ଡବଲ୍ ଇଞ୍ଜିନ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା : ପାଣ୍ଡିଆନ

Published By : Prameya-News7 Bureau | May 01, 2024 IST

ଖଲ୍ଲିକୋଟ ୧।୫: ବିଜୁ ଜନତା ଦଳର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ । ଦୁଇଟିଯାକ ସଭାରେ ସେ ଖଲ୍ଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଷଣ ଆରମ୍ଭ କରିଥିଲେ ।

ସେ କହିଥିଲେ ଯେ, ଓଡିଶାର ପରିଚୟ ହେଉଛି ଶଙ୍ଖ ଚିହ୍ନ । ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ । ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ । ନବୀନ ପଟ୍ଟନାୟକ ଓ ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛୁ ଓ ରହିଥିବୁ । ଆମେ ଆପଣଙ୍କ ସୁଖଦୁଃଖରେ ଅଛୁ, ସବୁଦିନେ ଆପଣଙ୍କ ଭଲମନ୍ଦ ବୁଝୁଛୁ । ତେଣୁ ଆପଣମାନେ ବିଜୁ ଜନତା ଦଳକୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ । ବିରୋଧୀଙ୍କୁ ପ୍ରବଳ ଆକ୍ରମଣ କରି ସେ କହିଥିଲେ ଯେ, କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିରୋଧୀ ଦଳର ସ୍ଥିତି ନାହିଁ । ସେମାନେ କେଉଁଠି ଦିଶୁନାହାନ୍ତି । ନା ସେମାନେ ଲୋକଙ୍କ ସହିତ ଅଛନ୍ତି, ନା ସେମାନଙ୍କ ଭଲମନ୍ଦରେ ଅଛନ୍ତି । ସେମାନଙ୍କୁ ଆପଣ ଦୂରରେ ରଖନ୍ତୁ ।

ସେମାନେ ବାରମ୍ବାର ଡବଲ ଇଞ୍ଜିନ, ଡବଲ ଇଞ୍ଜିନ କହୁଛନ୍ତି । କିନ୍ତୁ ତାଙ୍କ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା । ଓଡିଶାରେ ନବୀନ ଇଞ୍ଜିନ ବହୁତ ମଜବୁତ । ନବୀନ ଇଞ୍ଜିନରେ ଓଡିଶା ବହୁତ ଭଲରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । କବିସୂର୍ଯ୍ୟନଗରକୁ ସେ ଖୁବ ଭଲ ପାଆନ୍ତି ।

ଆମ ମୁଖ୍ୟମନ୍ତ୍ରୀ ଦେଶର ଏକମାତ୍ର ନେତା, ଯିଏ କାମର ହିସାବ ଦେବାକୁ କହନ୍ତି । ସେଥିପାଇଁ ଓଡିଶାରେ, ସବୁ ଜାଗାରେ ଆମେ କାମର ହିସାବ ଦେଉଛୁ । ଏଭଳି କେଉଁ ରାଜ୍ୟରେ ବି ଦେଖିବାକୁ ମିଳିବ ନାହିଁ । କବିସୂର୍ଯ୍ୟନଗରରେ ୬୦ କୋଟିର କାମ ଚାଲିଛି । ଏଥିସହିତ ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ପୁରୁଷୋତ୍ତମ ବ୍ଲକ ଗୁପ୍ତେଶ୍ବର ମନ୍ଦିର ପାଇଁ ୧.୨୦ କୋଟି, ବେଗୁନିଆପଡା ବ୍ଲକ ସିଦ୍ଧେଶ୍ବର ମନ୍ଦିର ପାଇଁ ୧ କୋଟି ଟଙ୍କା, ଶାଳିଆ ଡ୍ୟାମରୁ ବେଗୁନିଆପଡା ବ୍ଲକକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୦୦ କୋଟି, ପୁରୁଷୋତ୍ତମପୁର ବ୍ଲକ୍‌ରେ ଋଷିକୂଲ୍ୟା ନଦୀବନ୍ଧ ପାଇଁ ୩୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ ।

ସେହିପରି ଦିଗପହଣ୍ଡିରେ ୫୦ କୋଟିର କାମ ଚାଲିଛି । ମା’ ନିଜବାଙ୍କେଶ୍ବରୀ ମନ୍ଦିର, ମହୁରୀକାଳୁଆ ମନ୍ଦିର ଏବଂ ଘଟେକେଶ୍ବର ମନ୍ଦିର ପାଇଁ ୪ କୋଟି ଟଙ୍କା, କୁକୁଡାଖଣ୍ଡି ବ୍ଲକ୍‌ରେ ଜଳସେଚନ ସୁବିଧା ଓ ବ୍ରହ୍ମପୁର ସହର ଓ ଗୋପାଳପୁର ଶିଳ୍ପାଞ୍ଚଳକୁ ଜଳଯୋଗାଣ ପାଇଁ ୩୨୪ କୋଟି ଟଙ୍କା, ଛେଳିଗଡ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଲାଇନ ପାଇଁ ୧୭୦ କୋଟି ଟଙ୍କା, ଜକମେରପାଲୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ଏବଂ ଦିଗପହଣ୍ଡି ବ୍ଲକର ୨୫ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୬୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ । 

You Can Read :

ଘରୋଇ କଳହକୁ କେନ୍ଦ୍ରକରି ହଣାକଟା : ପୁଅ ମୃତ, ବାପା ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.