୂଆପଡା ୨୭।୪: ନୂଆପଡାରେ ଭି.କେ. ପାଣ୍ଡିଆନ । ଗୋତମରେ ପହଞ୍ଚି ଖରିଆର ରୋଡ଼ରୁ ଏକ ଶୋଭାଯାତ୍ରାରେ ବାହାରି ନୂଆପଡା ଆସିଥିବା ବେଳେ ନୂଆପଡା ସ୍ଥିତ ମିନି ଷ୍ଟାଡିଅମରେ ଆୟୋଜିତ ଏକ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ମନେ ପକାଇ ଲୋକଙ୍କୁ ଭୋଟ୍ ଭିକ୍ଷା କରିଥିଲେ । ମଞ୍ଚରେ ନୂଆପଡା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଉପସ୍ଥିତ ରହିଥିବା ବେଳେ ଉଭୟଙ୍କୁ ଶଙ୍ଖ ଚିହ୍ନରେ ମତଦାନ କରିବା ପାଇଁ ନିବେଦନ କରିଥିଲେ । 

ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପାଣ୍ଡିଆନ । ବିଗତ ଦିନରେ ମୁଁ ନୂଆପଡାକୁ ଆସିଥିଲି ଅନେକ ସମସ୍ୟାର ସମାଧାନ ପାଇଁ ନିବେଦନ ପତ୍ର ପାଇଥିଲି, ଯାହାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଅର୍ଦ୍ଧାଧିକ ସମସ୍ୟାର ସମାଧାନ ହୋଇଛି । ଆପଣଙ୍କ ଅଞ୍ଚଳରୁ ଜଣକୁ ଆପଣମାନେ ସାଂସଦ କରି ଲୋକସଭାକୁ ପଠାଇଲେ ହେଲେ କେନ୍ଦ୍ର ସରକାରଙ୍କ ଅନେକ ଗୁଡିଏ ଯୋଜନା ଭିତରେ ଆଜି ଯାଏଁ ଜାତୀୟ ରାଜପଥ ସୁଧୁରିଲା ନାହିଁ। ଏଣୁ ଆପଣ ମାନଙ୍କୁ ଅନୁରୋଧ ନବୀନ ପଟ୍ଟନାୟକଙ୍କ ଶଙ୍ଖ ଚି଼ହ୍ନରେ ମୋହର ମାରି ଉଭୟ ବିଧାୟକ ଓ ସାଂସଦଙ୍କୁ ବିଜୟୀ କରନ୍ତୁ ବୋଲି ଭି.କେ. ପାଣ୍ଡିଆନ ନିଜର ଅଭିଭାଷଣରେ କହିଥିଲେ ।

ସେ ତାଙ୍କ ଅଭିଭାଷଣରେ କହିଥିଲେ, ଆପଣଙ୍କ ଜୋସ୍‌, ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ନା ଡବଲ, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ନବୀନ ଇଞ୍ଜିନ ସବୁଠାରୁ ମଜବୁତ । ଡବଲ ଇଞ୍ଜିନ ଯଦି ଏତେ ଭଲ, ତାହେଲେ ପଡୋଶୀ ଛତିଶଗଡରେ ବାରମ୍ବାର ଇଞ୍ଜିନ ବଦଳୁଛି କାହିଁକି ?  ଆପଣଙ୍କ MP  ୫ ବର୍ଷରେ କ’ଣ କରିଛନ୍ତି ? ନୂଆପଡା-ଭବାନୀପାଟଣା ଦେଖିଲେ ଜଣାପଡୁଛି । ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍‌, ରାସ୍ତା ଅବସ୍ଥା ବହୁତ ଖରାପ, ଅନେକ ପଞ୍ଚାୟତରେ ମୋବାଇଲ ନେଟ୍‌ୱାର୍କ ବି ନାହିଁ । ନବୀନ ବାବୁଙ୍କ ବିଜୁ ଏକ୍ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ NH ଦେଖନ୍ତୁ, ଫରକ ଜଣାପଡିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଜିଲ୍ଲା ଗସ୍ତରେ ଆସିଥିଲୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କ’ଣ କାମ ହୋଇଛି ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ନୂଆପଡା ଆସିଥିଲି, ହସ୍‌ପିଟାଲର ଉନ୍ନତି କଥା ବୁଝିକରି ଯାଇଥିଲି। ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି, କୋନାବିରା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି, ଘାଟିପଡାରୁ ସିନାପାଲ୍ଲୀ ବିଜୁ ଏକ୍‌ସପ୍ରେସ ୱେ ୨୦୮ କୋଟି, ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ, ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୪ ହଜାର ହିତାଧିକାରୀଙ୍କୁ ସାମିଲ, ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡା ଓ ଖଡିଆଳ ଠାରେ ବହୁମୁଖୀ ଇଣ୍ଡୋର ହଲ୍‌, ୪୨,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ପ୍ରଦାନ, ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇଛି । 

You Can Read :

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.